ଆଜି ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ପ୍ରସାର ଭାରତୀ, ପତ୍ର ସୂଚନା ବୁ୍ୟରୋ କାର୍ଯ୍ୟାଳୟ ଓ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରର ମିଳିତ ସହଯୋଗରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ଶହେତମ ଅଧ୍ୟାୟ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସର୍ବଦା ଜନସାଧାରଣଙ୍କଠାରୁ ବିଭିନ୍ନ ବିଷୟ ଉପରେ ପ୍ରସ୍ତାବ, ପରାମର୍ଶ, ମତାମତ ଆଦି ଆହ୍ୱାନ କରିବା ସହ ଯାହା ଗ୍ରହଣଯୋଗ୍ୟ ତାହା ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି ।
ଏହା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିଚୟ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ । ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ଗର୍ବ ଓ ଆହ୍ୱାନର ସମୟ । ଆଗାମୀ ପଚିଶ ବର୍ଷ ଅମୃତକାଳ ବୋଲି ଅଭିହିତ କରି ଏହା ଅସୀମ ସମ୍ଭାବନା ଓ ପରିବର୍ତ୍ତନର ସମୟ ଏବଂ ଏହାର ସଦୁପଯୋଗ କରି ରାଷ୍ଟ୍ରର ଶତବାର୍ଷିକୀ ପାଳନକୁ ସ୍ମରଣୀୟ କରିବା ପାଇଁ ରାଜ୍ୟପାଳ ଏହି ଅବସରରେ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି । ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶର ଅନେକ ପରିବର୍ତ୍ତନକାରୀଙ୍କ ଜୀବନ ଓ କର୍ମର କାହାଣୀ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖରେ ରଖିଛନ୍ତି ।
ଏଥିରେ ରାଜ୍ୟର ମଧ୍ୟ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଅଛନ୍ତି ବୋଲି କହିବା ସହିତ ସେମାନେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ବୋଲି ରାଜ୍ୟପାଳ କହିଥିଲେ । ଜନଜାତି ସଂପ୍ରଦାୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ ଓ ଯୋଜନା ଆରମ୍ଭ କରିଛନ୍ତି କହି ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିବସକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବା ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ପରିଚୟ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ ।
ଜନଜାତି ସଂପ୍ରଦାୟ ମଧ୍ୟରୁ ଅନେକଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାରରେ ଅଳଙ୍କୃତ କରାଯିବା ଫଳରେ ଜନଜାତି ସମୁଦାୟଙ୍କ ଗୌରବ ବୃଦ୍ଧି ହୋଇଛି ଏବଂ ଜନଜାତିଙ୍କ ସାମଗି୍ରକ ବିକାଶ ସରକାରଙ୍କ ଲକ୍ଷ୍ୟ ଓ ପ୍ରୟାସ ବୋଲି ରାଜ୍ୟପାଳ କହିଥିଲେ । ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ ଜରିଆରେ ବସୁଧୈବ କୁଟୁମ୍ବକମ୍ ଆଧାରରେ ଭାରତୀୟ ଭାବେ ଆମେ ସମସ୍ତଙ୍କୁ ଭଲ ପାଇବା, ଆମେ ଗୋଟିଏ ପରିବାର ଓ ଭାରତୀୟ ସଂସ୍କୃତି ଓ ପରମ୍ପରାର ମହକରେ ସମସ୍ତଙ୍କ ହୃଦୟକୁ ଜିତିବା ବୋଲି ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି ବୋଲି ରାଜ୍ୟପାଳ କହିଥିଲେ ।

© 2023 Odisha Taza News.