୨ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା – ଜଟଣୀ :-> ପୁରୁଣା ଘର ପଥର କାନ୍ଥ ଭାଙ୍ଗୁଥିବା ବେଳେ ଖସି ପଡ଼ିଲା ଘର’ର ପୁରୁଣା ବିମ୍ ଆଉ ଚାଲିଗଲା ଜଣେ ଶ୍ରମିକଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ଜଟଣୀ ପୋୖର ପରିଷଦ ଅନ୍ତର୍ଗତ ୯ନମ୍ବର ୱାର୍ଡ ଷଣ୍ଢପୁର ଅଞ୍ଚଳରେ। ଆଜି ସକାଳୁ ବର୍ଷା ଲାଗି ରହିଥିବା ବେଳେ କିଛି ଶ୍ରମିକ ଜଟଣୀ ଷଣ୍ଢପୁର ଅଞ୍ଚଳରେ ଏକ ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଅର୍ଦ୍ଧ ନିର୍ମିତ ଘର ଭାଙ୍ଗିବାକୁ ଯାଇଥିଲେ ।

ଆଜି ବୁଧବାର ଅପରାହ୍ନ ପାଖାପାଖି ୨ଟା ସମୟରେ ଘର କାନ୍ଥ ଭାଙ୍ଗିବା ସମୟରେ ହଟାଥ ବିମ୍ ଖସି ଯିବାରୁ ଶ୍ରମିକଙ୍କ ଉପରେ ମାଡି ବସିଥିଲା। ବିମଟି ବହୁତ ଓଜନ ହୋଇ ଥିବାରୁ ଅନ୍ୟ ଶ୍ରମିକମାନେ ବିମକୁ ଉଠାଇ ପାରିନଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀଙ୍କ ସହାୟତାରେ ଜେସିବି ଦ୍ୱାରା ବିମ୍ ଉଠାଯାଇଥିଲା।

ପରେ ତାଙ୍କୁ ଜଟଣୀ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ଶ୍ରମିକ ହେଉଛନ୍ତି ଧଉଳିମୁହଁ ଗ୍ରାମର ୩୫ ବର୍ଷୀୟ ମୋହନ ମାଝୀ। ଜଟଣୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି ।














