• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ -୨୦୨୪ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦବୋଧନ

Proprietor Abhimanyu Maharana by Proprietor Abhimanyu Maharana
August 15, 2024
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍
0
ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ -୨୦୨୪ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦବୋଧନ
Share on FacebookShare on TwitterWhatsapp

୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ଆଜି, ଭାରତ ବର୍ଷର ପବିତ୍ର ୭୮ତମ ସ୍ୱାଧୀନତା ଦିବସ ଅବସରରେ ଦେଶ ଓ ରାଜ୍ୟ ତଥା ସାରା ବିଶ୍ବରେ ରହୁଥିବା ପ୍ରତ୍ୟେକ ଭାରତବାସୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବୀର୍ ସବରକର୍, ସହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡଃ ବି.ଆର. ଆମ୍ବେଦକର ଓ ଡଃ ରାଜେନ୍ଦ୍ର ପ୍ରସାଦଙ୍କ ପରି ମହାନ୍ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସ୍ୱାଧୀନତା ଆନ୍ଦୋଳନରେ ଓଡିଶାର ନେତୃବୃନ୍ଦ ତ୍ୟାଗ ଓ ସଂଗ୍ରାମର ପରାକାଷ୍ଠା ଦେଖାଇ ଓଡିଶାକୁ ଜାତୀୟ ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରିଥିଲେ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ, ଚକରା ବିଶୋଇ, ରେଣ୍ଡୋ ମାଝୀ, ମା’ ରମାଦେବୀ, ମା’ ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ମା’ ପାର୍ବତୀ ଗିରିଙ୍କ ପରି ମହାନୁଭବଙ୍କ ଅସୀମ ବଳିଦାନକୁ ମନେ ପକାଇ ସେମାନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଓଡିଶାର ପାଇକ ବିଦ୍ରୋହ ଥିଲା ଦେଶର ଇତିହାସର ଏକ ଅନନ୍ୟ ଅଧ୍ୟାୟ। ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ଓଡିଶାରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହା ଆମ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ପରି ମହାନ ଦେଶପ୍ରେମୀ ଓ ବୀର ଯୋଦ୍ଧାଙ୍କ ପ୍ରତି ମୋର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ପ୍ରତିରକ୍ଷା ବାହିନୀର ବୀର ସୈନିକ ଓ ସୁରକ୍ଷା ବାହିନୀର ଅମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଭାରତର ସ୍ଵାଧୀନତା ସଂଗ୍ରାମ ସାରା ବିଶ୍ଵ ଇତିହାସରେ ଏକ ଅନନ୍ୟ ଅଧ୍ୟାୟ। ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଓ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ସଂଗ୍ରାମର ଆହ୍ବାନ, ଇଂରେଜ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲା। ସେ ସଂଗ୍ରାମ, ତ୍ୟାଗ ଓ ବଳିଦାନ ସ୍ୱରୂପ ଆଜି ଆମେ ଏକ ସ୍ଵାଧୀନ ଦେଶର ନାଗରିକ ଭାବରେ ବିଶ୍ଵ ଦରବାରରେ ପ୍ରତିଷ୍ଠା ଲାଭ କରିଛୁ। ଆଜିର ଦିବସ ହେଉଛି, ଆମର ମହାନ୍ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଜୀବନରୁ ଅନୁପ୍ରେରଣା ନେଇ ଦେଶର ପ୍ରଗତି ପାଇଁ ନିଜକୁ ପୁନଃ-ପ୍ରତିବଦ୍ଧ କରିବାର ଦିନ।

