No Result
View All Result
୦୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଗାମୀ ୨୦୨୫ ଜାନୁଆରୀ ୮ରୁ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ। ଏହି ଦିବସକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ପ୍ରସ୍ତୁତି ସଂପର୍କରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୋଲିସ ବିଭାଗର ପ୍ରସ୍ତୁତି ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା।
ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ,ଅତିଥି, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀ ମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷ ଯୋଗ ଦେବେ।ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରିବାକୁ ଡିଜିପି ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ଭିଭିଆଇପିଙ୍କ ନିମନ୍ତେ ସୁରକ୍ଷା ବ୍ୟବସ୍ଥା,ଜନତା ମଇଦାନ ଠାରେ କାର୍ଯ୍ୟକ୍ରମ ସ୍ଥଳରେ ଭି.ଭି.ଆଇ.ପି, ଅତିଥି,ପ୍ରବାସୀ ଭାରତୀୟ,ସ୍ଥାନୀୟ ଦର୍ଶକ ମାନଙ୍କ ବସିବା ବ୍ୟବସ୍ଥା,ଯାନ,ବାହାନ ପାର୍କିଂ ସ୍ଥଳ,ଉତ୍ସବ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ।
ଏହି ପରିପ୍ରେକ୍ଷୀରେ ବିଭିନ୍ନ ହୋଟେଲରେ ଅତିଥିଙ୍କ ସୁରକ୍ଷିତ ରହଣି ପାଇଁ ସମସ୍ତ ପଦକ୍ଷେପ ନେବାକୁ ଡିଜିପି ନିର୍ଦେଶ ଦେଇଛନ୍ତି।ଏହା ସହ ପ୍ରବାସୀ ଭାରତୀୟ ମାନେ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ ପାଇଁ ଯିବାକୁ ଥିବାରୁ ଭୁବନେଶ୍ୱର,କଟକ ଓ ପୁରୀ ଆଦିରେ ସୁରକ୍ଷା ବ୍ୟବସ୍ଥା ବଢାଇବା ସଂକ୍ରାନ୍ତରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ଏହା ସହ ରାଜଧାନୀ ଭୁବନେଶ୍ୱର ସମେତ କଟକ,ପୁରୀ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଥିବା ହୋଟେଲ ଗୁଡିକର କଡାକଡ଼ି ଯାଞ୍ଚ କରିବାକୁ ମଧ୍ୟ ଡିଜିପି ନିର୍ଦେଶ ଦେଇଛନ୍ତି। ନିୟମିତ ବ୍ୟବଧାନରେ ହୋଟେଲ ଗୁଡିକର ଯାଞ୍ଚ,ଅତିଥିଙ୍କ ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ସମସ୍ତ ତଥ୍ୟ ପୋଲିସ ନିକଟରେ ରହିବା ଆବଶ୍ୟକ ଏବଂ ଏହାର ସଠିକ ତଦାରଖ କରିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।
ଏହା ସହ ସହର ଗୁଡିକରେ ସିସିଟିଭି ବ୍ୟବସ୍ଥାର ସୁପରିଚାଳନା, ଟ୍ରାଫିକ ବନ୍ଦୋବସ୍ତକୁ ଶୃଙ୍ଖଳିତ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ (ଗୁଇନ୍ଦା) ନିର୍ଦ୍ଦେଶକ, ଶ୍ରୀ ଆର.ପି.କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ)ଶ୍ରୀ ଏସ.କେ.ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇ ନ ଓ ଶୃଙ୍ଖଳା)ଶ୍ରୀ ସଞ୍ଜୟ କୁମାର, ପୋଲିସ କମିଶନର (କଟକ-ଭୁବନେଶ୍ବର) ଶ୍ରୀ ଏସ. ଦେବଦତ୍ତ ସିଂ,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ)ଶ୍ରୀ ଦୟାଲ ଗଙ୍ଗୱାର, ଅତିରିକ୍ତ ପୋଲିସ କମିଶନର (କଟକ-ଭୁବନେଶ୍ବର) ଡ଼.ଉମାଶଙ୍କର ଦାଶ, ଡି.ଆଇ.ଜି (କେନ୍ଦ୍ରାଞ୍ଚଳ)ଶ୍ରୀ ଚରଣ ସିଂ ମିନା, ଡିସିପି(ଭୁବନେଶ୍ବର) ଶ୍ରୀ ପିନାକ ମିଶ୍ର, ଏସ.ପି (ରାଜ୍ୟ ମୁଖ୍ୟାଳୟ)ଶ୍ରୀ ବାତୁଳା ଗଙ୍ଗାଧର, ଡିସିପି (କଟକ) ଜଗମୋହନ ମିନା ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result