୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ରାଜ୍ୟର ବୁଣାକାରଙ୍କୁ ସ୍ବାବଲମ୍ବୀ ଓ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବହୁ ସମୟରେ ସେମାନଙ୍କ ବିଭିନ୍ନ ଅଭାବ ଅସୁବିଧାକୁ ଦୃଷ୍ଟିରେ ରଖି ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ପିତଳ ଗ୍ରାମରେ ଅବସ୍ଥିତ ପିତଳ ତନ୍ତୁବାୟ ସହଯୋଗ ସମିତି ଲିଃ ର ୪୨ଜଣ ବୁଣାକାରଙ୍କୁ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ସାମିଲ କରାଯାଇଛି। ଏହି କ୍ରମରେ ସୋମବାର ସମିତିର ନୂତନ କୋଠା ଗୃହରେ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଆଦେଶନାମା ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ପାଦକ ସୂର୍ଯ୍ୟ ନାରାୟଣ ମହାରଣାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାନେତ୍ରୀ କେ.ତେଜେଶ୍ୱରୀ ପାତ୍ର, ସନ୍ତୋଷପୁର ରାଜସ୍ବ ମଣ୍ଡଳ ନିରୀକ୍ଷକ ମଧୁସୂଦନ ବିଷୋୟୀ, ଓଡ଼ିଶା ବୁଣାକାର ସଂଘ ଉପସଭାପତି ତଥା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଅନୀଲ କୁମାର ମହାପାତ୍ର ଓ ଶେରଗଡ଼ ବ୍ଲକ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପିଙ୍କୁ ପରିଡ଼ା ପ୍ରମୁଖ ଅତିଥି ବୃନ୍ଦ ଉପସ୍ଥିତ ଥିଲେ। ପୂର୍ବରୁ ୩୧ଜଣଙ୍କୁ ଏଵଂ ବର୍ତ୍ତମାନ ୧୧ଜଣ ହିତାଧିକାରୀଙ୍କୁ ମଞ୍ଚସିନ ଅତିଥିମାନେ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ଆଦେଶନାମା ପତ୍ର ବଣ୍ଟନ କରିଥଲେ। ଆଦେଶନାମା ପତ୍ର ପାଇ ହିତାଧିକାରୀ ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ।

ବୁଣା କାର୍ଯ୍ୟ ସମୟରେ ବିଜୁଳି ବ୍ୟାହତ କାରଣରୁ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ସାମିଲ ହୋଇ ବେଶ ଉପକୃତ ହୋଇଛୁ ବୋଲି ଖୁସି ପ୍ରକାଶ କରିଥିଲେ। ଆଗାମୀ ଦିନରେ ପିତଳ ଗ୍ରାମରେ ବୁଣାକାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ବୁଣାକାର ଭାଇ ଓ ଭଉଣୀଙ୍କୁ ଏହି ଯୋଜନାରେ ସାମିଲ କରି ମୁଖ୍ୟମନ୍ତ୍ରୀଙ୍କ ମହତ ଉଦ୍ଦେଶ୍ୟ ସାକାର ହେବା ଲକ୍ଷ୍ୟ ରହିଛି ବୋଲି ସଭାନେତ୍ରୀ ଓ ମହାସଂଘ ଉପସଭାପତି ଦ୍ବୟ ପ୍ରତିକ୍ରିୟା ରଖିଛନ୍ତି। ପରେ ସମସ୍ତ ହିତାଧୀକାରୀ ବୁଣାକାରଙ୍କ ପ୍ରତି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ଏହାର ସଫଳ ରୂପାୟନ ପ୍ରତି ସାଧୁବାଦ ପ୍ରଦାନ କରି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।