ଏହା ଭିତରେ ୭୭ ବର୍ଷ ବିତିଗଲାଣି। ଦେଶ ଏବେ ଅମୃତ କାଳ ଦେଇ ଗତି କରୁଛି। ଏହି ଅମୃତ କାଳ ମଧ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ, ଭାରତ ଏବେ ବିଶ୍ଵର ସବୁଠାରୁ ଦୃତ ଅଭିବୃଦ୍ଧି ସମ୍ପନ୍ନ ଦେଶ ଭାବରେ ସମଗ୍ର ବିଶ୍ଵରେ ପ୍ରତିଷ୍ଠା ହାସଲ କରି ଚାଲିଛି। ଦେଶର ଅର୍ଥନୀତି ଆଜି ପ୍ରାୟ ଚାରି ଟ୍ରିଲିୟନ ଡଲାରରେ ପହଞ୍ଚି ସାରିଲାଣି। ମୋଦୀଜୀଙ୍କ ନେତୃତ୍ୱରେ ଭାରତ ଆଉ ଅଳ୍ପ କିଛି ବର୍ଷ ମଧ୍ୟରେ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବ। ମାତ୍ର ଦଶ ବର୍ଷ ଭିତରେ ଭାରତବର୍ଷ ବିଶ୍ଵ ଅର୍ଥନୀତିରେ ଏକାଦଶ ସ୍ଥାନରୁ ଆସି, ଆଜି ବିଶ୍ଵର ପଞ୍ଚମ ବୃହତ୍ ଅର୍ଥନୀତିରେ ପହଞ୍ଚି ପାରିଛି।

ଖୁବ୍ ଶୀଘ୍ର ବିଶ୍ଵର ଶ୍ରେଷ୍ଠ ତିନିଟି ଅର୍ଥନୀତି ମଧ୍ୟରେ ଆମେ ସ୍ଥାନ ହାସଲ କରିବୁ। ଆତଙ୍କବାଦ ଦମନ ଓ ନକ୍ସଲ ଦମନ କ୍ଷେତ୍ରରେ ମଧ୍ୟ ଆମେ ଉଚ୍ଚ ସଫଳତା ହାସଲ କରିଛୁ। ସାରା ବିଶ୍ଵ ଆଜି ବିଭିନ୍ନ କ୍ଷେତ୍ରରେ ଭାରତର ନେତୃତ୍ବ ଆଶା କରୁଛି ଓ ତାର ନେତୃତ୍ବକୁ ସମ୍ମାନ ମଧ୍ୟ ଦେଉଛି। ଭାରତର ସ୍ୱାଧୀନତାର ଶତବାର୍ଷିକୀ ଅବସରରେ, ୨୦୪୭ ମସିହା ସୁଦ୍ଧା ଆମେ ନିଶ୍ଚିତ ଭାବରେ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସ୍ଥାନ ପାଇବୁ ଏବଂ ଭାରତକୁ ବିଶ୍ୱଗୁରୁ ହେବାର ଲକ୍ଷ୍ୟ ନିଶ୍ଚୟ ପୂରଣ କରିବୁ। ଆଜିର ଦିନଟି ଆମ ଓଡ଼ିଶା ପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ଓଡ଼ିଶା ଆଜି ପରିବର୍ତ୍ତନର ପଥରେ ଯାତ୍ରା ଆରମ୍ଭ କରିଛି। ଓଡ଼ିଶାବାସୀ ପ୍ରଚାର ସର୍ବସ୍ୱ ବିକାଶର ରାସ୍ତାରୁ ବାହାରି ଆଜି କର୍ମ ସର୍ବସ୍ୱ ବିକାଶ ପାଇଁ ରାସ୍ତା ବାଛିଛନ୍ତି।

ଆତ୍ମା ବିହୀନ ଗତିକୁ ଅସ୍ବୀକାର କରି ଅସ୍ମିତାକୁ ସ୍ବୀକାର କରିଛନ୍ତି। ଓଡ଼ିଶାବାସୀ ସ୍ଵାଭିମାନୀ। ଇତିହାସ ଏହାର ସାକ୍ଷୀ ରହିଛି। ଏଇ ମାଟି ଦିନେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିବର୍ତ୍ତନ କରିଥିଲା। ଅଶୋକ, କଳିଙ୍ଗ ମାଟିର ଇତିହାସ ପରିବର୍ତ୍ତନ କରିବାକୁ ଆସିଥିଲେ। କିନ୍ତୁ ଆମେ ତାଙ୍କର ହୃଦୟ ପରିବର୍ତ୍ତନ କରିଦେଇଥିଲେ। ଏହାର ଅନେକ ବର୍ଷ ପରେ ସମ୍ରାଟ ଖାରବେଳ ମଗଧ ବିଜୟ କରି କଳିଙ୍ଗର ପରାକାଷ୍ଠା ଦେଖାଇ ଥିଲେ। ସମ୍ରାଟ କପିଳେନ୍ଦ୍ର ଦେବ ଗଙ୍ଗାଠାରୁ ଗୋଦାବରୀ ଜୟ କରି ବିରତ୍ଵ ଓ ସାହସିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ। ମନେ ପକାନ୍ତୁ ସେହି ସମୟକୁ, ଯେତେବେଳେ ବ୍ରିଟିଶ ଶାସନ ସମୟରେ ଓଡ଼ିଶା ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ପ୍ରଦେଶରେ ମିଶି ରହିଥିଲା।

ଓଡ଼ିଶାର ଆତ୍ମା ଭୁଲୁଣ୍ଠିତ ହୋଇଥିଲା। ଆଉ ସେତେବେଳେ ଆମର ଓଡ଼ିଆ ବରପୁତ୍ର ମାନେ, ଯଥା- ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଆହୁରି ଅନେକ ନେତୃବୃନ୍ଦଙ୍କ ସଂଗ୍ରାମ ଆମ ପାଇଁ ସ୍ଵତନ୍ତ୍ର ରାଜ୍ୟ ପ୍ରତିଷ୍ଠା କରିବାର ରାସ୍ତା ଫିଟାଇ ଥିଲା। କର୍ମବୀର ଗୌରୀଶଙ୍କର ରାୟ, ରାଧାନାଥ ରାୟ, ଫକୀର ମୋହନ ସେନାପତି ଓ ଗଙ୍ଗାଧର ମେହେରଙ୍କ ପରି ଲେଖକ, ସାହିତ୍ୟିକ ଓ କବି ମାନେ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରି ସ୍ଵତନ୍ତ୍ର ଓଡ଼ିଶା ଗଠନର ସଂଗ୍ରାମକୁ ଶକ୍ତି ଦେଇଥିଲେ। ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ କେବଳ ଓଡ଼ିଶା ପାଇଁ ନୁହେଁ, ସାରା ଦେଶକୁ ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ମଧ୍ୟ ରାସ୍ତା ଦେଖାଇ ଥିଲା। ଆମର ଇତିହାସ ଗୌରବମୟ। ଆମର ସଂସ୍କୃତି ଅତୁଳନୀୟ।

ଯେତେବେଳେ ବି ଓଡ଼ିଆ ଅସ୍ମିତା ଉପରେ କୁଠାରାଘାତ ହୋଇଛି, ସେତେବେଳେ ଏ ଜାତିରେ ନୂଆ ଜାଗରଣ ଆସିଛି। ଓଡ଼ିଆ ଜାତି ସଂଗ୍ରାମ କରି ନିଜ ଅସ୍ମିତାର ପୁନଃ ପ୍ରତିଷ୍ଠା କରିଛି। ଆଜି ଆମ ପାଇଁ ଆହ୍ୱାନ ଓ ଜାଗରଣର ଦିନ। ଓଡ଼ିଆ ଜାତି ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛି। ଓଡିଆ ଅସ୍ମିତା ଓ ସ୍ବାଭିମାନ ସହିତ ବିକାଶର ଶିଖର ଛୁଇଁବାକୁ ଶପଥ ନେଇଛି। ଏହି ନୂଆ ଯାତ୍ରାରେ ଆମକୁ ଯେଉଁ ଦାୟିତ୍ଵ ମିଳିଛି, ଆମେ ତାକୁ କାୟ, ମନ ଓ ବାକ୍ୟରେ ପାଳନ କରିବୁ। ମୁଁ, ମାଟିର ମଣିଷ। ଏ ମାଟି, ମୋର ମା’ । ମୁଁ, ଖାଣ୍ଟି ଓଡ଼ିଆ। ମୋ ମାଟିର ସ୍ବାର୍ଥ ପାଇଁ, ମୁଁ ଲଢେଇ କରିବା ଜାଣିଛି। ମୋ ମାଟିର ପୁଅ ଝିଅଙ୍କ ପାଇଁ କାମ କରିବା ଜାଣିଛି। ମୁଁ ବଡ଼ ବଡ଼ ସ୍ବପ୍ନ ଦେଖାଇବାରେ ବିଶ୍ବାସ କରେ ନାହିଁ ।

