୨୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶାରେ ବଦଳିଯାଇଛି ରାଜନୀତିର ମାନଚିତ୍ର । ବଦଳିଛି ସରକାର, ବଦଳିଛନ୍ତି ମୁଖ୍ୟମନ୍ତ୍ରୀ ଆଉ ବଦଳିଯାଇଛି ଶାସନ କରିବାର ଫର୍ମୁଲା । ଏହାସହିତ ବଦଳି ଯାଇଛି ସମ୍ପର୍କ ଏବଂ ମାନସିକତା । ଗତବର୍ଷ ସଂସଦ ଅଧିବେଶନରେ ମୋଦୀ ସରକାରକୁ ସପୋର୍ଟ କରୁଥିବା ବିଜୁ ଜନତା ଦଳ ଏଥର ବିଜେପିକୁ ଦେବ ଚାଲେଞ୍ଜ । ବିଜେପି ସମର୍ଥନ କରୁଥିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏଥର ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କରିବେ ବିରୋଧ ।

ରାଜ୍ୟସଭାରେ ଆମନା ସାମନା ହେବେ ମୋଦୀ ନବୀନ । କିଛି ଦିନ ତଳେ ଭଲ ବନ୍ଧୁ ଭାବରେ ଥିବା ବେଳେ ଏଥର ବିରୋଧୀ ଭାବରେ ସଂସଦକୁ ଆସିବେ ଦୁଇଟି ପାର୍ଟିର ମୁଖିଆ । ଏଥିପାଇଁ ବର୍ତ୍ତମାନଠାରୁ ଇସାରା କରିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଦଳର ୯ ଜଣ ରାଜ୍ୟସଭା ସଦସ୍ୟଙ୍କ ସହ ବୈଠକ କରିଛନ୍ତି । ଏହାପରେ ଜୁନ୍ ୨୭ ତାରିଖରୁ ହେବାକୁ ଥିବା ସଂସଦ ଅଧିବେଶନରେ ଏକ ବିରୋଧୀ ଦଳ ଭାବରେ ରାଜ୍ୟସଭାରେ ପହଞ୍ଚିବା ନେଇ ଆହ୍ୱାନ ଦେଇଛନ୍ତି ନବୀନ ।

ରାଜ୍ୟସଭା ସାଂସଦମାନଙ୍କୁ ସଂସଦରେ ରାଜ୍ୟର ବିକାଶ ଏବଂ ହିତ ସମ୍ପର୍କରେ ସଠିକ ଭାବରେ ଉପସ୍ଥାପନ କରିବା ପାଇଁ ବୁଝାଇଛନ୍ତି ବିଜେଡି ସୁପ୍ରିମୋ । ତେବେ ସଂସଦରେ ଓଡ଼ିଶାର ହିତ ପାଇଁ ସ୍ୱର ଉତ୍ତୋଳନ କରିବା ସହ ଏହାକୁ ଅଣଦେଖା କଲେ ବିଜେଡି ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ଅଛିବୋଲି କହିଛନ୍ତି ବିଜେଡି ନେତା ସସ୍ମିତ ପାତ୍ର । ତେବେ ଏଥର ସଂସଦରେ ବିଜୁ ଜନତା ଦଳ କେବଳ ଏକ ବିରୋଧୀ ଦଳ ଭାବରେ ଦାୟିତ୍ୱ ତୁଲାଇବ । ଏଥର ବିଜେପିକୁ ଦଳର କୌଣସି ସମର୍ଥନ ମିଳିବ ନାହିଁ ବୋଲି ସସ୍ମିତ ପାତ୍ର ପ୍ରକାଶ କରିଛନ୍ତି ।

ସସ୍ମିତ ପାତ୍ର ଆହୁରି କହିଛନ୍ତି ଯେ, ଓଡ଼ିଶାର ବିକାଶ ଏବଂ ହିତ ପାଇଁ ଆମେ କୌଣସି ସ୍ତରକୁ ବି ଯାଇପାରୁ । ଯଦି ଓଡ଼ିଶାର ବାସ୍ତବିକ ଦାବିକୁ ସରକାର ଅଣଦେଖା କରେ, ତେବେ ଆମକୁ ଏକ ଦୃଢ ବିରୋଧୀ ଦଳର ଭୂମିକା ତୁଲାଇବାକୁ ହେବ ବୋଲି ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ତାଗିଦ କରିଛନ୍ତି । ନିର୍ବାଚନରେ ଅଲଗା ଅଲଗା ଲଢୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସଂସଦରେ ଏକାଠି ଥିଲେ ବିଜେଡି ଏବଂ ବିଜେପି ।















