ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ବସ୍ତରୀୟ ପୁରୀ ସହର । ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ପୁରୀ ଆସୁଛନ୍ତି । ଆଉ ଏକମାସ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଲଘୁଚାପଜନିତ ଲଗାଣ ବର୍ଷା ଓ ମୌସୁମୀ ବର୍ଷା ଯୋଗୁ ସହରର ସଫେଇ କାମ ଓ ରାସ୍ତାଘାଟ କାମ ବିଳମ୍ବିତ ହେଉଛି । ଗତ ଦୁଇଦିନ ଧରି ବର୍ଷା ଯୋଗୁ ସହର ଅବସ୍ଥା ଅସ୍ତବ୍ୟସ୍ତ ହୋଇପଡିଛି । ମେଡିକାଲ ଛକ ରୁ ଦରଜିପୋଖରୀ ଛକ ପର୍ଯ୍ୟନ୍ତ ରାସ୍ତାକାମ ନିମ୍ନମାନର ଯୋଗୁ ସ୍ଥାନେ ସ୍ଥାନେ ପିଚୁ ପ୍ଯାଚ ଉଠିଗଲାଣି । ବିଶାଲ ମେଘାମାର୍ଟ ସମ୍ମୁଖରେ ଦୁଇଫୁଟ ବ୍ୟାସାର୍ଦ୍ଧର ଏକଫୁଟ ଗଭୀର ଏକ ଗର୍ତ୍ତ ସୃଷ୍ଟି ହୋଇଛି ।

ଗତକାଲି ବର୍ଷା ସମୟରେ ପାଞ୍ଚ ଛଅଟି ବାଇକ୍ ଆରୋହୀ ଖାଲରେ ଛେଚି ହୋଇ ପଡିଯାଇଥିଲେ । ଜଣଙ୍କର ଟାୟାର କଟି ଯିବାରୁ ଗାଡି ଗଡାଇ ଗଡାଇ ନେଉଥିଲେ । ପାଦଚଲା ବ୍ଯକ୍ତିମାନେ ଯିବା ସମୟରେ ଗାତରେ ପଡି ଆହତ ହେଉଛନ୍ତି । ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ଆଗରେ ଟ୍ରାଫିକ ଥିବାରୁ ସିଗନାଲ ଲାଇଟ ଚାହିଁବା ଯୋଗୁ ରାସ୍ତାର ଦୂରବସ୍ଥା ଦେଖିପାରୁନାହାନ୍ତି । ଏହି ରାସ୍ତାର ଅବସ୍ଥା ଓ ଯାନବାହାନ ଚଳାଚଳ ସଂପର୍କରେ ବରିଷ୍ଠ ଫଟୋ ଜର୍ଣ୍ଣାଲିଷ୍ଟ ଡି.ପି.ଗାଙ୍ଗୁଲି ଫଠୋ ଓ ଭିଡିଓ କ୍ଲିପ୍ ଜିଲ୍ଲାପାଳଙ୍କୁ ଦେଇ ଅବଗତ କରାଇଥିଲେ ମଧ୍ଯ ଅଠାବନ ଘଣ୍ଟା ପରେ ମଧ୍ଯ ସେହି ଗର୍ତ୍ତ ମରାମତି ହୋଇପାରିନାହିଁ ।
ମେଡିକାଲ ଛକ ଟ୍ରାଫିକ ଗୋଲେଇ ଅଞ୍ଚଳରେ ମଝି ରାସ୍ତା ଖୋଳା ହୋଇ ଦୀର୍ଘ ଏକମାସ ଧରି ଟିଣ ଆବଦ୍ଧରେ ବନ୍ଦି ହୋଇ ରହିଛି । ଜେଲ ରୋଡ ପଟେ ବର୍ଷାଜଳ ନିଷ୍କାସନ ପାଇଁ ରହିଥିବା ଲୁହା ଜାଲି ଗୋଟିଏ ପାର୍ଶ୍ବରୁ ଛାଡି ଯିବାରୁ ତାହା ବିପଦପୂର୍ଣ୍ଣ ଅବସ୍ଥା ସୃଷ୍ଟି କରିଛି । ସ୍ବରେଜ ମ୍ଯାନହଲରୁ ନର୍ଦ୍ଦମା ପାଣି ରସ୍ତା ଉପରକୁ ଆସିଯାଉଛି । ରଥଯାତ୍ରା ବୈଠକରେ ସଭ୍ଯ ମାନେ ତୁମ୍ବି ତୋଫାନି କରି ପାଲାବାଲା ଚାମର ଝାଡିଲା ପରି ପ୍ରତିବାଦ କରୁଥିଲେ ମଧ୍ଯ ସେହି ଅନୁପାତରେ କାର୍ଯ୍ୟ ହେଉନଥିବା ଜଣାପଡିଛି । ରଥ ବୈଠକରେ ସଭ୍ଯ ମାନେ ତୁମ୍ବି ତୋଫାନି କରି ପରିସ୍ଥିତି ଗରମ କରୁଥିବା ବେଳେ ସହର ରାସ୍ତାଘାଟ, ନାଳନର୍ଦ୍ଦମା ଅବସ୍ଥା ଶୋଚନୀୟ ହୋଇପଡ଼ିଛି ।