କିନ୍ତୁ ଯାହା ପ୍ରତିଶ୍ରୁତି ଦେବି, ତାକୁ ନିଶ୍ଚୟ ପାଳନ କରିବି। ଆପଣଙ୍କ ସରକାର ଆପଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ଗୋଟିଏ ଗୋଟିଏ କରି ପାଳନ କରି ଚାଲିଛନ୍ତି, ଆମର ପ୍ରତିଶୃତି ପଥରରେ ଅଙ୍କା ହୋଇଥିବା ଚିତ୍ର ପରି। ମହାପ୍ରଭୁଙ୍କ ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲିବା ଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଖୋଲିବା, ଓଡ଼ିଆ ଅସ୍ମିତା ପାଇଁ ପାଣ୍ଠି ସୃଷ୍ଟି କରିବା, ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ପ୍ରଶାସନକୁ ପ୍ରସ୍ତୁତ କରିବା ଆଦି ଅନେକ ପ୍ରତିଶୃତି ଆମେ ପ୍ରଥମ ୬୦ ଦିନରେ ପାଳନ କରିସାରିଛୁ। ଆମର କୃଷକ ଭାଇ ଭଉଣୀମାନଙ୍କ ଆର୍ଥିକ ଉନ୍ନତି ଓ ମହିଳାମାନଙ୍କ ସାମଗ୍ରିକ ବିକାଶ ଆମର ମୁଖ୍ୟ ସଂକଳ୍ପ।

ଶାସନର ୧୦୦ ଦିନ ମଧ୍ୟରେ ସେ ଦୁଇଟି ପ୍ରତିଶୃତି ପୂରଣ କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ବଜେଟରେ ଏଥିପାଇଁ ବିଧିବଦ୍ଧ ଭାବେ ଅର୍ଥ ବରାଦ କରାଯାଇଛି। ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ସାରା ଦେଶରେ ସର୍ବାଧିକ। ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ଅର୍ଥ ବରାଦ କରାଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମ ଦିବସ ଅବସରରେ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କ ଗରିମାମୟ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ କରାଯିବା ପାଇଁ କାର୍ଯ୍ୟକ୍ରମ ରଖାଯାଇଛି।

ଆମର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓଡ଼ିଶାର ଗ୍ରାମାଞ୍ଚଳର ଅର୍ଥନୀତିକୁ ଚଳଚଞ୍ଚଳ କରିବ ଏବଂ ଆମକୁ ବିକାଶ ପଥରେ ଆଗେଇ ନେବ। ଗ୍ରାମାଞ୍ଚଳର ଅର୍ଥନୀତି ସମୃଦ୍ଧ ହେଲେ ସାରା ଓଡିଶା ସମୃଦ୍ଧ ହେବ। କେବଳ କୃଷକ ଓ ମହିଳା ନୁହେଁ, ସମାଜର ସବୁ ବର୍ଗର ସାମଗ୍ରିକ ଉନ୍ନତି ଆମର ଲକ୍ଷ୍ୟ। ସେଥିପାଇଁ, ଆଦିବାସୀବହୁଳ ଜିଲ୍ଲା ମାନଙ୍କର ସାମୁହିକ ବିକାଶ ପାଇଁ PESA ଆଇନ ଲାଗୁ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ। ତୃଣମୂଳସ୍ତରରୁ ବିକାଶର ଇଞ୍ଜିନକୁ ଆଗେଇ ନେବାପାଇଁ ଗ୍ରାମସଭା ମାଧ୍ୟମରେ ବିଭିନ୍ନ ଯୋଜନା ପାଇଁ ପ୍ରସ୍ତାବ ଗ୍ରହଣ କରାଯିବ, ଯାହା ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବ ଏବଂ ଆଗାମୀ ଦିନରେ ବିକଶିତ ଓଡିଶା ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶ ପାଇଁ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ର ଗୁରୁ ମନ୍ତ୍ର ଦେଇଛନ୍ତି। ସେଇ ମନ୍ତ୍ରରେ ଦୀକ୍ଷିତ ହୋଇ, ସମସ୍ତଙ୍କୁ ସାମିଲ କରି, ଓଡିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶୃତିବଦ୍ଧ। ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ, ନିଯୁକ୍ତି, ଦକ୍ଷତା ବିକାଶ ଏବଂ ଗରୀବ ଲୋକଙ୍କ କଲ୍ୟାଣ- ଏ ସବୁ ଲକ୍ଷ୍ୟ ପୂରଣ ପାଇଁ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଖାଲି ପଡିଥିବା ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ତାହାସହିତ ଆଗାମୀ ୫ ବର୍ଷରେ ଓଡିଶାର ଯୁବକଯୁବତୀ ମାନଙ୍କ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ।

