”ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟେ ଜଣେ “
୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବିନା ଗୁରୁରେ ଜ୍ଞାନଲାଭ କରିବା ଅସମ୍ଭବ। ସୁତରାଂ ମୋକ୍ଷ ରୂପକ ମାର୍ଗ ଦେଖାଉଥିବା ବ୍ୟକ୍ତି ‘ଗୁରୁ’ ହିଁ ଅଟନ୍ତି। ଗୁରୁ ଶିଷ୍ୟ ମନରୁ କେବଳ ଅଜ୍ଞାନତା ନୁହେଁ, ତା’ ଭିତରେ ଥିବା ଅହଂକାରକୁ ମଧ୍ୟ ଦୂର କରନ୍ତି। ଅଜ୍ଞାନତା ହିଁ ସୁଖ-ଦୁଃଖ, ଜୀବନ-ମୃତ୍ୟୁ ମଧ୍ୟରେ ବିଭେଦ ସୃଷ୍ଟି କରିଥାଏ। ମାତ୍ର ମନରୁ ଅଜ୍ଞାନତା ଦୂର ହୋଇଗଲେ ଜୀବନର ବାସ୍ତବ ସତ୍ୟକୁ ଉପଲବ୍ଧି କରିହୁଏ। ଏହାକୁ ଧ୍ୟେୟ କରି ବାଟଚାଲିଲେ ଜୀବନର ଚଲାପଥ ହୁଏ କୁସୁମିତ। ସବୁ ବାଧାବିଘ୍ନକୁ ସହିବା ପାଇଁ ମନରେ ଆସେ ଅଦମ୍ୟ ସାହସ।
ଏହା ନେପଥ୍ୟରେ ରହିଥାଏ ଗୁରୁଙ୍କ ଅସାମାନ୍ୟ ତ୍ୟାଗ, ଉତ୍ସର୍ଗୀକୃତ ଭାବନା ଓ ଅସୁମାରି ସ୍ନେହପ୍ରେମ। ତାଙ୍କ ପରି ହିତକାରୀ ସଂସାରରେ ବିରଳ ନିଶ୍ଚିତ। ସନ୍ଥ କବୀରଙ୍କ ଭାଷାରେ- ”ସଦ୍ଗୁରୁ ସମ କୋଇ ନହିଁ ସାତ ଦୀପ ନୌ ଖଣ୍ଡ, ତିନ୍ ଲୋକ ନ ପାରୟେ, ଅରୁ ଇକଇସ ବ୍ରହ୍ମାଣ୍ଡ।“ ଅର୍ଥତ୍ ସାତଦ୍ୱୀପ, ନଅ ଖଣ୍ଡ, ତିନି ଲୋକ, ଏକୋଇଶ ବ୍ରହ୍ମାଣ୍ଡରେ ସଦ୍ଗୁରୁଙ୍କ ସମାନ ହିତକାରୀ ଆପଣ କାହାକୁ ମଧ୍ୟ ପାଇବେ ନାହିଁ। ପିତାମାତା ହେଉଛନ୍ତି ଶିଶୁର ଆଦ୍ୟଗୁରୁ।
ସେମାନଙ୍କ ସଂଯମ, ଅଚରଣ, ଉଚ୍ଚାରଣ, ସଂସ୍କାରର ପ୍ରତିଫଳନ ଘଟେ ଶିଶୁ ଉପରେ। ପରବର୍ତ୍ତୀ ସମୟରେ ସେ ବିଦ୍ୟାଶିକ୍ଷା ପାଇଁ ଗୁରୁଙ୍କ ଶରଣାପନ୍ନ ହୋଇଥାଏ। ଏ ଶିକ୍ଷାର କିନ୍ତୁ ଶେଷ ନ ଥାଏ। କାରଣ ଏଠି ଜୀବନଟା ହେଉଛି ଶିକ୍ଷାର ଏକ ପ୍ରୟୋଗଶାଳା। ଗୁରୁଙ୍କ ଦିଗ୍ଦର୍ଶନ କାରଣରୁ ସମୟଠାରୁ ସେ ବହୁତ କିଛି ଶିଖିଥାଏ। ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ସାଜି ନ ପାରେ। ଶିଖିବାରେ ନିଷ୍ଠା ରଖୁଥିବା ବ୍ୟକ୍ତି ହିଁ ଜଣେ ଯୋଗ୍ୟ ଗୁରୁ ହୋଇଥାନ୍ତି। ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଭାଷାରେ- ”ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟେ ଜଣେ।“
