ପୁରୁଣା କାଚରାମାଳ ଗ୍ରାମ ବାସୀଙ୍କ ପକ୍ଷରୁ ଏନେଇ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଚାପ ପବିତ୍ର ଅକ୍ଷୟ ତୃତୀୟା ଠାରୁ ନରେନ୍ଦ୍ର ପୁଷ୍କରିଣୀରେ ଆରମ୍ଭ ହୋଇଥିଲା ବେଳେ, ଲକ୍ଷେଶ୍ୱରଙ୍କ ଚନ୍ଦନ ଚାପ ଚନ୍ଦନ ପୂର୍ଣ୍ଣିମାର ପାଞ୍ଚଦିନ ପରେ ପାରମ୍ପରିକ ପ୍ରଥା ଅନୁସାରେ ପୁରୁଣା କାଚରାମାଳ ଗ୍ରାମ ନିକଟରେ ଥିବା କୁଆଖାଇ ନଦୀର ଚନ୍ଦନ ଘାଟରେ ଆରମ୍ଭ ହୋଇଥାଏ ।
ପ୍ରତିଦିନ ଅପରାହ୍ନ ୪ଟାରେ ଲକ୍ଷେଶ୍ୱରଙ୍କ ସାନ୍ଧ୍ୟ ନିତିକାନ୍ତି ଶେଷ ହେବା ପରେ , ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ମନ୍ଦିରରୁ ବାହାର କରାଯାଇ , ପୂର୍ବରୁ ପ୍ରସ୍ତୁତି ହୋଇ ରହିଥିବା ସୁସଜ୍ଜିତ ବିମାନରେ ବସାଯାଇ, ଲକ୍ଷେଶ୍ୱର ମନ୍ଦିର ପରିକ୍ରମା କରିସାରିବାପରେ ବିମାନକୁ ଗୋପାଳ ମାନେ କନ୍ଧେଇ ଘଣ୍ଟ ବାଜା ବଜାଇ ଶୋଭାଯାତ୍ରାରେ କୁଆଖାଇ ନଦୀର ଚନ୍ଦନ ଘାଟକୁ ଆଣିଥାନ୍ତି ।
ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ବସିଥିବା ବିମାନକୁ ଚନ୍ଦନ ଘାଟରେ ନିର୍ମିତ ହୋଇଥିବା ଚନ୍ଦନ ମଣ୍ଡପରେ ଅବସ୍ଥାପନ କରାଯାଏ । ପରେ ପରେ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ଚନ୍ଦନ ଘାଟରେ ଚାପ ଖେଳ ପାଇଁ ପ୍ରସ୍ତୁତ ହୋଇ ରହି ଥିବା ନୌକାରେ ବସାଯାଇ ଦିନ ଚାପ ଅନୁଷ୍ଠିତ ହୁଏ। ହଳଦୀ ପାଣିରେ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମାକୁ ଗାଧୋଇ ଦିଆଯାଇ ଚନ୍ଦନ ଲାଗି କରାଯାଏ ।
ଏହାର କିଛି ସମୟ ପରେ ରାତି ଚାପ ଆରମ୍ଭ ହୁଏ । ଦୁଇଟି ଯାକ ଚାପ ସରିବାପରେ ଚନ୍ଦନ ଘଟରୁ ଚନ୍ଦନ ମଣ୍ଡପକୁ ଚନ୍ଦ୍ରଶେଖରଙ୍କ ପ୍ରତିମାକୁ ଅଣାଯାଇ ବିମାନରେ ଅବସ୍ଥାପିତ କରାଯାଏ । ପରେପରେ ଚନ୍ଦନ ଘାଟ ମଣ୍ଡପରେ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମାକୁ ଭୋଗ ଖୁଆଇବା ପାଇଁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ମାନେ ଭୋଗ ଲାଗି କରିଥାନ୍ତି । ଭୋଗ ଖାଇ ସାରିବା ପରେ,
ବିମାନକୁ ବେହେରା ମାନେ କାନ୍ଧେଇ ବାଜା ବାଣ ରୋଷଣୀ ଶୋଭାଯାତ୍ରାରେ ପୁରୁଣା କାଚରାମାଳ ଗ୍ରାମ ପରିକ୍ରମା କରି ଚନ୍ଦନ ଯାତ୍ରା ପଡିଆକୁ ଆସି ଚନ୍ଦନ ପଡ଼ିଆରେ ନିର୍ମିତ ଅସ୍ଥାୟୀ ସୁସଜ୍ଜିତ ମଣ୍ଡପରେ ବିରାଜମାନ ହୁଅନ୍ତି । ଏହି ଅବସରରେ ପ୍ରଥମ ଦିନ ପୁରୁଣା କାