୧୨ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ବାଲୁଗାଁ :-> ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦିଆଯାଇଥିବା ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ମା ମଞ୍ଜୁଳା ଷଡ଼ଙ୍ଗୀ l ମୃତକ ହେଲେ ବାଣପୁର କେନାଲ ସାହିର ରମେଶ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପୁଅ ରଞ୍ଜନ ଷଡ଼ଙ୍ଗୀ (28) । ସୂଚନା ମୁତାବକ ଗତ ମଙ୍ଗଳବାର ରାତିରେ ବାଣପୁର ଥାନା ଅଧୀନ କେନାଲ ସାହିର ରମେଶ ଚନ୍ଦ୍ର ଷଡଙ୍ଗୀଙ୍କ ପୁଅ ରଞ୍ଜନ ଷଡ଼ଙ୍ଗୀଙ୍କର ନିକଟସ୍ଥ ଗୋପାଳପୁର ଗ୍ରାମର ନନ୍ଦ କିଶୋର ମିଶ୍ରଙ୍କ ସାନ ପୁଅ ରଜତ ମିଶ୍ରଙ୍କ ସହ ବାଣପୁର ପାଣ୍ଡିରି ପଦର ଛକ ନିକଟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହେବା ସହ ଗଣ୍ଡଗୋଳ ହୋଇଥିଲା l

ଉକ୍ତ ଗଣ୍ଡଗୋଳ ସମୟରେ ରଜତର ନିଧୁମ ମାଡ଼ରେ ରଞ୍ଜନ ଗୁରୁତର ହୋଇ ସଂଜ୍ଞାହୀନ ଅବସ୍ଥାରେ ପଡ଼ିରହି ଥିଲେ । ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସେଠାରୁ ପୁଅକୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ହେଲେ ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଭୁବନେଶ୍ୱର ଏମ୍ସକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଗଲା । ହେଲେ ସେଠାରେ ଗୁରୁବାର ଦିନ ବିଳମ୍ବିତ ରାତିରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।














