No Result
View All Result
ହ୍ୟାଣ୍ଡଲୁମ୍ ଓ୍ୱାକଥନରେ ସାମିଲ ହେବେ 5 ଶହରୁ ଅଧିକ ମହିଳା
୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ମାର୍ଚ୍ଚ 8 ତାରିଖ ଦିନ ପାଳିତ ହେବ ଅନ୍ତର୍ଜାତୀୟ ମହିଳା ଦିବସ ‘ସଂପୂର୍ଣ୍ଣା’ । ଏହି ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଆଜି ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା ଓ କର୍ପୋରେଟର ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଏହି ବୈଠକରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ 8 ତାରିଖ ସକାଳ ସାଢେ 6ଟାରେ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ବିଏମ୍ ସି ମୁଖ୍ୟାଳୟ ପର୍ଯ୍ୟନ୍ତ ଏକ ହ୍ୟାଣ୍ଡଲୁମ୍ ଓ୍ୱାକଥନ କରାଯିବ । ଏଥିରେ 5 ଶହରୁ ଅଧିକ ମହିଳା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମହିଳାମାନେ ସମସ୍ତେ ହସ୍ତତନ୍ତ ଶାଢୀ ପରିଧାନ କରି ଏହି ଓ୍ୱାକଥନରେ ସାମିଲ ହେବେ । ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ପ୍ରଚାର ପ୍ରସାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ହ୍ୟାଣ୍ଡଲୁମ୍ ଓ୍ୱାକଥନକୁ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ।
ଏହି ଓ୍ୱାକଥନରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ସାନ୍ଧ୍ୟ ଅଧିବେଶନରେ ସମ୍ମାନିତ କରାଯିବ । ସେହିପରି ଉତ୍କଳ ମଣ୍ଡପଠାରେ ସଂଧ୍ୟା ସାଢେ 5ଟାରେ ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହେବ । ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଓଡିଶାର ଖ୍ୟାତନାମା କଣ୍ଠଶିଳ୍ପୀ ଓ ନୃତ୍ୟଗୁରୁମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିବେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହିଳାମାନଙ୍କୁ ସମ୍ମାନୀତ କରାଯିବ ।
ଏଥିରେ ବହୁ ଲବ୍ଧ ପ୍ରତିଷ୍ଠିତ କଳାକାର, ସାହିତ୍ୟିକ, ପୁଲିସ କର୍ମଚାରୀ, ସଙ୍ଗୀତଜ୍ଞ, ସାମାଜିକ କର୍ମୀ ଆଦି ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ବିଏମ୍ ସି ସହିତ ରାଜ୍ୟ ହସ୍ତତନ୍ତ ବିଭାଗ, ସମବାୟ ବିଭାଗ ମଧ୍ୟ ସାମିଲ ହେଉଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ସାମିଲ ହେବା ପାଇଁ ମାନନୀୟା ମେୟର ଅନୁରୋଧ କରିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ।

No Result
View All Result