୧୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କର ଆଜି ସକାଳେ ପରଲୋକ ଘଟିଛି । ମୃତୁ୍ୟବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ତାଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କ ଉଦ୍ଦେଶ୍ୟରେ ସମବେଦନା ଜ୍ଞାପନ କରିଛନ୍ତି । ଆଜି ସକାଳେ ଶ୍ରୀ ମଲ୍ଲିକ ପାର୍କରେ ବ୍ୟାୟାମ କରିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ । ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇବା କ୍ଷଣି ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଏବଂ ଅନ୍ୟାନ୍ୟ ଅଧିକାରୀବୃନ୍ଦ କ୍ୟାପିଟାଲ୍ ହସ୍ପିଟାଲ୍ରେ ପହଞ୍ଚିଥିଲେ ।

ପରେ ମୃତଶରୀରକୁ ତାଙ୍କ ସରକାରୀ ବାସଭବନକୁ ଅଣାଯାଇଥିଲା । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ଶବାଧାରରେ ମାଲ୍ୟାର୍ପଣ କରିଥିଲେ ।
ସରକାରୀ ବାସଭବନ ଓ ଡାକ୍ତରଖାନା ପରିସରରେ ପ୍ରଫୁଲ୍ଲଙ୍କ ପରଲୋକରେ ଶୋକାକୁଳ ଆତ୍ମୀୟସ୍ୱଜନ ଓ ବିଭାଗର ସହକର୍ମୀ ତଥା ସତୀର୍ଥମାନଙ୍କ ଧାଡ଼ି ଲମ୍ବିଥିଲା । ଅପରାହ୍ନରେ ମୃତଦେହକୁ ସୂଚନା ଓ ଲୋକସଂପର୍କ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ଶତାଧିକ କର୍ମଚାରୀ, ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ ।

ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର, ନିର୍ଦ୍ଦେଶକ ଶ୍ରୀ ସାମଲ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍ବୀର ସିଂ, ବିଶ୍ୱଜିତ ଦାଶଙ୍କ ସମେତ ସମସ୍ତ ଉପନିର୍ଦ୍ଦେଶକ, ଅଧିକାରୀ ଓ କର୍ମଚାରୀବୃନ୍ଦ ମାଲ୍ୟାର୍ପଣ କରିଥିଲେ । ତାଙ୍କ ବିୟୋଗରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଓ ନିର୍ଦ୍ଦେଶକ ଶ୍ରୀ ସାମଲଙ୍କ ଉପସ୍ଥିତିରେ ନୀରବ ପ୍ରାର୍ଥନା କରାଯାଇଥିଲା ।

ଶ୍ରୀ ମଲ୍ଲିକ ୧୯୯୪ ମସିହାରେ ତାଙ୍କ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଧର୍ମଗଡ଼ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବରେ କାର୍ଯ୍ୟ ଆରମ୍ଭ କରି ସେ ପରେ ଜୟପୁର, କୋରାପୁଟରେ ଦାୟିତ୍ୱ ନିର୍ବାହ କରିଥିଲେ । ଭୁବନେଶ୍ୱରସ୍ଥିତ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶାଳୟରେ ଯୋଗଦେଇ ସେ ସୂଚନା ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ । ପ୍ରକାଶନ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକସଂପର୍କ ଅଧିକାରୀ ଭାବରେ ସେ କାର୍ଯ୍ୟରତ ଥିଲେ ।

ଶ୍ରୀ ମଲ୍ଲିକ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ ଓ ବନ୍ଧୁବତ୍ସଳ ଥିଲେ । ବିଭାଗର କାର୍ଯ୍ୟରେ ସେ ଯଥେଷ୍ଟ ଶୃଙ୍ଖଳା ଓ ନିଷ୍ଠାପରତା ପ୍ରଦର୍ଶନ କରିଆସୁଥିଲେ । ତାଙ୍କ ବିୟୋଗରେ ବିଭାଗରେ ଶୋକର ଛାୟା ଖେଳି ଯାଇଛି । ଆଜି ସନ୍ଧ୍ୟାରେ ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲା କହନା ଗ୍ରାମରେ ଅନ୍ତ୍ୟେଷ୍ଟିକ୍ରିୟା ହେଉଛି । ଶ୍ରୀ ମଲ୍ଲିକ ତାଙ୍କ ପନିୀ, ଦୁଇ କନ୍ୟା ଓ ପୁତ୍ରକୁ ଛାଡ଼ି ଯାଇଛନ୍ତି ।














