No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜୁନ ୧୧ ତାରିଖ ବୁଧବାର ଦିନ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ତିନି ଠାକୁର ରତ୍ନସିଂହାସନରେ ପହଣ୍ଡି ହୋଇ ସ୍ନାନ ବେଦିରେ ବିଦ୍ଯମାନ ହେବେ । ୧୦୮ ଗଡୁ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିବେ । ସ୍ନାନ ପରେ ଜ୍ବରରେ ପୀଡିତ ହୋଇ ତିନି ଠାକୁର ଅଣସର ଘରେ ବିରାଜମାନ କରିବେ । ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ । ଏହି ସମୟରେ ଦଶଅବତାର ପଟିଦିଅଁ ଅଣସର ତାଟିରେ ପୂଜା ପାଇବେ । ଏହି ପଟିଦିଅଁ ନିର୍ମାଣ କରିବା ପାଇଁ ଚିତ୍ରକର ସାହିରେ ଚିତ୍ରକର ମାନେ ହବିଷ ପାଳନ କରି ପଟିଦିଅଁ ନିର୍ମାଣ କରୁଛନ୍ତି ।
ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ମା ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ବରୀ ପଟିଦିଅଁ ପୂଜା ପାଇବେ । ପରମ୍ପରା ଅନୁଯାଇ ଶୀତଳଷଷ୍ଠୀ ଦିନ ପନ୍ତି ଭୋଗ ସରିବା ପରେ ଚିତ୍ରକର ସେବକ ମାନେ ବିଧି ଅନୁଯାଇ କାର୍ଯ୍ଯ କରିଥିବା ବେଳେ ରୁକ୍ମଣୀ ହରଣ ଏକାଦଶୀ ଠାରୁ ପଟିରେ ରଙ୍ଗ ଦେଇ କାର୍ଯ୍ଯ ଆରମ୍ଭ କରିଛନ୍ତି । ସ୍ନାନ ପୂର୍ଣ୍ଣିମା ଦିନ ଚିତ୍ରକର ପରିବାରର ମହିଳା ମାନେ ପଟିଦିଅଁଙ୍କୁ ବନ୍ଦାପନା କରିବା ପରେ ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ କରିବେ । ପଟିଦିଅଁ ନିର୍ମାଣ ପାଇଁ ହେଙ୍ଗୁଳ, ହରିତାଳ, ଶଙ୍ଖ,ଦୀପକଳା, ଖଣ୍ଡ ନେଳି, ପଟା, ଗେରୁ, କଇଥ ଅଠା ଆଦି ପାରମ୍ପରିକ ରଙ୍ଗ ପ୍ରୟୋଗ କରି ପଟ୍ଟଚିତ୍ର ନିର୍ମାଣ କରିଥାନ୍ତି ।
ପ୍ରଥମେ ନୂଆ କନାରେ ଅଠା, ଖଡି, ପ୍ରଲେପ ଦେଇ ଘସା ପଥର ଦ୍ବାରା ଘଷି ଘଷି ଚିକ୍କଣ କରିବା ସହ ପଟ୍ଟି ପ୍ରସ୍ତୁତ କରିଥାନ୍ତି । ପଟ୍ଟିକୁ ଆଙ୍କିବା ପାଇଁ ଗେରୁ ରଙ୍ଗ ଟିପଣା କରାଯାଏ । ପଟ୍ଟି ପ୍ରସ୍ତୁତ ପରେ ପଟ୍ଟିରେ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ମା ଭୁବନେଶ୍ଵରୀଙ୍କ ପ୍ରତିକୃତି ଅଙ୍କନ କରାଯାଇଥାଏ । ଶ୍ରୀମନ୍ଦିର ଜୟ ବିଜୟ ଦ୍ଵାର ନିକଟରେ ଖଟ ଉପରେ ମଦନମୋହନ, ରାମକୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ମାଧବ ଓ ଶ୍ରୀନୃସିଂହଙ୍କ ସହ ପଟ୍ଟିଦିଅଁଙ୍କୁ ପୂଜା କରାଯାଇଥାଏ । ପଣାପ୍ରିୟା ସାହିର ଚିତ୍ରକର ସେବକ ଦେବଦତ୍ତ ମହାରଣା ଋତୁରାଜ ମହାରଣା, ଚନ୍ଦ୍ର ଶେଖର ମହାରଣା ,ମାନସ କୁମାର ମହାରଣା, ଧର୍ମେନ୍ଦ୍ର ମହାରଣା ,ବିକ୍ରମ ମହାରଣା,ସଚ୍ଚିକାନ୍ତ ମହାରଣା,ରତିକାନ୍ତ ମହାରଣା ପ୍ରମୁଖ ଜଗନ୍ନାଥଙ୍କ ପଟିଦିଅଁ ପାଇଁ ଅନନ୍ତ ନାରାୟଣ ପଟିଦିଅଁ ନିର୍ମାଣରେ ନିମଗ୍ନ ଅଛନ୍ତି ।
ଚିତ୍ରକର ସାହିରେ ରବି ଶଙ୍କର ମହାରଣା,ଅନନ୍ତ ମହାରଣା,ମଦନ ମହୋନ ମହାପାତ୍ର, ବାବୁନା ମହାପାତ୍ର, ଜିତେନ୍ଦ୍ର ମହାରଣା,ସଞ୍ଜୀତ ମହାପାତ୍ର ପ୍ରମୁଖ ବଳଭଦ୍ରଙ୍କ ପଟିଦିଅଁ ପାଇଁ ଅନନ୍ତ ବାସୁଦେବ ଓ ମା ସୁଭଦ୍ରାଙ୍କ ପଟିଦିଅଁ ପାଇଁ ମା ଭୁବନେଶ୍ବରୀ ପଟିଦିଅଁ ନିର୍ମାଣ କାର୍ଯ୍ଯରେ ନିମଗ୍ନ ଅଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବର୍ଣ୍ଣାଢ୍ଯ ଶୋଭାଯାତ୍ରାରେ ଚିତ୍ରକର ସେବକଙ୍କ ଘରକୁ ଆସି ପଟିଦିଅଁ ପୂଜାର୍ଚ୍ଚନା ପରେ ପଟିଦିଅଁଙ୍କୁ ଘଣ୍ଟ କାହାଳୀ ବାଦ୍ଯ ସହ ଶ୍ରୀମନ୍ଦିରକୁ ବିଜେ କରିବେ । ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା । ଚିତ୍ରକର ପରିବାରବର୍ଗଙ୍କ ଭକ୍ତି ଭାବନା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

No Result
View All Result