୦୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :- ଆର ଏସ ଏସ ପରିଚାଳିତ କେନ୍ଦ୍ର ମୋଦୀ ସରକାର ମନ୍ଦ ଉଦ୍ଦେଶ୍ୟ ରଖି ଇ ଡି ଲଗାଇ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଉପରେ ଗତ ଅକ୍ଟୋବର ୩ ତାରିଖ ଦିନ ଦିଲ୍ଲୀରେ କରିଥିବା ଆକ୍ରମଣ ର ତୀବ୍ର ବିରୋଧ କରି ଆଜି ଅପରାହ୍ନ ୪ ଟାରେ ରଣପୁର ପଞ୍ଚୁଦୋଳ ପଡିଆ ସହିଦ ମଣ୍ଡପ ଠାରେ ସି ପି ଆଇ (ଏମ) ,ଜାତୀୟ କଂଗ୍ରେସ ଓ ନାଗରିକ ସମାଜ ତରଫରୁ ଏକ ଗଣପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି। ସାଥୀ ନିତ୍ୟାନନ୍ଦ ପରିଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ବିଜେପି ନେତୃତ୍ବାଧୀନ ମୋଦୀ ସରକାର ଓ ରାଜ୍ୟ ବିଜେଡି ସରକାରଙ୍କ ର ଗଣମାଧ୍ୟମ ସଂସ୍ଥା ଓ ତାର ସାମ୍ବାଦିକ ମାନଙ୍କ ଉପରେ କରିଥିବା ଲଗ୍ନ ଆକ୍ରମଣ ର ନିନ୍ଦା କରିବା ସହ ତୀବ୍ର ସମାଲୋଚନା କରିଥିଲେ।

ମଣିପୁରରେ ମହିଳା ଉପରେ , ଚାଷୀ ଶ୍ରମିକ ଶ୍ରେଣୀ ଉପରେ କେନ୍ଦ୍ର ସରକାରଙ୍କ ଆକ୍ରମଣ କୁ ଚପେଇ ଦେବାର ଉଦ୍ୟମ ଏବଂ ଭାରତ ବର୍ଷର ଗଣତନ୍ତ୍ର,ସମ୍ବିଧାନ ଓ ସ୍ୱାଧୀନ ବ୍ୟବସ୍ଥା ଗୁଡିକ ଉପରେ ଆକ୍ରମଣ ର ପର୍ଦ୍ଦାଫାସ କରୁଥିବା ଦିଲ୍ଲୀର ନିଉଜୁ କ୍ଲିକ ସମେତ ଅନ୍ୟ ସଂସ୍ଥାର ସାମ୍ବାଦିକ ଙ୍କ ଉପରେ ଇ ଡି ଚଢ଼ାଉ କରିବା ସହ ପ୍ରାୟ ୮୦ ଟି ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ସହ ଲାପଟପ ମଧ୍ୟ ସିଜି କରି ଭୟଭୀତ କରିବା ଓ ଗିରଫ କରି ଜେଲ ନେବା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି ବକ୍ତା ମାନେ କହିଥିଲେ । ଗଣମାଧ୍ୟମ ଭଳି ସ୍ୱାଧୀନ ସଂସ୍ଥା ଗୁଡିକ ବହୁ ଲୁକାୟିତ ଘଟଣା କୁ ଲୋକ ଲୋଚନ କୁ ଆଣିବା ସହ ସମାଜରେ ଜାଗ୍ରତ ପ୍ରହରିଭାବେ କାମ କରୁଛନ୍ତି ।

ଏଭଳି ସ୍ୱାଧୀନ ସଂସ୍ଥା ଗୁଡିକର କଣ୍ଠ ରୋଧ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗଣତନ୍ତ୍ର କୁ ହତ୍ୟା କରିବାର ପ୍ରୟାସ ବିରୋଧରେ ଜନତା ଜନାର୍ଦ୍ଦନ ଜାଗି ଉଠିବାକୁ ବକ୍ତା ମାନେ ଆହ୍ବାନ ଦେଇଥିଲେ।ଆଜିର ପ୍ରତୀକାତ୍ମକ ଆନ୍ଦୋଳନ ଭବିଷ୍ୟତରେ ଦୁର୍ବାର ଆନ୍ଦୋଳନରେ ପରିଣତ ହେବ ଏଥିପାଇଁ ଉଭୟ ସରକାର ଉଚିତ ଦଣ୍ଡ ପାଇବେ ବୋଲି ବକ୍ତା ମାନେ ଚେତାବନୀ ଦେଇଥିଲେ। ଏହି ପ୍ରତିବାଦ ସଭାରେ ବରିଷ୍ଠ ବାମପନ୍ଥୀ ନେତା ହରିଶ୍ଚନ୍ଦ୍ର ମିଶ୍ର ,ନିତ୍ୟାନନ୍ଦ ପରିଡା, କଂଗ୍ରେସ ନେତା ସତ୍ୟବ୍ରତ ନାୟକ, ଶ୍ରମିକ ନେତା ସୁରେଶ ସ୍ବାଇଁ,ବିଶିଷ୍ଟ ସାମ୍ବାଦିକ ତଥା ନାଗରିକ ସମାଜ ର ପ୍ରତିନିଧି ବିଶ୍ୱରଂଜନ ଆଚାର୍ଯ୍ୟ, ଦୁଃଶାସନ ଜେନା,ଶତ୍ରୁଘନ ବରାଡ଼, ଆଇନଜୀବୀ ସତ୍ୟରଞ୍ଜନ ମତା, ସଂଯୁକ୍ତା ସେଠୀ, ସୁଶୀଲ ମହାନ୍ତି, କୁଳମଣି ପଲେଇ,ସବ୍ୟସାଚୀ ସେନାପତି ,ପ୍ରଭାତ ଦଳେଇ ,କୃଷ୍ଣ ସେଠୀ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ ।