ରାଜ୍ୟରେ ସ୍ବାସ୍ଥ୍ୟସେବା ସମସ୍ତଙ୍କ ପାଖରେ ସହଜ ଭାବରେ ପହଞ୍ଚାଇବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ସହିତ ରାଜ୍ୟ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିଛନ୍ତି, ଯେଉଁଥିରେ କୌଣସି ଯୋଗ୍ୟ ବ୍ୟକ୍ତି ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେ ନାହିଁ । ଆମର ବିକାଶର ରାସ୍ତାରେ ଆମେ ୩ଟି ବଡ ମାଇଲଖୁଣ୍ଟ ଧାର୍ଯ୍ୟ କରିଛୁ। ୨୦୨୯, ୨୦୩୬ ଓ ୨୦୪୭। ମାନ୍ୟବର ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ବିକଶିତ ଭାରତର ବିସ୍ତୃତ ସ୍ୱରୂପ ମଧ୍ୟରେ ଆମକୁ ଓଡିଶାର ବିକାଶକୁ ଆଗେଇ ନେଇ ୨୦୩୬ ମଧ୍ୟରେ ଓଡିଶାର ଅର୍ଥନୀତିକୁ ସମୃଦ୍ଧ କରିବାକୁ ପଡିବ। ଆମର ଚିନ୍ତା ଓ ଚେତନାରେ କେବଳ ଗୋଟିଏ ଲକ୍ଷ୍ୟ ରହିଛି। ତାହା ହେଉଛି, ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ କରି ସାଢେ଼ ଚାରି କୋଟି ଓଡ଼ିଶାବାସୀଙ୍କ ପାଇଁ ଅମାପ ସୁଯୋଗ ସୃଷ୍ଟି କରିବା ।

ଏଥିପାଇଁ ଆମେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ‘ପୂର୍ବୋଦୟ’ ଉପରେ ଅନେକ ଗୁରୁତ୍ବାରୋପ କରି ଆସୁଛନ୍ତି। ଦେଶର ବିକାଶର ରେଳ ଗାଡ଼ିରେ ଓଡ଼ିଶା ପ୍ରଥମ ବଗି ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ତେଣୁ ବିକାଶର ଡବଲ ଇଞ୍ଜିନ ମଡେଲ ଯେ ଓଡ଼ିଶାର ଅଗ୍ରଗତିକୁ ତ୍ୱରାନ୍ୱିତ କରିବ, ଏଥିରେ ସନ୍ଦେହ ନାହିଁ। ଓଡ଼ିଶାକୁ ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆର ଦ୍ୱାରଦେଶ ରୂପେ ବିକଶିତ କରିବା ଆମର ଲକ୍ଷ୍ୟ। ସେଥିପାଇଁ ୪୮୦ କିଲୋମିଟର ସୁଦୀର୍ଘ ବେଳାଭୂମିର ସୁବିନିଯୋଗ କରି ବନ୍ଦର ଓ ବନ୍ଦର ଭିତ୍ତିକ ଶିଳ୍ପର ବିକାଶ ପାଇଁ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛୁ।

ଏଥିପାଇଁ ସଡ଼କ ପଥ, ରେଳପଥ, ଶିଳ୍ପାଞ୍ଚଳ, ବିଦ୍ୟୁତ୍ ଗ୍ରୀଡ ଆଦି ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ। ନିକଟରେ ରେଳ ମନ୍ତ୍ରାଳୟ, ଓଡ଼ିଶା ପାଇଁ ୬ଟି ଗୁରୁତ୍ଵପୂର୍ଣ୍ଣ ରେଳପଥ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। ଏହି ୬ ଗୋଟି ପ୍ରକଳ୍ପ ଦକ୍ଷିଣ ତଥା ଉତ୍ତର ଓଡିଶାର ଅନେକ ଆଦିବାସୀ ବହୁଳ ଜିଲ୍ଲାମାନଙ୍କୁ ରେଳପଥରେ ସଂଯୋଗ କରି, ବିକାଶ ପଥରେ ସାମିଲ ହେବାର ପଥ ଉନ୍ମୁକ୍ତ କରିବ। ଏହାସହିତ ଓଡିଶାରେ ନୂତନ ଜାତୀୟ ରାଜପଥର ନିର୍ମାଣ ତଥା ଉନ୍ନତିକରଣ ପାଇଁ ୨୧,୬୫୦ କୋଟି ଟଙ୍କାର ବହୁବିଧ ପ୍ରକଳ୍ପ ଭାରତ ସରକାର ଅନୁମୋଦନ କରିଛନ୍ତି।