ଜଣେ ବ୍ୟକ୍ତି ଜଣେ ଶିକ୍ଷକଙ୍କୁ ପ୍ରଶ୍ନ କଲେ , ଆମେ ବି ଚାକିରୀ କରି ଦରମା ପାଉଛୁ , ଆପଣମାନେ ବି ଦରମା ନେଇ ପାଠ ପଢ଼ାଉଛନ୍ତି ହେଲେ , ଆପଣମାନଙ୍କୁ ଏତେ ଉପରେ କାହିଁକି ବସାଯାଉଛି , ମୁଁ କିଛି ବୁଝି ପାରୁନି ! ଈଶ୍ୱରଙ୍କର ଆଖ୍ୟା ଦେବାର କାରଣ କ’ଣ ? ଶିକ୍ଷକ ଜଣକ ଅଳ୍ପ ଟିକେ ହସି ଦେଇ କହିଲେ , ” ଆପଣ ପୁରା ଠିକ୍ କହିଲେ ଆଜ୍ଞା। ଆମେ ଆପଣଙ୍କ ପରି ଚାକିରୀ କରି ଦରମା ପାଉଛୁ ,ଏଥିରେ ଆମର କିଛି ବାହାଦୁରୀ ନାହିଁ। ପରିବାର ପୋଷିବାକୁ ଏ ଦରମା ଗଣ୍ଡାକ ପାଇଁ ଆମେ ମାସଯାକ ଚାହିଁ ରହିଥାଉ। ଲାଞ୍ଚ ନେଇ ଫାଇଲ୍ ଏପଟ ସେପଟ କରିବାର ସୁଯୋଗ ଆମ ଚାକିରୀରେ ନାହିଁ କି ଅନ୍ୟ କାହାର ବୁକୁଚା ବୋହି ଶୁଖିଲା ରାଜନୀତି କରି ଦି ପଇସା କମେଇବାର ଅଯଥା ଇଚ୍ଛା ମଧ୍ୟ ଆମମାନଙ୍କର ନାହିଁ। ସାଧାସିଧା ଜୀବନ ବଞ୍ଚିବା ଭିତରେ ଏବଂ ନିଜ ଅପେକ୍ଷା ଅନ୍ୟମାନଙ୍କ କଥା ଅଧିକ ଚିନ୍ତା କରୁ ,
କେବେ ଆମମାନଙ୍କର ଚାକିରୀ ସରିଯାଏ ଓ ଆମେମାନେ କେବେ ଅନ୍ୟମାନଙ୍କ ପାଇଁ ଅଲୋଡ଼ା ଅଖୋଜା ହୋଇଯାଉ ଜଣା ପଡ଼େନାହିଁ।” ଆଉ ରହିଲା ଦରମା କଥା। କହୁଛି ଶୁଣନ୍ତୁ “ଆମେ ଆପଣମାନଙ୍କ ପିଲାଙ୍କୁ ଏମିତି କିଛି ଦାନ କରୁ ଯାହାର ମୂଲ୍ୟ କେହି ବି ଦେଇ ପାରିବେନାହିଁ। ଓଡ଼ିଆରେ ତାକୁ ବିଦ୍ୟା କହନ୍ତି ଏବଂ ଇଂରାଜୀରେ knowledge , ଯାହାକୁ ସେ ବ୍ୟବହାର କରି ଭବିଷ୍ୟତରେ ସେ ତା ନିଜ ସହ ପରିବାର ପୋଷିବା ପାଇଁ ସକ୍ଷମ ହୁଏ। ହୋଇପାରେ ଏଥିପାଇଁ ଆମେ ଦରମା ନେଉ , ହେଲେ ଆପଣ କହିପାରିବେ ଆପଣଙ୍କ ପିଲାକୁ ନିଃସ୍ୱାର୍ଥପର ଭାବେ ଗେହ୍ଲା କରିବାକୁ ଆମେ କେବେ ପଇସା ମାଗିଛୁ ? ଆପଣଙ୍କ ପିଲା ଆପଣମାନଙ୍କୁ ଛାଡି ଆମପାଖରେ ଦିନକୁ ପ୍ରାୟ ଛଅ ଘଣ୍ଟାଧରି ରହେ , ତାର ସମସ୍ତ ଭଲମନ୍ଦ, ସୁଖଦୁଃଖ , କଣ ଖାଇକି ଆସିଛି ନା ନାହିଁ , ଯଦି ନ ଖାଇଛି ଭୋକ ହେଉଛି କି ପଚାରି ବୁଝିବାପାଇଁ ଆମେ କେବେ ପଇସା ମାଗିଛୁ ?
