୬ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଭାନପୁର ପଞ୍ଚାୟତ ବାଲିପଡା ଜିଲ୍ଲାର ଅନ୍ୟତମ ବଡ଼ ସାପ୍ତାହିକ ବଜାର। ସମସ୍ତ ପ୍ରକାର ଜିନିଷର ବେପାର ଏଇଠି ହେଉଥିବା ବେଳେ ଏହା ଏକ କୃଷକ ପ୍ରଧାନ ବଜାର ଅଟେ । ବିଶେଷ କରି ଗୋରୁ ବ୍ୟବସାୟ ସହ ଛେଳି, ମେଣ୍ଢା,ବତକ, କୁକୁଡ଼ାର ପ୍ରଚୁର ବ୍ୟବସାୟର ପେଣ୍ଠସ୍ଥଳି ହେଉଛି ସୋମବାର ବାଲିପଡା ବଜାର । ତେବେ ଏଠାରେ ଗାଈଗୋରୁଙ୍କ ପ୍ରତି ବ୍ୟବସାୟୀଙ୍କ ବର୍ବରତା ଦିନକୁଦିନ ବଢିବାରେ ଲାଗୁଥିଲେ ମଧ୍ୟ ପ୍ରଶାସନର କୌଣସି ଅଙ୍କୁଶ ନାହିଁ । ପ୍ରଶାସନ ନିଜ ରାଜସ୍ବ ଗଣ୍ଡାକ ଆଦାୟ କରି ବେଶ ଆରାମରେ ବସିଛି ।ଦେଖିଲେ ଦେହ ସହିବ ନାହିଁ ଯେପରି ଅତ୍ୟାଚାରର ଶିକାର ହେଉଛନ୍ତି ନିରୀହ ପଶୁମାନେ । ବଜାରକୁ ଆସୁଥିବା ବାଛୁରୀ ସହ ଗାଈକୁ ବେପାରୀ କିଣୁଛନ୍ତି ଅଥଚ କ୍ଷୀରଖିଆ ବାଛୁରୀକୁ ଛାଡିଦେଇ ଗାଈକୁ ନେଇ ପଳାଉଛନ୍ତି ।
ନିରୀହ ବାଛୁରୀ ପଲ ହୋଇ ଏଣେତେଣେ ବୁଲୁଛନ୍ତି ନହେଲେ ରାଜରାସ୍ତାରେ ଠିଆ ହୋଇ ରହୁଛନ୍ତି । ଏପରିକି ଗତ କିଛି ଦିନ ତଳେ ବେକ ଓ ଗୋଡକୁ ଦଉଡିରେ ବାନ୍ଧି ଥିବା ଅବସ୍ଥାରେ ଏକ ବଳଦକୁ ଛାଡିଦେଇ ପଳାଇଛନ୍ତି ବେପାରୀ । ୨୧ ଦିନ ଉକ୍ତ ବଳଦଟି ପ୍ରାଣ ବିକଳରେ ଘୁରି ବୁଲୁଛି ଓ ଉକ୍ତ ରସି ତାର ବେକକୁ କାଟି ଦେବା ଫଳରେ ରକ୍ତ ପୂଜରେ ଜୁଡୁବୁଡୁ ହେଉଥିବା ପଶୁଟିକୁ ସ୍ଥାନୀୟ ଲୋକେ ଦେଖିପାରି ଅଗ୍ନିଶମକୁ ସହାୟତା ମାଗିଥିଲେ । ଉକ୍ତ ବଳଦଟିର ଶିଙ୍ଘକୁ ମଧ୍ୟ ମୂଳରୁ ଭାଙ୍ଗି ଦିଆଯାଇଛି । ନିର୍ଘାତ ମାଡ ଦେଇ ତାକୁ ଛାଡି ପଲେଇଛନ୍ତି ବେପାରୀ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାର ବେକରୁ ଦଉଡି କାଟିବା ସହ ପ୍ରାଥମିକ ଚିକିତ୍ସା କରି ତାକୁ ଛାଡି ଦିଆଯାଇଛି । ଅନେକ ସମୟରେ ମାଡମାରି କ୍ଷତବିକ୍ଷତ କରିଥିବା ପଶୁ ମାନଙ୍କୁ ଛାଡିଦେବା ପରେ ରୋଗପୋକ ହୋଇ ଉକ୍ତ ପଶୁମାନେ ଘୁରି ବୁଲୁଥିବା ନୂଆଁ ଘଟଣା ନୁହେଁ ।
ଏପରିକି ଚାଲି ନ ପାରିବା ଗୋରୁକୁ ସେଇଠି ଛାଡି ପଳେଇବା ବ୍ୟବସାୟୀ ମାନଙ୍କ ଅଭ୍ୟାସ ରହିଛି। ଏହି ସମସ୍ତ ଘଟଣାବଳୀକୁ ନେଇ ଗତ ବର୍ଷ ଏହି ସମୟରେ କିଛି ଏହି ଅଞ୍ଚଳର ଆତ୍ମଘୋଷିତ ସ୍ବେଚ୍ଛାସେବୀ ଓ କିଛି ଗଣମାଧ୍ୟମ ପ୍ରତିନିଧି ମିଳିତ ଭାବରେ ନର୍ଲା ଥାନାରେ ଅଭିଯୋଗ କରିଥିଲେ। ଏବଂ ସେହି ସମୟରେ ନର୍ଲା ପୁଲିସ୍ ମଧ୍ୟ ତତ୍ପରତା ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ହେଲେ ପୂର୍ବପରି ସ୍ଵେଚ୍ଛାସେବୀ ଓ ପୋଲିସ ତତ୍ପରତା ପ୍ରକାଶ କରୁନାହିଁ । ପ୍ରତି ରବିବାର ଓ ସୋମବାର ନର୍ଲା ଥାନା ସମ୍ମୁଖରେ ଓ ମଦନପୁର ରାମପୁର -ନର୍ଲା ରାଜରାସ୍ତାରେ ଗୋରୁ ପଲଙ୍କ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ଓ ସାଧାରଣ ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି। ହଜାର ହଜାର ଗୋରୁ ଚାଲାଣ କରାଯାଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନେକ ସମସ୍ୟା ଦେଖାଯାଉଛି। ଏସବୁ ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।














