୦୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜୁରି ଗ୍ରାମ ଗଡ଼ସାହିର ମନୋଜ କୁମାର ପାଲଟାସିଂହ ନାମକ ଜଣେ ଶିକ୍ଷକଙ୍କ ନାବାଳକ ପୁତ୍ର ଶୁଭମ୍ ପ୍ରକାଶ ପାଲଟାସିଂହ (୧୪)ଙ୍କର ଛୁରା ମାଡ ଘଟଣାରେ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଛି l
ମିଳିଥିବା ସୂଚନା ଅନୁସାରେ ବୁଧବାର ସନ୍ଧ୍ୟା ପ୍ରାୟ ୬.୩୦ ମିନିଟ୍ ସମୟରେ ଘରର ମୁଖ୍ୟ ଫାଟକ ବନ୍ଦ ଥିବାବେଳେ କେହିଜଣେ ଗେଟକୁ ବଢେଇଥିଲା. ବାହାରେ କିଏ ଡାକୁଛି ବୋଲି ଶୁଭମ ଯାଇ ଗେଟ ଖୋଲିଥିବା ବେଳେ କେହି ଜଣେ ଅଜଣା ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ଧାରୁଆ ମାରଣାସ୍ତ୍ରରେ ବେକ ଓ ଛାତିକୁ କ୍ଷତାକ୍ତ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି l

ତେବେ ବାହାରେ ଆର୍ତ୍ତଚିତ୍କାର ଶୁଣି ପରିବାର ଲୋକେ ବାହାରକୁ ଦୌଡ଼ି ଆସି ଦେଖିବା ବେଳକୁ ତାଙ୍କର ପୁଅ ଗୁରୁତର ଅବସ୍ଥାରେ ପଡ଼ି ଛଟପଟ ହେଉଛି l ଅଚାନକ ପୁଅର ଏଭଳି ଅବସ୍ଥା ଦେଖି ଘରଲୋକେ କିଂକର୍ତ୍ତବ୍ୟମୁଢ ହୋଇ ତାକୁ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି l
ଖବରପାଇ ଜଟଣୀ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଥିବା ବେଳେ ଆସନ୍ତାକାଲି ସକାଳେ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଞ୍ଚିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି l ତେବେ ରାତି ହୋଇ ଯାଇଥିବାରୁ ପୁଲିସ ସେଠାରେ ମୁତୟନ ରହି ପରିସ୍ଥିତି ଉପରେ ନଜର ରଖିଛି l ଅପରପକ୍ଷେ ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆସାମୀକୁ ଧରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି l














