୨୦ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ କିଛି ଦିନ ତଳେ ଏକ ବ୍ୟବସାୟିକଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାକୁ ନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। କେସିଙ୍ଗା ଏସଡିପିଓ ରୋହିତ ବର୍ମାଙ୍କ ନେତୃତ୍ବରେ ଚୋରି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। କେସିଙ୍ଗା ସହରର ଜଣେ ଜଣାଶୁଣା ବ୍ୟବସାୟୀ ସୁବାଷ ଅଗ୍ରୱାଲଙ୍କ ଘରୁ ଡକାୟତମାନେ ରାତିରେ ମୁହଁ ଘୋଡାଇ ବିଭିନ୍ନ ମାରଣାସ୍ତ୍ର ସହ ପରିବାର ଲୋକଙ୍କୁ ଭୟଭୀତ କରି ଶ୍ରୀ ଅଗ୍ରୱାଲଙ୍କ ଘରୁ ନଗଦ ୬ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ। ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ କେସିଙ୍ଗା ଥାନା ଅନ୍ତର୍ଗତ ଗୁର୍ଜିମୁଣ୍ଡା ଗ୍ରାମର ଖିତିଶ ରଣା, ରୁକମନ ରଣା,ବିପେଶ ରଣା, କୁଣ୍ଡାବନ୍ଧ ଗ୍ରାମର ଦୈତାରୀ କରୁଆଁ,ବବଲୁ ଦୀପ, କିକିଆ ଗ୍ରାମର ଧୋବା ଖର୍ସେଲ ଓ ଏମ. ରାମପୁର ଥାନା ଅନ୍ତର୍ଗତ ମଦନପୁର ଗ୍ରାମର ଜଣେ ମହିଳା ଉର୍ମିଳା ରଣା।
ଉର୍ମିଳା ସୁବାଷ ଅଗ୍ରୱାଲଙ୍କ ଘରେ ଚାକରାଣୀ ଭାବରେ କାମ କରି ଆସୁଥିଲେ। ଚାକରାଣୀ ଜଣକ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଏ। ପୋଲିସର ପ୍ରେସ ଇସ୍ତାହାରରୁ ଜଣାପଡିଛି ଯେ ଅଭିଯୁକ୍ତମାନଙ୍କ ଠାରୁ କେସିଙ୍ଗା ପୋଲିସ ଏକ ଲକ୍ଷ ୧୨ ହଜାର ଟଙ୍କା ଜବତ କରିଥିବା ବେଳେ ଅନ୍ୟ ଟଙ୍କା ସେମାନେ ଭାଗବଣ୍ଟା କରି ଖର୍ଚ୍ଚ କରିଥାଇ ପାରନ୍ତି କିମ୍ବା କୌଣସି ସ୍ଥାନରେ ଲୁଚାଇ ରଖିଥିବା ପୋଲିସ ସନ୍ଦେହ କରୁଛି। ସୁନା ଅଳଙ୍କାର ସମ୍ପର୍କରେ ପୋଲିସ କୈାଣସି ସୁରାକ ପାଇ ନ ଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଅଧିକ ପଚରାଉଚରା କଲେ ଏହାର ସୂଚନା ମିଳି ପାରିବ ବୋଲି ଜଣାଯାଏ। ୪ ଗୋଟି ମୋବାଇଲ, ଦୁଇଟି ମଟର ସାଇକେଲ ଓ ମାରଣାସ୍ତ୍ର ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ଠାରୁ ଜବତ କରିଥିବା ସୂଚନା ମିଳେ।
