ଏହାବ୍ୟତୀତ ୫୦ ହଜାର କୋଟିରୁ ଅଧିକ ଟଙ୍କାର ରାଜପଥ ନିର୍ମାଣ ପାଇଁ ପ୍ରସ୍ତାବ ଭାରତ ସରକାରଙ୍କୁ ଦିଆଯାଇଛି। ଓଡ଼ିଶାର ବେଳାଭୂମି ଓ ଜଳ ସମ୍ପଦର ବିକାଶ ମାଧ୍ୟମରେ ନୀଳ ଅର୍ଥନୀତି (Blue Economy)ର ବିକାଶ ମଧ୍ୟ ଆମର ଅନ୍ୟତମ ଲକ୍ଷ୍ୟ। ଅନୁସୂଚିତ ଜାତି ଓ ଜନଜାତି ହେଉଛନ୍ତି ଆମ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସେମାନଙ୍କ ବିକାଶ ନିତାନ୍ତ ଆବଶ୍ୟକ। ସେଥିପାଇଁ ଆମେ ଅନେକ ଯୋଜନା ଆରମ୍ଭ କରିଛୁ। ଆଗାମୀ ପାଞ୍ଚ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ‘ଆଦର୍ଶ ଆଦିବାସୀ ଗ୍ରାମ’ ଯୋଜନାରେ ବିକଶିତ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଛୁ। ‘ପି. ଏମ. ଜନମନ୍’ ଯୋଜନାରେ ‘ବିଶେଷ ଭାବରେ ଅନୁନ୍ନତ ଜନଜାତି’(PVTG) ବର୍ଗର ଜନଜାତି ମାନଙ୍କର ସାମଗ୍ରିକ ବିକାଶ କରାଯିବ।

‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ ଜରିଆରେ ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ରୋଜଗାର ଓ ଜୀବିକାର ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ। ଜନଜାତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଡ୍ରପ ଆଉଟ୍ ହାର ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ପାଠପଢା ଅଧାରୁ ସ୍କୁଲ ଛାଡିବା ସମସ୍ୟା ଦୂର ହୋଇପାରିବ। ଯୁବବର୍ଗ ହେଉଛନ୍ତି ଦେଶର ଭବିଷ୍ୟତ। ସେଥିପାଇଁ ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ଯୁଗୋପଯୋଗୀ ପ୍ରଶିକ୍ଷଣ ଯୋଗାଇବା ଅତ୍ୟନ୍ତ ଆବଶ୍ୟକ। ଆଧୁନିକ ଶିଳ୍ପର ଚାହିଦା ଅନୁଯାୟୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆମେ ଗ୍ରହଣ କରିଛୁ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆମେ କୌଶଳ ଭବନ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେଇଛୁ।

କ୍ରୀଡାର ବିକାଶ ବିନା ଯୁବଶକ୍ତିର ବିକାଶ ଅସମ୍ଭବ। ପ୍ୟାରିସ୍‌ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ଦେଶର ଗୌରବ ବଢାଇଛନ୍ତି। ଆଜିର ପବିତ୍ର ଦିନରେ ପୁଣି ଥରେ ଭାରତୀୟ ପୁରୁଷ ହକି ଦଳକୁ ମୁଁ ଅଭିନନ୍ଦନ ଜଣାଉଛି। ହକି ଦଳର ଓଡିଆ ଖେଳାଳୀ ଅମିତ୍ ରୋହିଦାସଙ୍କ ପାଇଁ ସାରା ଓଡିଶା ଆଜି ଗର୍ବିତ। ରାଜ୍ୟରେ କ୍ରୀଡାର ବିକାଶ ପାଇଁ ୧୦୦୦ କୋଟି ଟଙ୍କାରେ ୧୨୦ ଏକର ଅଞ୍ଚଳ ପରିବ୍ୟାପ୍ତ ଏକ ନୂତନ ବିଶ୍ବସ୍ତରୀୟ ବହୁମୁଖୀ ଷ୍ଟାଡିଅମ ତିଆରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ Indoor Velodrome, Mountain Biking, Swimming Pool, Football Ground, Archery Arena, Badminton Court ତଥା Fitness Park, ଯେଉଁଥିରେ ଖେଳାଳୀ ମାନଙ୍କ ସହିତ ସାଧାରଣ ଜନତା ମଧ୍ୟ ଅଭ୍ୟାସ କରିପାରିବେ ।

