No Result
View All Result
୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗଣମାଧ୍ୟମ ବା ସମ୍ବାଦପତ୍ର ହେଉଛି ସମାଜର ଦର୍ପଣ ସଦୃଶ । ଏଥିରେ ସାଧାରଣ ଲୋକଙ୍କ ବାସ୍ତବ ସମସ୍ୟା, ଅଭାବ ଓ ଅସୁବିଧା ସମ୍ପର୍କିତ ଖବରକୁ ପ୍ରାଥମିକତା ଦିଆଯିବା ଜରୁରୀ । ସେ ଦୃଷ୍ଟିରୁ ସମ୍ବାଦପତ୍ର ଓ ସାମ୍ବାଦିକମାନେ ଏଥିପ୍ରତି ଯତ୍ନଶୀଳ ହୋଇ ନିର୍ଭୀକ ଭାବେ ସତ୍ୟ, ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଉପରେ ବହୁ ବିଶିଷ୍ଟ ଅତିଥି ମତବ୍ୟକ୍ତ କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଦୈନିକ ଇଂରାଜୀ ସମ୍ବାଦପତ୍ର ‘ଓରିଶା ଟୁଡ଼େ’ର ବିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ. ଅରବିନ୍ଦ ଢାଲୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ କୁମରବର ଦାସ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବଡ଼ମ୍ବା-ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା, ବିଜେପି ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ ।‘ଓରିଶା ଟୁଡ଼େ’ର ସମ୍ପାଦକ ଅବିନାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଅତିଥି ଓ ବକ୍ତାମାନେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କର ବର୍ତ୍ତମାନ ସମାଜ ପ୍ରତି ରହିଥିବା ଗୁରୁଦାୟିତ୍ୱ ବାବଦରେ ଆଲୋକପାତ କରିଥିଲେ
ଏବଂ ଦୀର୍ଘ ୨୦ ବର୍ଷ ଧରି ‘ଓରିଶା ଟୁଡ଼େ’ ରାଜ୍ୟର ବିଭିନ୍ନ ସମସ୍ୟାକୁ ଗୁରୁତ୍ୱ ଦେଇ ଆସିଥିବାରୁ ଏହାର ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ‘ଓରିଶା ଟୁଡ଼େ’ର ସ୍ୱତନ୍ତ୍ର ସଂଖ୍ୟା ଏବଂ ଡିଜିଟାଲ ସଂସ୍କରଣ (ଓଟି ଲାଇଭ)କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ କୃତି ସାଧକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ବିଜୟଲକ୍ଷ୍ମୀ ଶତପଥୀଙ୍କ ଲିଖିତ ପୁସ୍ତକ ‘ପୂର୍ଣ୍ଣାହୂତି’କୁ ମଧ୍ୟ ଅତିଥିମାନେ ଲୋକାର୍ପଣ କରିଥିଲେ । ଉତ୍ସବ ଶେଷରେ ଧୃତିଧର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମ୍ବାଦିକ ହର ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । 
No Result
View All Result