୨ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ସକାଶେ ଭୋଗ୍ରହଣ ସରିଛି। ଆଉ ଦିନକ ବିରତି ପରେ ମଙ୍ଗଳବାର ଗଣତି ତାରିଖ। ଆଉ ଏ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢି ଚାଲିଛି। ଭୋଟ୍ ଦେଇଥୁବା ମତଦାତା ବେଶ୍ ନିରବତା ଅବଲମ୍ବନ କରୁଥିବା ବେଳେ ଗଣତି ତାରିଖ ଯେତିକି ପାଖେଇ ଆସୁଛି ନେତା ଓ କର୍ମୀମାନଙ୍କ ମଧ୍ୟରେ ବଢି ଚାଲିଛି ହୃତ୍ତ୍ଵନ୍ଦନ । ଚଳିତ ନିର୍ବାଚନକୁ ରାଜ୍ୟରେ ପୂର୍ବାପେକ୍ଷା ଭିନ୍ନ ଧରଣର ଗଣା ହେଉଛି । ବିଜେପି ଓ ବିଜେଡି ମେଣ୍ଟ ଆଲୋଚନାର ବ୍ୟତିକ୍ରମ ସ୍ବରୂପ ପରସ୍ପର ବିରୁଦ୍ଧରେ ନିର୍ବାଚନ ରଣାଙ୍ଗନରେ କେବଳ ଯେ ଅବତୀର୍ଣ୍ଣ ହୋଇନଥିଲେ ବରଂ ପରସ୍ପରକୁ କଟୁ ସମାଲୋଚନା କରି ତୀବ୍ର ପ୍ରତିଦ୍ୱନ୍ଦିତା କରିଛନ୍ତି।
ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚସ୍ତର ପର୍ଯ୍ୟନ୍ତ ଏହି ଆମନାସାମନା ଲଢେଇର ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ବନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି ମଧ୍ୟରେ କଡା ଟକ୍ଟର ଦେଖିବାକୁ ମିଳିଥିଲା। ବିଜେପି- ବିଜେଡି ଟକ୍ଟର ମଧ୍ୟରେ ଚଳିତ ଥର କଂଗ୍ରେସ ମଧ୍ୟ ବାଦ ପଡ଼ିନାହିଁ । ତଥାପି ଦଳର ତୁଙ୍ଗ ନେତା ରାହୁଲ ଗାନ୍ଧୀ ରାଜ୍ୟରେ ପ୍ରଚାର କରି ପାର୍ଟି ପାଇଁ ଜନସମର୍ଥନ ହାସଲ କରିବାକୁ ଚେଷ୍ଟା କରିଥିଲେ। ଏହାରି ମଧ୍ୟରେ କନ୍ଧମାଳ ଲୋକସଭା ଅନ୍ତର୍ଗତ ୨ଟି ପ୍ରମୁଖ ବିଧାନସଭା ବାଲିଗୁଡା ଓ ଜି. ଉଦୟଗିରି ନିର୍ବାଚନର ଫଳାଫଳକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଓ ଆଲୋଚନା ଜୋର୍ ଧରିଛି।















