No Result
View All Result
୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଶିକ୍ଷା ଦ୍ୱାରା କେବଳ ଡ଼ିଗ୍ରୀ କିମ୍ବା ସାର୍ଟିଫିକେଟ୍ ହାସଲ ହୁଏ ନାହିଁ ବରଂ ଶିକ୍ଷା ଜ୍ଞାନର ପରିସରକୁ ବଢ଼ାଇଥାଏ ଓ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ବିଶେଷ ଭାବେ ପ୍ରଭାବିତ କରିବା ସହ ଏହାର ବିକାଶ ମଧ୍ୟ କରିଥାଏ ବୋଲି ବିଦାୟୀ ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ (କିସ୍)ରେ ଝାଡ଼ଖଣ୍ଡ ରାଜ୍ୟରୁ ଆସି ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଭେଟିବା ସହିତ ଉଦ୍ବୋଧନ ଦେବା ଅବସରରେ ରାଜ୍ୟପାଳ ଜୀବନରେ ସମ୍ମୁଖୀନ ହେଉଥିବା ସଂଘର୍ଷ ବ୍ୟକ୍ତିକୁ ଦୃଢ଼ମନା କରିଥାଏ ବୋଲି କହିଥିଲେ ।
ପ୍ରତିଟି ସଂଘର୍ଷ ଏବଂ ଆହ୍ୱାନ କିଛିଟା ଶିକ୍ଷା ଦେଇଥାଏ ଓ ଏହା ଜୀବନର ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବାକୁ ଶକ୍ତି ପ୍ରଦାନ କରିଥାଏ ବୋଲି ସେ ପ୍ରକାଶ କରିଥିଲେ । ‘କିସ୍’ ଅନୁଷ୍ଠାନ ଜନଜାତି ସଂପ୍ରଦାୟର ପିଲାମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଯଥେଷ୍ଟ ଆଗ୍ରହ ସହିତ ଉତ୍ସାହ ଆଣିପାରିଛି ଓ ସେମାନଙ୍କ ବିଭିନ୍ନ କ୍ଷେତ୍ରରେ ହାସଲ କରୁଥିବା ସଫଳତା ବାସ୍ତବିକ୍ ପ୍ରଶଂସନୀୟ ବୋଲି ରାଜ୍ୟପାଳ କହିଥିଲେ ଓ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କ ଦିଗ୍ଦର୍ଶନ, ପ୍ରେରଣା ଏବଂ ଦୂରଦୃଷ୍ଟି ପ୍ରକୃତ କ୍ଷେତ୍ରରେ ଅନେକଙ୍କ ଜୀବନକୁ ଶିକ୍ଷାର ଆଲୋକ ଦ୍ୱାରା ଆଲୋକିତ କରିପାରିଛି ବୋଲି କହିଥିଲେ । ଶିକ୍ଷା ସୁନାଗରିକ ଗଢ଼ିବା ସହିତ ଜୀବନକୁ ସୁଖମୟ କରିଥାଏ ଓ ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସଂପର୍କରେ ସଚେତନ ମଧ୍ୟ କରାଇଥାଏ ବୋଲି ରାଜ୍ୟପାଳ କହିଥିଲେ ।
ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ ସେମାନଙ୍କୁ ନିଜ ନିଜ ଅଂଚଳକୁ ଯିବା ସମୟରେ ସେଠାରେ ଶିକ୍ଷାର ବାତାବରଣ ସୃଷ୍ଟି କରି ପାଠପଢ଼ାରୁ ବଂଚିତ ଅନ୍ୟମାନଙ୍କୁ ଶିକ୍ଷାପ୍ରତି ଆଗ୍ରହୀ କରିବା ପାଇଁ କାର୍ଯ୍ୟ କରିବାକୁ ସେମାନଙ୍କଠାରୁ ଆଶା ରଖିଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘କିଟ୍’ ଓ ‘କିସ୍’ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ଶିକ୍ଷାବିତ୍ ଡ଼କ୍ଟର ଅଚ୍ୟୁତ ସାମନ୍ତ ରାଜ୍ୟପାଳଙ୍କ ସଂଘର୍ଷମୟ ଜୀବନ ଏବଂ ସଂଘର୍ଷ ମଧ୍ୟରେ ସଫଳତା ହାସଲ ତାଙ୍କ ଦୃଢ଼ ଇଚ୍ଛାଶକ୍ତିର ପରିଚୟ ଦିଏ ଓ ତାଙ୍କ ଜୀବନରୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରିବା ସହିତ ପ୍ରେରଣା ସଂଗ୍ରହ କରିବେ ବୋଲି ଆଶା ପ୍ରକାଶ କରିଥିଲେ ।
ରାଜ୍ୟପାଳଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଭେଟିବା ତାଙ୍କର ମହାନୁଭବତା ଓ ଭଲପାଇବାର ପରିଚୟ ଦିଏ ବୋଲି ସେ କହିଥିଲେ । ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ସନ୍ତୋଷ କୁମାର ଶତପଥି ଓ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଏନବିଏସ ରାଜପୁତ ନିଜ ଉଦ୍ବୋଧନରେ ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନ ସମୟର ଆବଶ୍ୟକତା ଓ ଆହ୍ୱାନକୁ ଲକ୍ଷ୍ୟ କରି ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ । ‘କିସ୍’ ଅନୁଷ୍ଠାନର ଚାରିଜଣ ଛାତ୍ରଛାତ୍ରୀ ରାଜ୍ୟପାଳଙ୍କ ସମ୍ମୁଖରେ ସେମାନଙ୍କର ଅନୁଭୂତି ଏବଂ ସ୍ୱପ୍ନ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ‘କିସ୍’ ଅନୁଷ୍ଠାନରେ ଅଧ୍ୟୟନ କରୁଥିବା ଝାଡ଼ଖଣ୍ଡ ରାଜ୍ୟର ପ୍ରାୟ ଏକ ହଜାର ଛାତ୍ରଛାତ୍ରୀ ସେମାନଙ୍କ ସହିତ ଅନୁଷ୍ଠାନର ଶିକ୍ଷକ-ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।
No Result
View All Result