୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲୁଗାଁ :- ମା କାଳିଜାଇ ଦର୍ଶନରେ ଆସିଥିବା ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଓ ଅଳଙ୍କାର ଲୁଟ ଅଭିଯୋଗରେ ବାଲୁଗାଁ ପୋଲିସ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେମାନେ ହେଲେ ସ୍ଥାନୀୟ ଅଞ୍ଚଳର ଶଙ୍କର ପଲେଇ ଓ ବିଘ୍ନେଶ୍ୱର ପଲେଇ l ପୋଲିସ ଏ ନେଇ ୨୭/୨୫ ରେ ଏକ ମାମଲା ରୁଜୁ କରି ଶନିବାର ଅଭିଯୁକ୍ତଦ୍ବୟଙ୍କୁ କୋର୍ଟ ଚାଲାଣ କରିଛି l
ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଜରିପଡା ଅଞ୍ଚଳରେ ୧୫ଜଣ ପୁରୁଷ ଓ ମହିଳା ସପରିବାର ଗତ ଗୁରୁବାର ନିଜସ୍ୱ ଡଙ୍ଗାରେ ଚିଲିକା ହ୍ରଦରେ ମା କାଳିଜାଇ ଦର୍ଶନ ନିମନ୍ତେ ଆସିଥିଲେ l ତେବେ ଫେରିବା ବେଳେ ସନ୍ଧ୍ୟା ହୋଇଯିବାରୁ ବାଲୁଗାଁ ଚିଲିକା କୁଳ ଜେଟି ଠାରେ ଡ଼ଙ୍ଗା ରଖି ରାତ୍ରି ଯାପନ କରିଥିଲେ l ସକାଳୁ ଉଠି ଦେଖିବା ବେଳକୁ କିଛି ବ୍ୟକ୍ତିଙ୍କ ମନି ପର୍ସ ଏବଂ ଜଣେ ମହିଳାଙ୍କ ବେକରୁ ସୁନା ହାର ଚୋରି ଯାଇଥିବା ଜଣାପଡିଥିଲା l














