୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ମହୋତ୍ସବ ଅବସରରେ ଦଶହରା ଓ କୁମାରପୂର୍ଣ୍ଣିମାରେ ବାଙ୍କୀ ସହରରେ ୩୨ଗୋଟି ମେଢ଼ ନିର୍ମାଣ କରାଯାଇଥିଲା । ବିଶେଷ ଭାବରେ ଟାଉନରେ ନିର୍ମିତ ମେଢ଼ ମହାସପ୍ତମୀ ଠାରୁ ମହାଦେବ ପୂଜା କମିଟି ଓ ମେନ୍ରୋଡ୍ ପୂଜା କମିଟି ପକ୍ଷରୁ ମେଢ଼ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ମହୋତ୍ସବ ଶେଷ ହେବା ପରେ ଆଜି ବାଙ୍କୀ ବଜାର ପୂଜା କମିଟି ମହାସଂଘ ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର ଓ ସଂପାଦକ ଶ୍ରୀନିବାସ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ ୩୨ଗୋଟି ପୂଜା ମେଢ଼କୁ ଆଜି ଏକ ବିରାଟ ଶୋଭାଯାତ୍ରାରେ ଟାଉନ୍ ପରିକ୍ରମା କରାଯାଇ ମହୋତ୍ସବ ପଡିଆ ଦେଇ ଏନ୍.ଏ.ସି ଅନ୍ତର୍ଗତ ଅବ୍ୟବହୃତ ଖମାରଙ୍ଗ ଉଆଉ ପୋଖରୀ ଠାରେ ବିସର୍ଜନ କରାଯାଇଥିଲା ।
ବାଙ୍କୀ ଥାନା ଅଧିକାରୀ ଶିବଚରଣ ବେହେରା ପୋଲିସ୍ ଫୋର୍ସ ସହ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ସହିତ ମେଢ଼ ଗୁଡିକ ବିସର୍ଜନ କରାଇଥିଲେ । ଏହି ଅବସରରେ ଆଜି ବାଙ୍କୀ ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା । ଏହି ମେଢ଼ ଗୁଡିକ ମହୋତ୍ସବ କାର୍ଯ୍ୟଗୁଡିକୁ ସରସ ସୁନ୍ଦର କରିଥିବାରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ମହୋତ୍ସବ କର୍ମକର୍ତ୍ତାମାନେ ବାଙ୍କୀର ପ୍ରଶାସନ ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।
© 2023 Odisha Taza News.