No Result
View All Result
* ମୋଦୀ ଜଣେ ବିରଳ ରାଜନେତା : ରାଜାରାମ
* ଗଣତନ୍ତ୍ରର ଗଳା ଚିପିଛି ମୋଦୀତନ୍ତ୍ର : ନିଶିକାନ୍ତ
* ଓଡ଼ିଶାକୁ ଧୋକା ଦେଇଛି ନବୀନ ତନ୍ତ୍ର : ପ୍ରସନ୍ନ
* ତାନ୍ତ୍ରିକ ଭଳି ସ୍ବାର୍ଥ ହାସଲ କରିଛନ୍ତି ମୋଦୀ : ପଞ୍ଚାନନ
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ରାଜନୀତି ପରିପ୍ରେକ୍ଷୀରେ ନିର୍ବାଚନ, ଅନ୍ୟ ରାଜ୍ୟର ରାଜନୀତି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ରଣକୌଶଳ ଉପରେ ଆଧାରିତ ପୁସ୍ତକ ‘ମୋଦୀତନ୍ତ୍ର’ ଉନ୍ମୋଚିତ ହୋଇଯାଇଛି । ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପ୍ରକାଶିତ ଏ ପୁସ୍ତକୁ ରଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ସୁଧାଂଶୁ ପାତ୍ର । ସ୍ଥାନୀୟ ଜୟଦେବ ଭବନରେ ରବିବାର ସଂଜରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ ପୁସ୍ତକର ନାମକରଣ ଯଥାର୍ଥ ବୋଲି କହିଥିଲେ । ତାନ୍ତ୍ରିକ ଯେଭଳି ତନ୍ତ୍ର ବଳରେ ନିଜର ସ୍ବାର୍ଥ ହାସଲ କରେ, ମୋଦୀ ସେହିଭଳି ନିଜର ରାଜନୈତିକ ତନ୍ତ୍ର ସାଧନା କରୁଛନ୍ତି ଏବଂ ଦେଶପାଇଁ ବିପତ୍ତି ଆଣିଛନ୍ତି ବୋଲି ସେ ମତ ଦେଇଥିଲେ ।
ଗୋଟିଏ ପଟେ ଦେଶ ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୀତି ବୋଲି ଘୋଷଣା କରାଯାଉଥିବା ବେଳେ ଦେଶରେ ରୋଜଗାର ଓ ବ୍ୟୟ କ୍ଷମତା ହ୍ରାସ ପାଇଛି, ଋଣ ଭାର ବଢ଼ିଛି । ରପ୍ତାନୀ ତୁଳନାରେ ଆମଦାନୀ ବଢ଼ିଛି। ବିଫଳତାକୁ ଲୁଚେଇବା ବା ବିଫଳତାର ଅଠା କଂଗ୍ରେସ ମୁଣ୍ଡରେ ବୋଳିବା ମୋଦୀତନ୍ତ୍ରର ଅନ୍ୟତମ ମନ୍ତ୍ର ବୋଲି କହି ସମାଲୋଚନା କରିଥିଲେ ଶ୍ରୀ କାନୁନ୍ଗୋ । ଓଡ଼ିଶାରେ ମୋଦୀତନ୍ତ୍ରର ମୂଳଦୁଆ ୨୦୨୪ରେ ଚଣ୍ଡିଖୋଲରେ ବିଜୁ ଜୟନ୍ତୀ ଉତ୍ସବରେ ପଡ଼ିଥିଲା ବୋଲି ଶ୍ରୀ କାନୁନ୍ଗୋ କହିଥିଲେ ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ବରିଷ୍ଠ ବିଜେପି ନେତା ପ୍ରସନ୍ନ କୁମାର ପାଟ୍ଟଶାଣୀ କହିଥିଲେ ଯେ ମୋଦୀଙ୍କ ରାଜନୀତି ଦେଶ ପାଇଁ ଆଶୀର୍ବାଦ। ଓଡ଼ିଶାରେ ମୋଦୀଙ୍କ ବିକାଶକୁ ସ୍ବୀକୃତି ମିଳିଛି । ଅନ୍ୟପଟେ ନବୀନ ତନ୍ତ୍ର ଓଡ଼ିଶାକୁ ଧୋକା ଦେଇଛି ବୋଲି କହିବା ସହ ବିଜେଡି ସହ ନିଜର ସମ୍ପର୍କ ଛିନ୍ନ କରିବାର କାହାଣୀ ବଖାଣିଥିଲେ ପାଟ୍ଟଶାଣୀ । ନବୀନ ତାଙ୍କୁ ଲେଖକ ହିସାବରେ ଭଲପାଆନ୍ତି ବୋଲି କହିଥିଲେ ପାଟ୍ଟଶାଣୀ । ତେବେ ପାଣ୍ଡିଆନଙ୍କ ନାମ ନେଇ ଶ୍ରୀ ପାଟ୍ଟଶାଣୀ ବିଜେଡିର ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ। ବିଜେଡି ପ୍ରତିଷ୍ଠା ବେଳେ ପାଣ୍ଡିଆନ କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆମ୍ ଆଦ୍ମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ମୋଦୀଙ୍କ ଶାସନ ବ୍ୟବସ୍ଥାକୁ କଡ଼ା ସମାଲୋଚନା କରିଥିଲେ। ପୂର୍ବ ସରକାରମାନଙ୍କରେ ପ୍ରତିବାଦର ସ୍ବରକୁ ଚପାଯିବାର ଉଦାହରଣ ଥିଲା, ହେଲେ ମୋଦୀଙ୍କ ସରକାରରେ ପ୍ରତିବାଦ କରାଯିବାର ବ୍ୟବସ୍ଥା ହିଁ ନାହିଁ ବୋଲି ସେ କହିଥିଲେ । ଗଣତନ୍ତ୍ରର ହତ୍ୟା କହରିବା ହିଁ ମୋଦୀତନ୍ତ୍ର ବୋଲି ସେ କହିଥିଲେ । ମିଶନ୍ ଶକ୍ତି ମହିଳାଙ୍କୁ ସଭାକୁ ଡାକି ବାଧ୍ୟତାମୂଳକ ଭାବେ ପଞ୍ଜୀକରଣ କଲାବେଳେ ରୋଜଗାର ଏକ ଲକ୍ଷରୁ ଅଧିକ ଦର୍ଶାଇବା ପାଇଁ ପ୍ରଚୋଦିତ କରି ରାଜ୍ୟରେ ୧୬ ଲକ୍ଷ ଲକ୍ଷପତି ଦିଦି ଭଳି ମିଛ ପ୍ରଚାର କରାଯାଉଛି ବୋଲି ଶ୍ରୀ ମହାପାତ୍ର ସମାଲୋଚନା କରିଥିଲେ ।
ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣେ ବିରଳ ରାଷ୍ଟ୍ରନାୟକ ଭାବେ ଅଭିହିତ କରିଥିଲେ । ମୋଦୀ ସମାଲୋଚନାକୁ ଆହ୍ବାନ ଭାବରେ ଗ୍ରହଣ କରନ୍ତି ଏବଂ ବିପତ୍ତିକୁ ସୁଯୋଗରେ ପରିଣତ କରିବାର କଳା ଜାଣନ୍ତି । ସାଧାରଣ ଲୋକଙ୍କ ସହ ସାଧାରଣ ଭାଷାରେ ସମ୍ପର୍କ ରଖିବା ହିଁ ତାଙ୍କ ଯୋଗାଯୋଗ କଳାର ଏକ ବଡ଼ ସଫଳତା । ଯେଉଁ ଚା’ ପାଇଁ କଂଗ୍ରେସ ତାଙ୍କୁ ସମାଲୋଚନା କରୁଥିଲା ସେଇ ଚା’କୁ ପାଥେୟ କରି ସେ ନିର୍ବାଚନ ଲଢ଼ିଲେ, ଅନ୍ତର୍ଜାତୀୟ ଚା’ ଦିବସ ପାଳନ କଲେ ବୋଲି ଶ୍ରୀ ଶତପଥୀ କହିଥିଲା । ଜଣେ ବ୍ୟକ୍ତି ଅଧିକ ଦିନ ଶାସନରେ ରହିବା ଗଣତନ୍ତ୍ରର ପରିପନ୍ଥୀ ବୋଲି ସେ କହିଥିଲେ ।
ଲେଖକୀୟ ଅଭିଭାଷଣରେ ଶ୍ରୀ ପାତ୍ର କହିଲେ ଯେ ସତ୍ୟ କହିବା ଏବଂ ବର୍ତ୍ତମାନକୁ ଦେଖି ଭବିଷ୍ୟତ ବାବଦରେ ଲୋକଙ୍କୁ ସଚେତନ କରିବା ଜଣେ ସାମ୍ବାଦିକର କର୍ତ୍ତବ୍ୟ, ଯାହା ସେ ଗଣମାଧ୍ୟମରେ ଏବଂ ନିଜ ବହିରେ କରିଛନ୍ତି। ବିଗତ କିଛି ବର୍ଷ ଧରି ଓଡ଼ିଶାର ରାଜନୀତିକୁ ନେଇ ସେ ତାଙ୍କର ତିକ୍ତ ମଧୁର ଅନୁଭବ ବଖାଣିଥିଲେ । କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ବୈଠକରେ ପ୍ରାରମ୍ଭିକ ଉପକ୍ରମ ରଖିଥିଲେ ସାମ୍ବାଦିକ ଶ୍ରୀ ସୌଭାଗ୍ୟ ବେହେରା। ଉତ୍ସବରେ ବହୁ ସଂଖ୍ୟାରେ ସାମ୍ବାଦିକ, ସାମ୍ବାଦିକତା ଛାତ୍ରଛାତ୍ରୀ ଓ ରାଜନେତା ଉପସ୍ଥିତ ଥିଲେ ।

No Result
View All Result