No Result
View All Result
୨୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଳକ୍ ଅନ୍ତର୍ଗତ ଛେଲାଗଡ ପଞ୍ଚାୟତର ସରପଞ୍ଚ ଡାଳିମ୍ବ ଗମାଙ୍ଗଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ଜୁନିୟର ଡିଭିଜନର ସିଭିଲ୍ ଜଜ୍ । ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଡାଳିମ୍ବ ନିଜର ଦୁଇଟି ସନ୍ତାନ ଥିବା ଦର୍ଶାଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଦ୍ୱିତୀୟ ସ୍ଥାନରେ ଥିବା ଗଡର ଗ୍ରାମର ରମେଶ ଚନ୍ଦ୍ର ମାଝୀ .

ତେବେ, ଦୀର୍ଘ ୨ ବର୍ଷ ଧରି ଏହି ମାମଲା କୋର୍ଟରେ ବିଚାରାଧୀନ ଭାବେ ରହିଥିବାବେଳେ, ଆଜି ତାର ଫଳାଫଳ ପ୍ରକାଶ ପାଇଛି । ଡାଳିମ୍ବ ଗମାଙ୍ଗ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ପ୍ରମାଣିତ ହେବା ପରେ ଜୁନିୟର ଡିଭିଜନର ସିଭିଲ୍ ଜଜ୍ ତରୁଣ କୁମାର ସେଠୀ ଡାଳିମ୍ବଙ୍କ ସରପଞ୍ଚ ପଦକୁ ରଦ୍ଦ କରିଛନ୍ତି । ଏଥିସହିତ ଆବେଦନକାରୀ ତଥା ଦ୍ୱିତୀୟ ସ୍ଥାନରେ ଥିବା ରମେଶ ଚନ୍ଦ୍ର ମାଝୀଙ୍କୁ ସରପଞ୍ଚ ଭାବେ ଘୋଷଣା କରିବାକୁ ବ୍ଳକ୍ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଘଟଣା ନେଇ ବ୍ଳକ୍ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ କହିଛନ୍ତି ଯେ, ତାଙ୍କ ନିକଟକୁ କୋର୍ଟରୁ କୌଣସି ନିର୍ଦ୍ଦେଶ ଆସିନାହିଁ । ନିର୍ଦ୍ଦେଶ ମିଳିବା ପରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ । ସେପଟେ, ଅଯୋଗ୍ୟ ଘୋଷିତ ହୋଇଥିବା ସରପଞ୍ଚ ଡାଳିମ୍ବ କହିଛନ୍ତି ଯେ,ସେ କୌଣସି ଭୁଲ୍ ତଥ୍ୟ ଦେଇନାହାଁନ୍ତି ଏବଂ ଏହି ଘଟଣାକୁ ନେଇ ଉପର କୋର୍ଟର ଦ୍ୱାରସ୍ଥ ହେବେ ବୋଲି କେମେରା ଆଗରେ ପ୍ରକାଶ କରିଛନ୍ତି !

No Result
View All Result