No Result
View All Result
୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଏକକ ବ୍ୟବହୃତ ପଲିଥିନ୍ ନିଷେଧକୁ ୪ବର୍ଷ ଅତିବାହିତ ହୋଇ ଯାଇଥିବା ବେଳେ ଏହାର କଟକଣା ଏକ ପ୍ରକାର ଲୋକ ଦେଖାଣିଆ କହିଲେ ଅତ୍ୟୁକ୍ତି ହେବନାହିଁ । କଟକଣା ଲାଗୁ ହେବାର ସପ୍ତାହେ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ ଯୋଗୁଁ ଦୋକାନ ବଜାରରେ ପଲିଥିନ୍ ବିକ୍ରି ଓ ବ୍ୟବହାର ଦେଖିବାକୁ ମିଳୁନଥିବା ବେଳେ ଏବେ ଧିରେ ଧିରେ କାୟାବିସ୍ତାର କରିବାରେ ଲାଗିଲାଣି ।
ଯଦିଓ ପଲିଥିନ୍ ବ୍ୟବହାର କମିଛି କିନ୍ତୁ ବିଭିନ୍ନ ଶୁଖିଲା ଖାଦ୍ୟ ସାମଗ୍ରୀ ସକାଶେ ଦେଶୀ ବିଦେଶୀ କମ୍ପାନୀ ମାନଙ୍କ ଜରି ବ୍ୟବହାରରେ କୌଣସି ପ୍ରକାର ପରିବର୍ତନ ଘଟିନଥିବା ଦେଖିବାକୁ ମିଳୁଛି । ୨୦୧୯ ମସିହା ଗାନ୍ଧୀଜୟନ୍ତିରୁ ଏକକ ବ୍ୟବହୃତ ପଲିଥିନ୍ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ପରେ ଓଡ଼ିଶା ସମେତ ସମଗ୍ର ଦେଶରେ ଏହି ନିୟମ ଲାଗୁ କରାଯାଇଛି । ଗାନ୍ଧୀଜୟନ୍ତି ପରେ ପରେ ସରକାରୀ କଳ ତତ୍ପର ହୋଇ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରିବା ଫଳରେ ହିଞ୍ଜିଳିକାଟୁ ପୌରାଞ୍ଚଳର କୌଣସି ବି ବ୍ୟବସାୟିକ ପ୍ରତିଷ୍ଠାନରେ ପଲିଥିନ୍ ଦେଖିବାକୁ ମିଳିନଥିଲା ।

