୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପୁଲିସକୁ ମିଳିଲା ଏକ ବଡ ସଫଳତା । ବଡ଼ ଧରଣର ଗଞ୍ଜେଇ ମାଫିଆମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଦୀର୍ଘ ଦିନ ହେବ ଏମାନେ ଜିଲାରେ ନିଜର ଗଞ୍ଜେଇ ସାମ୍ରାଜ୍ୟ ବିସ୍ତାର କରିବା ସହ କୋଟି କୋଟି ଟଙ୍କାର ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରୁଥିବା ଜଣାପଡିଥିଲା । ଏହାପରେ ପୁଲିସ ଏମାନଙ୍କୁ ଧରିବାକୁ ଯୋଜନା କରିଥିଲା । ସୂଚନା ଅନୁସାରେ ଗୋଛାପଡା ପୁଲିସକୁ ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା ।

ଗୋଚ୍ଛାପଡ଼ା ଥାନା ଅଧିକାରୀ ଗଞ୍ଜେଇ ମାଫିଆମାନଙ୍କୁ ଧରିବା ପାଇଁ ୩ଟି ଟିମ ଗଠନ କରି ବାଲାନ୍ଦାପଡ଼ା ଫାଣ୍ଡି ଅଞ୍ଚଳ ସହ ଫିରିଙ୍ଗିଆ ବ୍ଲକ ଠାରୁ କଣ୍ଟାମାଳ ଯାଇଥିବା ଘାଟି ରାସ୍ତା ସୁଟାଣି ଘାଟିର ବିଭିନ୍ନ ସ୍ଥାନରେ ଛପି ରହିଥିଲେ। ଗଞ୍ଜେଇ ଚାଲାଣକାରୀ କେହି ନଥିବା ଭାବି ଗୋଚ୍ଛାପଡ଼ା ଥାନା ବାଳନ୍ଦାପଡ଼ା ଓ ବିଭିନ୍ନ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି କଣ୍ଟାମାଳ ଦେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ସୁଟାଣିଘାଟି ରାସ୍ତାରେ ଅଟକାଇ ଥିଲା। ଏହି ସମୟରେ ଅଭିଯୁକ୍ତମାନେ ବାଇକ ଓ ଗଞ୍ଜେଇ ତଳେ ପକେଇ ଖସିବାକୁ ଚେଷ୍ଟା କରିଥିଲେ। ପୁଲିସ ଚତୁରତାର ସହ ୪ଜଣକୁ କାବୁ କରିବାରେ ସଫଳ ହୋଇଛି।















