୦୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ଦିନ ଦ୍ବିପହର ରେ ଲୁଟ ହୋଇଥିବା ରୂପା ଅଳଙ୍କାର ଜବତ ହେବା ସହ ଜଣେ ମାଷ୍ଟର ମାଇଣ୍ଡ ଲୁଟେରାକୁ ବାଲିଗୁଡା ପୋଲିସ ଗିରଫ କରିଛି । ଏ ନେଇ ବାଲିଗୁଡା ଥାନରେ ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ ଏହି ଲୁଟର ବିସ୍ତୃତ ସୂଚନା ଦେଇଛନ୍ତି । ଲୁଟେରା ମାଷ୍ଟର ମାଇଣ୍ଡ ଜଣକ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଥାନା ଅଞ୍ଚଳର ବୋଲି ପୋଲିସ କହିବା ସହ ତା ନିକଟରୁ ଚୋରି ହୋଇଥିବା ୭ କିଲୋ ଗ୍ରାମ ରୂପା ଅଳଙ୍କାର ଜବତ ହୋଇଛି । ଏହି ଲୁଟର ମାଷ୍ଟର ମାଇଣ୍ଡ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ତା ନାମରେ ବିଭିନ୍ନ ଜିଲ୍ଲାରେ ଲୁଟ ଅଭିଯୋଗରେ ଅନେକ ମାମଲା ରହିଛି ।

ଏହି ଲୁଟ ଘଟଣାରେ ଅନ୍ୟ ଅଭିଯୁକ୍ତ ସାମିଲ ରହିଛନ୍ତି । ସେମାନଙ୍କୁ ଧରିବା ଲାଗି ବାଲିଗୁଡା ପୋଲିସ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖୁଛି । ତେଣୁ ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡର ଠିକଣା ଗୋପନୀୟ ରଖାଯାଇଛି ବୋଲି ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ କହିଛନ୍ତି । ପୋଲିସର କହିବା ଅନୁଯାୟୀ, ଗତ ମାସ ୨୪ ତାରିଖରେ ବାଲିଗୁଡାର ରୂପା ବ୍ୟବସାୟୀ ସନ୍ୟାସୀ ନାୟକ ଏକ ରୂପା ଭର୍ତି ବ୍ୟାଗ ଧରି ବ୍ୟବସାୟ ଲାଗି ଯାଉଥିବା ସମୟରେ ପାଟଖଣ୍ଡା ସାହିରେ ଦୁଇଟି ବାଇକ ରେ ୩ ଜଣ ଲୁଟେରା ଆସି ତାଙ୍କ ଠାରୁ ରୂପା ବ୍ୟାଗ ଲୁଟି ନେଇ ପଳାଇଥିଲେ ।