ଆପଣମାନଙ୍କ ପିଲାର ମୁହଁ ଶୁଖି ଯାଇଥିଲେ ବାପାରେ ମାଆରେ କହି ତା ମୁଣ୍ଡ ଆଉଁସି ତା’ର କ’ଣ ହୋଇଛି ବୋଲି ପଚାରି ବୁଝିବାକୁ ଓ ତା ଓଠରେ ଟିକେ ହସ ଫୁଟେଇବାକୁ ନିଜକୁ joker କରିବାକୁ ବି ଆମେ କେବେ ପଛଘୁଞ୍ଚା ଦେଇନୁ , ସେଥିପାଇଁ ଆମେ କେବେ ପଇସା ମାଗିଛୁ କି ? ଯେତେବେଳେ ଖେଳ ଛୁଟିରେ ସବୁ ପିଲା tiffin ଖାଉଥିବା ସମୟରେ ଯଦି କୌଣସି ଛୁଆ tiffin ନ ଆଣି ମୁହଁ ଶୁଖେଇ ଠିଆ ହୋଇଥିବା ସମୟରେ ଆମ ଆଖି ପଡିଯାଇଛି ଓ ତାକୁ ଡାକି ଯେତେବେଳେ ଆମେ କହିଛୁ ମା’ ରେ କି ବାପା ରେ ଆଜି ଅନ୍ୟ sir ମାନେ tiffin ଆଣିଥିଲେ ଖାଇଦେଇ ପେଟ ପୁରା full ହୋଇଯାଇଛି ତ , ଏ tiffin ଟା please ଖାଇଦେବୁ ଏବଂ ଛୁଆଟି tiffin ଖାଇବାର ଦେଖି ଯେତେବେଳେ ଆମେ ଖୁସି ହୋଇଛୁ ସେଥିପାଇଁ ଆମେ କେବେ ପଇସା ମାଗିଛୁ ? କେମିତି ଆପଣ ମାନଙ୍କ ପିଲାମାନେ ପରୀକ୍ଷାରେ ଭଲ କରିବେ ,
କାହିଁକି ସେ ପିଲାଟିର ପାଠ ହେଉନି ? ତା’ପାଇଁ କଣ କରାଯାଇପାରିବ ? ଘରେ ବସି ନିରୋଳାରେ ଚିନ୍ତା କରିବାପାଇଁ ଆମେ ପଇସା ମାଗିଛୁ କି ? ଆପଣମାନଙ୍କ ପିଲା ଡରି ଯାଉଥିବା ସମୟରେ ତା’ କାନ୍ଧରେ ହାତ ପକାଇ ଯେତେବେଳେ ଆମେ କହୁ ” ଡରନା ରେ ମାଆ କି ଡରନା ରେ ବାପା , ମୁଁ ଅଛି ପରା ” ସେତେବେଳେ କ’ଣ ଆମେ ପଇସା ମାଗିଛୁ ? ଭୁଲ କଲେ ନିଜ ପିଲା ଭଳି ଆକଟ କରିବାପାଇଁ ଓ ଭଲ କାମ କଲେ ପିଠି ଥାପୁଡ଼େଇ ଆଗକୁ ବଢିବାକୁ ପ୍ରେରଣା ଦେବାପାଇଁ ଆମେ କେବେ ପଇସା ମାଗିଛୁ ? ଆପଣଙ୍କ ଯେବେ ପିଲା ଜଣେ ଦକ୍ଷ ଓ ସଫଳ ମଣିଷ ହୋଇଗଲା ପରେ ଯେତେବେଳେ ସେ ଆମ ସାମ୍ନାକୁ ଆସେ ଓ ଆମ ଛାତି କୁଣ୍ଢେମୋଟ ହୋଇଯାଏ , ଆମେ ତାକୁ କୁଣ୍ଡେଇ ପକେଇ ଖୁସିରେ କାନ୍ଦି ପକାଉ ,
ସେଥିପାଇଁ କ’ଣ ଆମେ ପଇସା ମାଗିଛୁ ? ଏ ସବୁର ହିସାବ କଲେ ନା ସରକାର ଆମ ଋଣ ସୁଝି ପାରିବେ ନା ଆପଣମାନେ l ଆମେ ପିଲାଙ୍କ ପାଇଁ ବଞ୍ଚିଛୁ ଓ ପିଲାଙ୍କ ପାଇଁ ମରିବୁ ତେଣିକି ଯେ ଯାହା କହୁଛି କହୁ।” ଆମେ ସମାଜର ଆଗାମୀ ଭବିଷ୍ୟତ ପିଢ଼ିକୁ ଶୃଙ୍ଖଳିତ କରିବା ପାଇଁ ଚେଷ୍ଟିତ। ସତରେ ଶିକ୍ଷକଙ୍କ ମନର କଥା ଓ ତାଙ୍କ ଅବଦାନକୁ ବୁଝିବାର ଶକ୍ତି ନା ଆଜି ଯାଏ କାହାର ହେଲାଣି ନା ହେବ ? ସମସ୍ତ ଗୁରୁମାନଙ୍କୁ ମୋର ଅନ୍ତରରୁ କୋଟି କୋଟି ପ୍ରଣାମ ।
















