ଏଠାରେ ସୂଚନା ଯୋଗ୍ୟ ଯେ ୨ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀ କରି ନିଜର ଇସ୍ତଫା ଦେବା ଘୋଷଣା କରିଥିଲେ । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି । ଉପବାଚସ୍ପତିଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛି ବୋଲି ଶ୍ରୀ ଆରୁଖ ପ୍ରକାଶ କରିଥିଲେ । ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସମ୍ପ୍ରସାରଣ ନେଇ ସ୍ପଷ୍ଟ ହୋଇଯାଇଥିବାବେଳେ ନୂତନ ବାଚସ୍ପତି ମଧ୍ୟ ନିଯୁକ୍ତି କରାଯିବ ବୋଲି ଜଣାପଡ଼ିଛି ।
ଇସ୍ତଫା ଦେବା ପରେ ଶ୍ରୀକାନ୍ତ ସାହୁ କହିଛନ୍ତି ଯେ ନିର୍ବାଚନ ବର୍ଷେରୁ କମ ସମୟ ରହିଛି । ଦଳର ସାଂଗଠନିକ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି । ସେହିପରି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଜିଲା ପରିଷଦ ଉପନିର୍ବାଚନ ହାରିବା ସହିତ ମୋ ଇସ୍ତଫାର କୌଣସି ସମ୍ପର୍କ ନାହିଁ । ସାଂଗଠନିକ ଆବଶ୍ୟକତା ପାଇଁ ଇସ୍ତଫା ଦେଇଛି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଁ ଇସ୍ତଫା ଦେଇଛି ।
ନିଜକୁ ସଂଗଠନ କାମରେ ବିନିଯୋଗ କରିବା ପାଇଁ ବିଚାର କଲି । ଆଉ ଇସ୍ତଫା ଦେଲି ବୋଲି ଶ୍ରୀ ଦାଶ କହିଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳରୁ ଦୁଇଜଣ ବିବାଦୀୟ ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିବା ଓ ଦିନେ-ଦୁଇଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗତକାଲି ଅର୍ଥାତ୍ ମେ’ ୧୧ତାରିଖରୁ ୨୨ତାରିଖ ପର୍ଯ୍ୟଛୁଟିରେ ନିଜ ଗୃହ ରାଜ୍ୟ ହରିୟାଣା ଯାଇଥିବାରୁ ନୂଆ ମନ୍ତ୍ରୀଙ୍କ ଶପଥ ସମାରୋହରେ ବିଳମ୍ବ ହୋଇପାରେ ବୋଲି ଜଣାପଡ଼ିଛି ।

© 2023 Odisha Taza News.