୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ବାଲିପାଟଣା ଅନ୍ତର୍ଗତ ଦୁର୍ଗାମାଧବ କଲ୍ୟାଣ ମଣ୍ଡପ ଠାରେ ଆଜି ଅପରାହ୍ନରେ ଏ ମାଟିର ବରପୁତ୍ର ଶିଶୁ ସାହିତ୍ୟିକ ଏକାଡେମୀ ପୁରସ୍କାର ପ୍ରାପ୍ତ ସ୍ବର୍ଗତ ଅନନ୍ତ ଚରଣ ପଟ୍ଟନାୟକଙ୍କ ଏକ ସ୍ମୃତିସଭା ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ ହୋଇଯାଇଛି। ପ୍ରାଚୀ ଧାରା ସହଯୋଗରେ ଓ କବି ଫନୀ ମହାନ୍ତିଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଓ ଲେଖକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଅତିଥି,ଅଧ୍ୟାପକ ଭବାନୀ ଶଙ୍କର ଦାଶ ମୁଖ୍ୟ ବକ୍ତା,

ପ୍ରାଚିଧାରା ର ସମ୍ପାଦକ ଭଗବାନ ସାହୁ,ସାହିତ୍ୟ ଏକାଡେମି ପକ୍ଷରୁ ଚିନ୍ମୟ ସାହୁ,ଇଞ୍ଜିନିୟର କାମିନୀ କାନ୍ତ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ପ୍ରାରମ୍ଭରେ କବି ଅଭିମନ୍ୟୁ ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଏ ଅଞ୍ଚଳର ଜଣେ ପ୍ରତିଷ୍ଠିତ ପ୍ରଶାସକ ତଥା ଇଞ୍ଜିନିୟର ସରୋଜ କୁମାର ମହାପାତ୍ରଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଜୟଦେବ ମାଟି ଏକ ପ୍ରତିଭା ପରିପୂର୍ଣ୍ଣ ଅଞ୍ଚଳ।ଏହାର ପ୍ରତି ଧୂଳିକଣା ପବିତ୍ର। ଅନନ୍ତ ପଟ୍ଟନାୟକ ପରି ଜଣେ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ଓଡ଼ିଶାରେ ଯଥାର୍ଥ ସମ୍ମାନ ଦେବାକୁ ପ୍ରୟାସ ହେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଶ୍ରୀ ଶତପଥୀ କହିଥିଲେ। ମୁଖ୍ୟ ବକ୍ତା ଶ୍ରୀ ଦାସ ତାଙ୍କର ସାହିତ୍ୟ କୃତିର ସମୀକ୍ଷା କରିଥିଲେ। ଲେଖକ ଶରତ ଦାସ ନିଜର ଅନଭୂତି ବର୍ଣ୍ଣନା ଓ କବି ବିପିନ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।














