୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବୌଦ୍ଧ :- ରାୟଗଡା ଏବଂ ଫୁଲବାଣୀ ଜିଲ୍ଲା ପୋଲିସ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ମୋଟ 3327 କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଉଥିବା ବାଇକ ଏବଂ ପିକ ଅପ୍ ଭ୍ୟାନକୁ ମଧ୍ୟ ପୋଲିସ ଜବତ କରିଛି । ରାୟଗଡା ଜିଲ୍ଲା ଗୁଣୁପୁର ଥାନା, ବୌଦ୍ଧ ଜିଲ୍ଲାରେ ଗୋଛପଡା ଏବଂ ବୌଦ୍ଧ ଥାନାରେ ଦୁଇଟି ମାମଲା ଏବଂ ଅନ୍ୟଟି ଫୁଲବାଣୀ ସଦର ଥାନାରେ ପଞ୍ଜିକୃତ ହୋଇଛି ।
ବୌଦ୍ଧ ଥାନା ଅଧୀନ ନେନ୍ଦନ ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଅଭିଯୁକ୍ତମାନେ ଏକ ପିକ ଅପ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମ୍ପର୍କରେ ଖବର ପାଇ ପୋଲିସ ଯାଞ୍ଚ କରିଥିଲା। ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ 1325 କେଜି ଗଞ୍ଜେଇ ଓ ପିକ ଅପ ଭ୍ୟାନକୁ ପୋଲିସ ଜବତ କରିଛି ।

ସେହିପରି ଅନ୍ୟ ଏକ ମାମଲା ବୌଦ୍ଧ ଜିଲ୍ଲା ଗୋଛପଡା ଥାନାରେ ପଞ୍ଜିକୃତ ହୋଇଛି। କାଟ୍ରେଙ୍ଗିଆ ଗ୍ରାମ ପଂଚାୟତ ପାଦେବି ଗାଁ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ 1020 କେଜି ଗଞ୍ଜେଇ ସହ ଏକ ମହିନ୍ଦ୍ରା ବୋଲେରୋ ଗାଡ଼ି ଜବତ କରିଛି।
ସେହିପରି ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଆରଏମସି ଚେକ ପୋଷ୍ଟ ନିକଟରେ ପୋଲିସ ଗାଡି ଯାଞ୍ଚ କରୁଥିବା ବେଳେ ଜୟନ୍ତ ବେହେରା ନାମକ ଜଣେ ଅଭିଯୁକ୍ତଙ୍କ ନିକଟରୁ 630 କେଜି ଗଂଜେଇ ଜବତ କରାଯାଇଛି। ଏହା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ସେହିପରି ଅନ୍ୟ ଏକ ମାମଲା ଫୁଲବାଣୀ ସଦର ଥାନାରେ ପଞ୍ଜିକରଣ ହୋଇଛି। ତୁଡ଼ିପାଦୁ ଗ୍ରାମ ପଂଚାୟତ କାତ୍ରିମ୍ବା ଘାଟି ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସଂକ୍ରାନ୍ତରେ ସୂଚନା ପାଇ ପୋଲିସ ଚଢାଉ କରିଥିଲା। ଘଟଣାସ୍ଥଳରୁ ପୋଲିସ ଭକ୍ତି ବେହେରା, ବିନୋଦ ବେହେରା ଏବଂ ସାରଳା ବେହେରା ନାମକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ 14 ଟି ପଲିଥିନ ବ୍ୟାଗରେ ଭର୍ତ୍ତି ହୋଇଥିବା 352.8 କେଜି ଗଞ୍ଜେଇ ଜବତ କରିଛି ।















