୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> କଟକସ୍ଥିତ କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଆଜି ଭୁବନେଶ୍ୱର ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ସରକାରଙ୍କର ଏକ ପ୍ରମୁଖ ବିଭାଗ । ସରକାରଙ୍କ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବା ସହ ବିଭିନ୍ନ ଯୋଜନାଗୁଡିକର ସୁଫଳ ଯେପରି ସାଧାରଣ ଲୋକଙ୍କ ହିତରେ ଲାଗି ପାରିବ ସେଥିପାଇଁ ବିଭାଗର ଭୂମିକା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଦ୍ୱାରା ହିତାଧିକାରୀମାନେ ଏହାର ସୁଫଳ ପାଇଥାନ୍ତି ।

ଏପରିକି ଲୋକମାନଙ୍କ ବିଭିନ୍ନ ଆବଶ୍ୟକତା ଓ ସମସ୍ୟାକୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇବା ମଧ୍ୟ ବିଭାଗର ଗୁରୁ ଦାୟିତ୍ୱ ରହିଛି । ସାଧାରଣ ଜନତା, ସରକାର ଓ ପ୍ରଶାସନ ସହ ସମନ୍ୱୟ ରକ୍ଷାକରି ଏକ ସେତୁ ଭଳି କାର୍ଯ୍ୟ କରିବାକୁ ଶ୍ରୀ ନାୟକ ପରାମର୍ଶ ଦେବା ସହ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଶ୍ରୀ ନାୟକ ବାଲିପାଟଣାସ୍ଥିତ କାର୍ଯ୍ୟାଳୟର ସୂଚନା କେନ୍ଦ୍ର ଓ ପାଠାଗାରକୁ ଯାଇ ପୁସ୍ତକ, ପାଠକ ପଞ୍ଜିକରଣ, ଉପକରଣ ପୁସ୍ତିକା ଏବଂ ରେକର୍ଡପତ୍ର ଯାଞ୍ଚକରି ଖୁସିବ୍ୟକ୍ତ କରିଛନ୍ତି । ପାଠକମାନଙ୍କ ପାଇଁ ଅଧିକ ଇଂରାଜୀ ଖବରକାଗଜ, ପତ୍ରପତ୍ରିକା କିଣିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ପାଠକମାନଙ୍କ ନିମନ୍ତେ ଆନୁସଙ୍ଗିକ ସୁବିଧା ବୃଦ୍ଧି ଉପରେ ଆଲୋଚନା କରିଥିଲେ । ଏହି ଗସ୍ତ ଓ ସମୀକ୍ଷାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା, ଗୌର ଚନ୍ଦ୍ର ମହାପାତ୍ର, ବରିଷ୍ଠ ରାଜସ୍ୱ ସହାୟକ ମେରିଲୀନା ସାମନ୍ତରାୟ, କର୍ମଚାରୀ ରଥିଆ ନାୟକ, ରାମଚନ୍ଦ୍ର ପଲେଇ, ପ୍ରଦୀପ କୁମାର ମାନଧାତା ପ୍ରମୁଖ ଉପସ୍ଥିତ ଥିଲେ ।














