୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର :-> ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଗଣିତ-ବିଜ୍ଞାନ ଅଲମ୍ପିଆଡ଼ ପ୍ରତିଯୋଗିତା ସହିତ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ସଂଯୋଜକ ଜ୍େୟାତି ରଞ୍ଜନ ଦାଶ, ରଣପୁର ବ୍ଲକ ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘର ସଭାପତି ଅଶୋକ କୁମାର ଦାଶ, ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର, ପୂର୍ବତନ ସାଧନ କେନ୍ଦ୍ର ସଂଯୋଜକ ତଥା ଗୌରଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ର,

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ଓ୍ୱାର୍ଡ ମେମ୍ବର ସରୋଜିନୀ ପ୍ରଧାନ, ସାହିତ୍ୟିକ ଅଜୟ କୁମାର ପ୍ରଧାନ, ପରିଚାଳନା କମିଟି ସଦସ୍ୟ ରବିନ୍ଦ୍ର କୁମାର ସଂଗ୍ରାମ ସିଂହ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ବିଦ୍ୟାଳୟର ପିଲାମାନେ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହିତ ନୃତ୍ୟ ମାଧ୍ୟମରେ ସ୍ୱାଗତ ଜଣାଇ ଥିଲେ ।

ବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଜ୍ଞାନ ପ୍ରଦର୍ଶନୀରେ ଆସିଥିବା ପ୍ରକଳ୍ପ ଗୁଡିକୁ ଅତିଥିମାନେ ବୁଲି ଦେଖିବା ସହିତ ବିଚାରପତିମାନେ ମୂଲ୍ୟାୟନ କରିଥିଲେ । ଏହା ସହିତ ଗଣିତ ବିଜ୍ଞାନ ଅଲମ୍ପିଆଡ଼ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା । ଏହି ଭଳି କାର୍ଯ୍ୟକ୍ରମ କରିବା ଦ୍ୱାରା ପିଲାମାନଙ୍କ ଜ୍ଞାନ, ଆଗ୍ରହ ବୃଦ୍ଧି ପାଇବା ସହିତ ସକ୍ରିୟ ହେବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ହୋଇଥିବା ଯୋଗୁଁ ଅତିଥିମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ।















