No Result
View All Result
୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ୨୦୧୨ ମସିହାରେ ସଂଗଠିତ ଏକ ଡକାୟତି ଏବଂ ବୋମାମାଡ଼ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଦୀର୍ଘ ୧୨ ବର୍ଷ ପରେ ଅତିରିକ୍ତ ଜିଲା ଜଜ୍ ୩ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅତିରିକ୍ତ ଜିଲା ଜଜ୍ ମୁନରାଣୀ ମିଶ୍ରଙ୍କ ଇଜିଲାସରେ ହୋଇଥିବା ଶୁଣାଣିରେ ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ରାୟ ପ୍ରକାଶ କରାଯିବା ସହିତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦିଆଯାଇଛି। ଡକାୟତି ମାମଲାରେ ଅଭିଯୁକ୍ତମାନେ ଖଲାସ ହୋଇଥିଲେ ମଧ୍ୟ ବିସ୍ଫୋରକ ଦ୍ରବ୍ୟ ବ୍ୟବହାର ମାମଲାରେ ଏହି ଦଣ୍ଡାଦେଶ ଦିଆଯାଇଛି।
ଜରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡାଦେଶ ପାଇଁ ମଧ୍ୟ ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଦଣ୍ଡାଦେଶ ପାଇଥିବା ୩ ଅଭିଯୁକ୍ତ ହେଲେ ଦଶପଲ୍ଲା ଥାନା ଅଞ୍ଚଳର ମୁସଲିମ୍ ସାହିର ମୁମତାଜ ଅଲ୍ଲୀ(୪୨), ଢିଲାବାଲି ଅଞ୍ଚଳର ଚନ୍ଦନେଶ୍ୱର ନାୟକ(୪୬) ଏବଂ ମର୍ଦ୍ଦାବାଡ଼ି ଅଞ୍ଚଳର ଶରତ ନାୟକ (୫୧)। ମାମଲା ବିବରଣୀରୁ ମିଳିଥିବା ସୂଚନା ଅନୁସାରେ, ୨୦୧୨ ମାର୍ଚ୍ଚ ୧୯ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ସଦରଥାନା ଅନ୍ତର୍ଗତ ଜକ୍ରେୁଜୁ ଗ୍ରାମରେ ୩ ଅଭିଯୁକ୍ତ ସମେତ ଅନ୍ୟ ୪ ଜଣ ଏକ ବୋଲେରୋ ଗାଡ଼ିରେ ଆସି ପଦ୍ମଚରଣ ଗଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କଠାରୁ ସୁଚା ଚେନ୍ ଓ ନଗଦ ୧୦ ଜହାର ଟଙ୍କା ଡ଼କାୟତି କରି ନେଇ ଚାଲିଯାଇଥିଲେ ।
ଯିବା ସମୟରେ ସେମାନେ ଗାଁ ଦାଣ୍ଡରେ ଦୁଇଟି ବୋମାମାଡ଼ କରିଥିଲେ। ଏଥିରେ ଗ୍ରାମର ତିନିଜଣ ଆହତ ହେବା ସହିତ ଅଭିଯୁକ୍ତ ଚନ୍ଦନେଶ୍ୱର ନାୟକର ମଧ୍ୟ ହାତ ପାପୁଲି ଛିଡ଼ି ଯାଇଥିଲା। ତୁରନ୍ତ ଗ୍ରାମବାସୀ ଏକତ୍ରିତ ହୋଇ ସମସ୍ତ ଅଭିଯୁକ୍ତମାନଙ୍କୁ ଘେରାଉ କରିବା ସହିତ ସେମାନଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଶିବ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରିଥିଲେ ।

No Result
View All Result