No Result
View All Result
1. ତିନିଦିନିଆ ଓଡିଶା ଗସ୍ତରେ ବୋଡୋଲ୍ୟାଣ୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ
2. ସର୍ବଭାରତୀୟ ସ୍ତରରେ ଅନୁକରଣୀୟ ହୋଇଛି ‘ମୋ ସ୍କୁଲ ଅଭିଯାନ’
୨ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଜାତୀୟସ୍ତରରେ ପ୍ରଶଂସା ସାଉଁଟୁଛି ଓଡିଶାର ‘ମୋ ସ୍କୁଲ’ ଓ ୫-‘ଟିି’ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ । ବିଭିନ୍ନ ରାଜ୍ୟର ଅଧିକାରୀ ଓଡିଶା ଗସ୍ତ କରିବା ସହ ଏହି ଯୋଜନାକୁ ଅନୁଧ୍ୟାନ କରୁଛନ୍ତି । ଏହାର ଉଚ୍ଚପ୍ରଶଂସା କରିବା ସହ ନିଜ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରୂପରେଖ ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ଆସାମ, ବିହାର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟର ପ୍ରତିନିଧି ଓଡିଶା ଗସ୍ତ କରି ମୋ ସ୍କୁଲ ମଡେଲକୁ ଅନୁସରଣ କରିଛନ୍ତି । ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍ ରିଜିଅନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ ବୋରୋଙ୍କ ସହ ଏକ ଟିମ୍ ୩ ଦିନିଆ ଓଡିଶା ଗସ୍ତରେ ଆସି ସୋମବାର ଦିନ ମୋ ସ୍କୁଲ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ସେ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମୋ ସ୍କୁଲ ଅଭିଯାନର ବରିଷ୍ଠ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି । ଓଡ଼ିଶା ସରକାରଙ୍କ ଏହି ଅଭିନବ ପ୍ରୟାସ ଶିକ୍ଷାନୁଷ୍ଠାନ ସହିତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବାରେ ଏକ ନୂତନ ଦିଗ ଦେଖାଇଛି । ନିଜ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀ ସମ୍ମିଳିତ ହୋଇ ଭିତ୍ତିଭୂମିକୁ ସଂଗଠିତ କରିବା ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରୁଛନ୍ତି । ଏହାସହ ନିଜେ ପଢ଼ିଥିବା ଶିକ୍ଷାନୁଷ୍ଠାନକୁ ଶ୍ରମଦାନ ଭଳି ଅଭିନବ ପ୍ରୟାସ ଏବେ ସର୍ବଭାରତୀୟ ସ୍ତରରେ ଉଦାହରଣ ପାଲଟିଛି ।
ସେହିଭଳି ଗୋଷ୍ଠୀ ସହଭାଗିତାର ମଡେଲ ତାଙ୍କୁ ବେଶ୍ ଅନୁପ୍ରାଣିତ କରିଥିବା ଶ୍ରୀ ବୋରୋ କହିଥିଲେ. ଅନ୍ୟପକ୍ଷରେ ୫-‘ଟିି’ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ତାଙ୍କୁ ପ୍ରଭାବିତ କରିଥିଲା । ୫-‘ଟିି’ ହାଇସ୍କୁଲ ରୂପାନ୍ତରୀକରଣରେ ଉଚ୍ଚ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ପରିବର୍ତ୍ତନ ଏବଂ ଶୈକ୍ଷିକ ବାତାବରଣର ଉନ୍ନତିକୁ ସେ ଖୁବ୍ ପ୍ରଶଂସା କରିଥିଲେ । ଏହି ଅବସରରେ ସେ ଯାଜପୁର ଜିଲ୍ଲା ଦାନଗଦି ସ୍ଥିତ ବୁଢ଼ାରାଜା ସରକାରୀ ବିଦ୍ୟାପୀଠ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ କାର୍ଯ୍ୟକ୍ରମର ପ୍ରଭାବ ସମ୍ବନ୍ଧରେ ଆଲୋଚନା କରିଥିଲେ ।
ଆହୁରି ମଧ୍ୟ ସ୍ମାର୍ଟ କ୍ଲାସ୍ରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ୍ ଆଦି ଅନୁଧ୍ୟାନ କରି ୫-‘ଟିି’ ହାଇସ୍କୁଲ ରୂପାନ୍ତରୀକରଣରେ ହୋଇଥିବା ଡିଜିଟାଲ ଟ୍ରାନ୍ସଫରମେଶନକୁ ପ୍ରଶଂସା କରିଥିଲେ । ଉନ୍ନତ ଭିତ୍ତିଭୂମି ପିଲାମାନଙ୍କ ସାମର୍ଥ୍ୟକୁ ଚିହ୍ନଟ କରି ସେମାନଙ୍କ ସ୍ୱପ୍ନ ସାକାର କରିବାରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସରକାରଙ୍କର ମୋ ସ୍କୁଲ ଅଭିଯାନ ସହ ୩୦ଲକ୍ଷରୁ ଊଦ୍ଧ୍ୱର୍ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଥିବାବେଳେ ସେମାନେ ୩୦୦କୋଟିରୁ ଅଧିକ ଆର୍ଥିକ ଅନୁଦାନ ଦେଇ ଶିକ୍ଷାନୁଷ୍ଠାନର ବିକାଶ କରିଛନ୍ତି ।
ଉକ୍ତ ଅର୍ଥରାଶି ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଅର୍ଥରାଶି ମିଶାଇ ପ୍ରାୟ ୫୦ ହଜାର ସ୍କୁଲରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି . ଓଡିଶାର ଏହି ଅଭିନବ ମଡେଲ ସର୍ବଭାରତୀୟ ସ୍ତରରେ ଅନୁକରଣୀୟ ହୋଇଛି । ଏହି ଗସ୍ତ ସମୟରେ ଅନୁଷ୍ଠିତ ବୈଠକରେ ‘ମୋ ସ୍କୁଲ’ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମଣିପ୍ରସାଦ ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ମିଶ୍ର ମୋ ସ୍କୁଲ କଫି ଟେବୁଲ ବୁକ୍ ଓ ନୁ୍ୟଜ୍ଲେଟର ଶ୍ରୀ ବୋରୋଙ୍କୁ ପ୍ରଦାନ କରିଥିଲେ ।

No Result
View All Result