୨୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଦିନେ ଗାଁ ଗଣ୍ଡାରେ ବାସ କରୁଥିବା ସମ୍ଭ୍ରାନ୍ତ ତଥା ସାହୁକାର ଶ୍ରେଣୀର ମୁଖ୍ୟ ପରିଚୟ ଥିଲା ଶଗଡ଼ । ଗାଁ ଠାରୁ ସହର ପର୍ଯ୍ୟନ୍ତ ଶଗଡ଼ର ବହୁଳ ବ୍ୟବହାର ଦେଖିବାକୁ ମିଳୁଥିଲା। ଆଧୁନିକ ଜ୍ଞାନ କୌଶଳର ଉଦ୍ଭାବନ ଓ ଏହାର ପ୍ରୟୋଗ ଫଳରେ ଆଜିକାଲି ପ୍ରାୟ ଶଗଡ଼ ଅଲୋଡ଼ା ହୋଇ ପଡିଛି । ପୂର୍ବରୁ ଲୋକ ମାନଙ୍କ ପାଇଁ ଯାତ୍ରୀ ପରିବହନ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷପତ୍ର ଅର୍ଥାତ ମାଲ ପରିବହନ ପାଇଁ ଏକମାତ୍ର ମାଧ୍ୟମ ଥିଲା ଶଗଡ଼ । ସେତେବେଳେ ଗାଁ ଗଣ୍ଡାର ଅଧିକାଂଶ ଘରେ ଶଗଡ଼ ଗାଡ଼ି ଥିବା ଦେଖିବାକୁ ମିଳୁଥିଲା । କିନ୍ତୁ ବିଜ୍ଞାନର ଅଗ୍ରଗତି ଏବଂ ଯନ୍ତ୍ର ଯୁଗର ଆଗମନ ପରେ ଏକଦା ମଣିଷମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ ଥିବା ଶଗଡ଼ ଗାଡ଼ି ଅଲୋଡ଼ା ହୋଇ କ୍ରମଶଃ ବିଲୁପ୍ତ ପାଇବାରେ ଲାଗିଛି ।

ଶଗଡ଼ ଗାଡ଼ିର କେଁ କଟର ଧ୍ୱନି କେବେଠାରୁ କାଳର କରାଳ ଗର୍ଭରେ ହଜିଗଲାଣି । କାଠରେ ନିର୍ମିତ ଓ ପ୍ରଦୂଷଣ ବିହୀନ ପ୍ରାଚୀନ ପରିବହନ ଯନ୍ତ୍ର ଏବେ ଆଧୁନିକତାର ଛାପରେ ବେଶ ଅଲୋଡ଼ା ହୋଇପଡ଼ିଛି । ପାୱାର ଟିଲର, ଟ୍ରାକ୍ଟର, ହାର୍ଭେଷ୍ଟର ଆଦି ଆଧୁନିକ କୃଷି ଭିତ୍ତିକ ଯନ୍ତ୍ରରେ ଚାଷ କାମ କରି ଧାନ ଅମଳ କରିବା ଏବଂ ପରିବହନ କରିବା ସହଜ ହେଉଛି । ଏବେ ରାସ୍ତା କଡ଼ରେ ଏବଂ ଧାନ ବିଲ ମଧ୍ୟରେ ହାର୍ଭେଷ୍ଟର ମେସିନ ସାହାଯ୍ୟରେ ଚାଷୀ ଧାନ ଅମଳ କରୁଥିବା ଦେଖିବାକୁ ମିଳୁଛି ।ସେହିପରି ପୂର୍ବରୁ ଯାନିଯାତ୍ରା, ବିବାହ ଘର ତଥା ଜଙ୍ଗଲରୁ କାଠ ଆଣିବା ବାଲି, ମାଟି, ଇଟା, ପଥର ବୋହିବା କାର୍ଯ୍ୟରେ ବ୍ୟାପକ ଭାବେ ଶଗଡ଼ ଗାଡ଼ିର ବ୍ୟବହାର ହେଉଥିଲା ।

କିନ୍ତୁ କମ୍ ସମୟରେ ଯାତାୟତ ପାଇଁ ବାଇକ,କାର ,ବସର ବହୁଳ ପ୍ରଚଳନ ଯୋଗୁଁ ଶଗଡ଼ ଗାଡ଼ିର ପ୍ରୟୋଜନ ଯାତ୍ରୀ ପରିବହନ ପାଇଁ ଆଦୌ ବ୍ୟବହାର ହେଉନାହିଁ । କାଁ ଭାଁ ଗ୍ରାମାଞ୍ଚଳରେ ଗରିବ, ଆର୍ଥିକ ଦୁର୍ବଳ ଓ ସ୍ୱାବଲମ୍ବୀ ଚାଷୀ ଶଗଡ଼ ଗାଡ଼ିରେ ଧାନ କ୍ଷେତରୁ ଧାନ ଅମଳ କରି ଖଳାକୁ ଆଣୁଥିବାର ବିରଳ ଦୃଶ୍ୟ କ୍ୱଚିତ ଦେଖିବାକୁ ମିଳୁଛି । ବହୁ ବର୍ଷ ପୂର୍ବରୁ ଲୋକେ ବ୍ୟବହାର କରୁଥିବା ଶଗଡ଼ ଗାଡ଼ି ଏବଂ ଏଥିରେ ଲାଗିଥିବା ଚକ ବର୍ଜ୍ୟବସ୍ତୁ ଭଳି କେଉଁଠି ରାସ୍ତା କଡ଼ରେ ପଡ଼ିଛି ତ କେଉଁଠି ପିଣ୍ଡାରେ ଅଜାଡ଼ି ହୋଇ ତା ଉପରେ ବହଳେ ଧୂଳି ଆସ୍ତରଣ ଜମାଟ ବାନ୍ଧି ପରିତ୍ୟକ୍ତ ଅବସ୍ଥାରେ ପଡି ଅତୀତର ସ୍ମୃତିକୁ ଜାହିର କରୁଛି ।

ଏଭଳି ବିକଳ ଚିତ୍ର ଅତ୍ୟାଧୁନିକ ହାଇଟେକ ସଂସ୍କୃତିର ନୂତନ ପିଢ଼ିଙ୍କ ମନରେ ଜିଜ୍ଞାସା ଭାବ ସୃଷ୍ଟି କରୁଛି । କାରଣ ଶଗଡ଼ ନିର୍ମାଣ ପାଇଁ ବ୍ୟବହାର ହେଉଥିବା ଉପଯୁକ୍ତ କାଠ ଏବେ ସୁଲଭ ମୂଲ୍ୟରେ ମିଳୁ ନାହିଁ । ବଳଦ ଚରାଇବା ପାଇଁ ଲୋକଙ୍କ ଅଭାବ ତଥା ସରକାର କିମ୍ବା ସାମାଜିକ ସ୍ତରରେ ସେମିତି ଶଗଡ଼ ଗାଡ଼ିର ବ୍ୟବହାର ପାଇଁ କୌଣସି ପ୍ରୋତ୍ସାହନ ମିଳୁ ନାହିଁ । ଫଳରେ ଲୋକେ ଶଗଡ଼ ଗାଡ଼ି ଉପରେ ନିର୍ଭରଶୀଳ ନ ହୋଇ ଟ୍ରାକ୍ଟର,ପାୱାର ଟିଲର ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।ତେଣୁ ଶଗଡ଼ ଗାଡ଼ିର ଚାହିଦା ଗାଁ ଠାରୁ ସହର ପର୍ଯ୍ୟନ୍ତ କାଁ ଭାଁ ଦେଖିବାକୁ ମିଳୁଛି ।















