No Result
View All Result
0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଫୁଲବାଣୀ ସର୍କିଟ ହାଉସ ପରିସରରେ ଘଟିଥିବା ବାଇକ ପୋଡି ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ଟାଉନ ପୁଲିସ। ଅଭିଯୁକ୍ତ ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ଡାମିଗାଁର ସୁଜିତ ବେହେରା। ସେ ସ୍ଥାନୀୟ ବନ ବିଭାଗ ଅଧିନରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ଜଣାପଡିଛି । ସେ ପୂର୍ବ ଶତ୍ରୁତା କାରଣରୁ ଏଭଳି କାଣ୍ଡ ଘଟାଇ ଥିବା ଆଜି ସ୍ଥାନୀୟ ଟାଉନ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସ୍ନେହାଶୀଷ ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ସୁଜିତଙ୍କ ମା ପୂର୍ବରୁ ଫୁଲବାଣୀ ସର୍କିଟ ହାଉସରେ କାମ କରୁଥିଲେ ।
ତାଙ୍କୁ କୌଣସି କାରଣରୁ ସେଠାରୁ ବାହାର କରି ଦିଆ ଯାଇଥିଲା। ଏହାକୁ ନେଇ ମନରେ ରାଗ ରଖିଥିଲେ ସୁଜିତ। ୨୬ ତାରିଖ ରାତିରେ ସେ ସର୍କିଟ ହାଉସ ପରିସରରେ ଥିବା ଜଣେ କର୍ମଚାରୀଙ୍କ ସ୍କୁଟିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ସ୍କୁଟି ସମେତ ପାଖରେ ଥିବା ଅନ୍ୟ ଏକ ବାଇକ ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ନିକଟରେ ଥିବା ଫୁଲବାଣୀ ବିଧାୟକ ଉମାଚରଣ ମଲିକଙ୍କ କାର ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହୋଇଥିଲା ।
ଘଟଣାକୁ ଗୁରୁତ୍ବର ସହ ନେଇ ଆରକ୍ଷୀ ଅଧୀକ୍ଷକ ହରିଶ ବି ସିଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସଡିପିଓ ସୁବ୍ରତ ବେହେରା ଓ ଟାଉନ ଥାନା ଅଧିକାରୀ କନକ କୁମାର ମାଝୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା । ଆଜି ଅଭିଯୁକ୍ତ ସୁଜିତକୁ ଫୁଲବାଣୀ ସହର ନିକଟରୁ ଗିରଫ କରାଯାଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତ ବିରୋଧରେ ପୂର୍ବରୁ ମଧ୍ୟ ପାଞ୍ଚଟି ଅପରାଧିକ ମାମଲା ରହିଥିବା କୁହାଯାଇଛି । ଏଥିସହ ଡିସେମ୍ବର ୨୭ ତାରିଖ ରାତିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ଅନ୍ୟ ଏକ ବାଇକ ପୋଡି ଘଟଣାର ଅଭିଯୁକ୍ତକୁ ମଧ୍ୟ ଠାବ କରିବାରେ ପୁଲିସ ସଫଳ ହୋଇଛି ଏବଂ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

No Result
View All Result