କିନ୍ତୁ ଧିରେ ଧିରେ ବ୍ୟବସାୟୀ ଓ ଗ୍ରାହକ ମାନେ ପଲିଥିନ୍ ବ୍ୟବହାର କରିବା ଆରମ୍ଭ କରିଦେଲେଣି । ପାର୍ବଣ ସମୟରେ ବିପୁଳ ପରିମାଣରେ ପଲିଥିନ୍ କାରବାର ହୋଇଥିବା ବେଳେ ବିନା ଭୟରେ ଏବେ ବ୍ୟବସାୟିକ ପ୍ରତିଷ୍ଠାନ ମାନେ ବିକ୍ରି ଓ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ତେବେ ଜରିମାନା ଭୟରେ କେତେକ ବ୍ୟବସାୟିକ ଅନୁଷ୍ଠାନ ପଲିଥିନ୍ର ବିକଳ୍ପ ଭାବେ କାଗଜ ମୁଣି ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ସକାଶେ ବ୍ୟବହୃତ ଜରି ଉପରେ କୌଣସି କଟକଣା ନଥିବାରୁ ତାହା ମୁଣ୍ଡବିନ୍ଧାର କାରଣ ହୋଇଛି । ବିଭିନ୍ନ କମ୍ପାନୀର ବିସ୍କେଟ ଠାରୁ ଆରମ୍ଭ କରି ବିଭିନ୍ନ ଦେଶୀ ବିଦେଶୀ କମ୍ପାନୀର ଶୁଖିଲା ଖାଦ୍ୟ, ନୁଡ଼ୁଲ୍ସ ଇତ୍ୟାଦି ପାଇଁ ବ୍ୟବହୃତ ଜରି ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ପରିବେଶ ପ୍ରଦୁଷଣ କରୁଛି ।
ବିଶେଷ କରି ଦେଶୀ ମହୁଲି ମଦର ମୁଲ୍ୟଓ ପରିମାଣ ଅନୁଯାୟୀ ପଲିଥିନ ପାଉଚର ବହୁଳ ବ୍ୟବହାର ଯୋଗୁଁ ଶାଖା ମଦ ଦୋକାନ ଗୁଡିକ ଏବେ ପଲିଥିନ ହବ ପାଲଟିଛି।ଜରି ଗୋଟାଳି ମାନେ ପୂର୍ବଭଳି ଆଉ ଏହାକୁ ନେଉନଥିବାରୁ ଏବଂ ଏହାକୁ କେହି ଖରିଦ କରୁନଥିବାରୁ ଏହା ଏକ ମୁଖ୍ୟ ସମସ୍ୟା ପାଲଟିଛି । ଫଳରେ ପଲିଥିନ୍ କଟକଣାକୁ ଏହା ଏକ ପ୍ରକାର ଉପହାସ କରିବାରେ ଲାଗିଲେଣି । ଅନୁରୂପ ଭାବେ ବିଭିନ୍ନ ଦୁଗ୍ଧ କମ୍ପାନୀ ଗୁଡ଼ିକ ବ୍ୟବହାର କରୁଥିବା ପଲିଥିନ୍ ବି ସହରରେ ଉଡ଼ି ବୁଲୁଛି । ଅବଶ୍ୟ ଜରି ଗୋଟାଳି ମାନେ ଏହାକୁ ନେଇ ବିକ୍ରି କରୁଥିବା ଦେଖିବାକୁ ମିଳୁଛି ।

ନିୟମ ଲାଗୁ ହେବା ପରେ ସରକାରୀ କଳ ପଲିଥିନ୍ କଟକଣାକୁ ଯେଭଳି କଡ଼ାକଡ଼ି ଭାବେ ପାଳନ କରୁଥିଲେ ତାହା ଆଉ ଦେଖିବାକୁ ମିଳୁନାହିଁ । କେତେବେଳେ କାଁ ଭାଁ କେତୋଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରି କାମ ସାରି ଦେଉଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ପୌର ପ୍ରଶାସନର ଏଭଳି ଲୋକ ଦେଖାଣିଆ ଚଢାଉ ପରେ ହିଞ୍ଜିଳିକାଟୁ ପୌରାଞ୍ଚଳର ବ୍ୟବସାୟୀ ମାନେ ପଲିଥିନ ବିକ୍ରି କରିବା ଆରମ୍ଭ କରିଦେଲେଣି । ସେହିଭଳି ଏକକ ବ୍ୟବହୃତ ପ୍ଳାଷ୍ଟିକ ପାଣି ବୋତଲ ଉପରେ କୌଣସି କଟକଣା ନଥିବାରୁ ସହର ସାରା ଏବେ ଜରିମୁଣା ଭଳି ପ୍ଳାଷ୍ଟିକ ବୋତଲ ଗଡ଼ୁଛି ।
ଏକକ ବ୍ୟବହୃତ ପଲିଥିନ୍ ଓ ପ୍ଳାଷ୍ଟିକ ସାମଗ୍ରୀ ଉପରେ କଟକଣା ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଘୋଷଣା କରିଥିବା ବେଳେ ଏହା କେଉଁଠୁ ଆସୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ହାଟ ବଜାରରେ ଛୋଟ ଛୋଟ ବ୍ୟବସାୟୀକ ଉପରେ ଚଢାଉ କରିବା ଅପେକ୍ଷା ଏହାକୁ ପ୍ରସ୍ତୁତ କରୁଥିବା କାରଖାନା ଉପରେ ଚଢାଉ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ପ୍ରକୃତ ସୁଫଳ ମିଳିପାରିଥାନ୍ତା ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

No Result
View All Result