ଏହାସହିତ ଆମେ ପ୍ରତି ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଜାତୀୟ ସ୍ତରୀୟ ଷ୍ଟାଡିଅମ ନିର୍ମାଣ କରିବାକୁ ଯାଉଛୁ। ଭାରତୀୟ ହକି ଦଳକୁ ଓଡିଶାର ସ୍ପନ୍‌ସର୍‌ସିପ୍‌ ସମୟସୀମାକୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ରାଜ୍ୟର ମେଧାବୀ କ୍ରୀଡାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆମେ ‘ଖେଳ ରତ୍ନ ଖୋଜା ଅଭିଯାନ’ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛୁ। ଦେଶର ସୁରକ୍ଷା କ୍ଷେତ୍ରରେ ଅଗ୍ନିବୀର୍‌ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଦେଶର ଯୁବସମାଜକୁ ଦକ୍ଷ, ସାହାସୀ ଓ ଯୋଗ୍ୟ କରିବାରେ ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଓଡିଶାର ଯେଉଁ ଅଗ୍ନିବୀର୍‌ମାନେ ନିଜ କାର୍ଯ୍ୟକାଳ ଅବଧି ପରେ ସେନା ବାହିନୀରେ ଭର୍ତ୍ତି ହୋଇନଥିବେ, ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ, ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ମର ଏହି ସବୁ ଯୋଜନା ମାଧ୍ୟମରେ ଓଡିଶାର ପ୍ରତ୍ୟେକ ସ୍ତରରେ ବିକାଶର ଏକ ନୂଆ ଧାରା ସୃଷ୍ଟି ହେବ। ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଞ୍ଚିବା ପାଇଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟରେ ଶିଳ୍ପର ବହୁଳ ବିକାଶ କରାଯିବ, ଯେଉଁଥିରେ Semi Conductor ଶିଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆଗାମୀ ଦୁଇ ଦଶନ୍ଧି ଓଡିଶା ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେବ। ସେଥିପାଇଁ, ଆମେ ଦୁଇଟି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରୁଛୁ। ଗୋଟିଏ ୨୦୩୬ ପାଇଁ ଓ ଆଉ ଗୋଟିଏ ୨୦୪୭ ପାଇଁ। ଏହା ଓଡିଶାର ଲୋକଙ୍କ ମତାମତ ଆଧାରରେ ହିଁ ପ୍ରସ୍ତୁତ କରାଯିବ। ଏଥିପାଇଁ, ଆମେ ଏକ ୱେବ ପୋର୍ଟାଲ ପ୍ରସ୍ତୁତ କରୁଛୁ। ଓଡ଼ିଶାର ଜନ ସାଧାରଣ, ବୁଦ୍ଧିଜୀବୀ ଓ ବିଶେଷଜ୍ଞ ମାନଙ୍କୁ ମତାମତ ପ୍ରଦାନ କରିବା ପାଇଁ ମୁଁ ଆହ୍ୱାନ କରୁଛି। ବିକଶିତ ଓଡ଼ିଶାର ରୂପରେଖ ଆପଣମାନେ ହିଁ ପ୍ରସ୍ତୁତ କରିବେ।

