୨ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :- ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ କେସିଙ୍ଗା ନୂତନ କୋର୍ଟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଏଥିରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଅଧ୍ୟକ୍ଷ ତାଲୁକ ଆଇନ ସେବା ସମିତି କେସିଙ୍ଗାର ଧନଞ୍ଜୟ ନାୟକ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୋର୍ଟର ଚତୁଃପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇ ଥିଲା । ଓକିଲ ସଂଘର ସଭାପତି ତଥା ସହକାରୀ ସରକାରୀ ଓକିଲ ପ୍ରକାଶ କୁମାର ଦାସ,ବରିଷ୍ଟ ଆଇନଜୀବୀ ସୌମ୍ୟ ରଞ୍ଜନ ମିଶ୍ର, ସୌର ରଶ୍ମି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ଏତଦବ୍ୟତୀତ କେସିଙ୍ଗା ବନ ବିଭାଗ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ପାରାଲିଗାଲ ସ୍ଵେଚ୍ଛାସେବୀ ଏବଂ କୋର୍ଟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉକ୍ତ କାର୍ଯ୍ୟକ୍ରମ ଟିର ସଫଳ ରୂପାୟନ କରାଯାଇ ଥିଲା । ଜୁଲାଇ ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ କେସିଙ୍ଗା ଅଞ୍ଚଳର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ମଧ୍ୟ ଆୟୋଜନ ହେବ । ଆଜି କୋର୍ଟ ପରିସରରେ ପ୍ରାୟ ୬୦ ଟି ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇ ଥିଲା ।
















