୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଗୋଟିଏ ମାଲକାନଗିରି ଅନ୍ଯଟି ଚିତ୍ରକୋଣ୍ଡା। ଆଜି ଏହାର ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି। ଆଜିର ଏହି ନିର୍ବାଚନୀ ଫଳାଫଳ ରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ଲାଭ କରିଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ବିଜୟ ହୋଇଥିବା ଘୋଷଣା ହୋଇଛି। ନରସିଂହଙ୍କୁ ୭୮୦୨୩ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ମାଲା ମାଢିଙ୍କୁ ୬୩୩୬୫ ଖଣ୍ଡ ଭୋଟ ମିଳିଛି ।

ତୃତୀୟରେ ଥିବା ବିଜେଡି ପ୍ରାର୍ଥୀ ମାନସ ମାଡକାମୀଙ୍କୁ ୩୪୨୫୩ ଖଣ୍ଡ ଭୋଟ ମିଳିଛି । ତେବେ ବିଜେପିର ନରସିଂହ ମାଡକାମୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି କଂଗ୍ରେସର ମାଳା ମାଢିଙ୍କ ଠାରୁ ୧୪୬୫୮ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ସେହିପରି ଚିତ୍ରକୋଣ୍ଡା ବିଧାନସଭା ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ବିଜୟ ହାସଲ କରିଛନ୍ତି। ମୋଟ ୩୧ ରାଉଣ୍ଡ ଗଣତି ପରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ୯୧୫୯ ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପାର୍ଥି ଡମ୍ବରୁ ସିସାଙ୍କୁ ପରାସ୍ତ କରିଛନ୍ତି । ମଙ୍ଗୁ ଖିଲଙ୍କୁ ମୋଟ ୫୫୫୫୦ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଡ଼ମ୍ବୁରୁ ସୀସାଙ୍କୁ ୪୬୩୯୧ ଖଣ୍ଡ ଭୋଟ ମିଳିଛି । ତେବେ ଏହି ୨ଟି ଆସନରେ ବିଜେଡି ପ୍ରାର୍ଥୀ ଶୋଚନୀୟ ଭାବେ ପରାସ୍ତ ହୋଇଛନ୍ତି।