ଆଉ ଆପଣମାନେ ହିଁ ନିଜର ଦୃଢ଼ ମନୋବଳ ଓ କଠୋର ପରିଶ୍ରମ ଦ୍ବାରା ଏହି ଲକ୍ଷ୍ୟ ହାସଲ କରିପାରିବେ। ସେହି ସ୍ଵର୍ଣ୍ଣିମ ଅଧ୍ୟାୟର ଉପକ୍ରମ ଏହି ୫ ବର୍ଷ ମଧ୍ୟରେ ଲେଖିବାକୁ ହେବ। ଆମ ପାଖରେ ସମୟ ବହୁତ କମ୍‌। ରାଜ୍ୟବାସୀ ଆମକୁ ଯେଉଁ ସୁଯୋଗ ଦେଇଛନ୍ତି, ତା’ର ପ୍ରତି ମିନିଟ୍, ପ୍ରତି ସେକେଣ୍ଡର ସଦୁପଯୋଗ କରିବା ପାଇଁ ଆମେ ସଂକଳ୍ପବଦ୍ଧ। ଆମ ସରକାର ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ପଦ୍ଧତି ଉପରେ ଅଗାଢ ବିଶ୍ୱାସ କରେ। ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ସମସ୍ତ ଯୋଜନା, ସମସ୍ତ ଆଭିମୁଖ୍ୟ ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସଞ୍ଚାଳିତ ହେବା ଆବଶ୍ୟକ। ସେଥିପାଇଁ, ଆମ ସରକାର ପ୍ରତି ସପ୍ତାହରେ, ଲୋକଙ୍କ ଅଭିଯୋଗ ଶୁଣି, ସେମାନଙ୍କ ସମସ୍ୟାର ସମାଧାନ କରୁଛନ୍ତି।

ଆପଣମାନେ ଜାଣନ୍ତି, ୧୯୭୫ର ଏମର୍ଜେନ୍‌ସି, ସ୍ୱାଧୀନୋତ୍ତର ଭାରତ ଇତିହାସର ଏକ କଳଙ୍କିତ ଅଧ୍ୟାୟ। ‘ମିସା’ ଆଇନ ବଳରେ ଯେଉଁ ଦେଶପ୍ରେମୀମାନଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିଥିଲା, ସେମାନଙ୍କୁ ଆମର ସମ୍ମାନ ଜଣାଇବା ପାଇଁ, ଆମ ସରକାର ପେନ୍‌ସନ୍‌, ମାଗଣା ସ୍ୱାସ୍ଥ୍ୟ ସେବା ଏବଂ ଫ୍ରି ବସ୍‌ ପାସ୍‌ ସୁବିଧା କରିବେ। ସ୍ୱାଧୀନତାର ପରିଭାଷା ବ୍ୟାପକ। ରାଜନୈତିକ ସ୍ୱାଧୀନତା ସହିତ ଆର୍ଥିକ ସ୍ୱାଧୀନତା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତୀତ, ଆମର ବୌଦ୍ଧିକ ସ୍ୱାଧୀନତା ଓ ଆଧ୍ୟାତ୍ମିକ ସ୍ୱାଧୀନତାର ମଧ୍ୟ ଗୁରୁତ୍ୱ ରହିଛି। ବୌଦ୍ଧିକ ଓ ଆଧ୍ୟାତ୍ମିକ ସ୍ତରରେ ଭାରତର ସ୍ୱତନ୍ତ୍ର ପରିଚୟ ରହିଛି। ଏହି ପରିଚୟକୁ ଆହୁରି ଉଜ୍ଜ୍ୱଳ କରିବାର ସମୟ ଆସିଛି।

ବିଶ୍ୱଗୁରୁ ଭାରତ, ଆଧ୍ୟାତ୍ମିକ କ୍ଷେତ୍ରରେ ସାରା ବିଶ୍ୱକୁ ସଚେତନ କରି ଶାନ୍ତି, ମୈତ୍ରୀ ଓ ସଦ୍‌ଭାବନା ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛି । ଏଥିପାଇଁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତବାସୀଙ୍କୁ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଏକ ମନ ଓ ଏକ ପ୍ରାଣ ହୋଇ କାମ କରିବାକୁ ପଡିବ । ବିଶ୍ୱସ୍ତରରେ ନିଜର ପରାକାଷ୍ଠା ଦେଖାଇବାକୁ ପଡିବ । ଆମର ଚିନ୍ତାଧାରାକୁ ବିଶ୍ୱସ୍ତରୀୟ କରିବାକୁ ହେବ । ଆସନ୍ତୁ, ଆଜି ଆମର ସବୁ ସ୍ବପ୍ନ, ସବୁ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମେ ସମସ୍ତେ ମିଳିମିଶି ଭାରତ ମାତାର ସେବା କରିବା ପାଇଁ ଏବଂ ଓଡିଶାର ସାମଗ୍ରିକ ବିକାଶ ପାଇଁ ପ୍ରତିବଦ୍ଧ ହୋଇ କାମ କରିଚାଲିବା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version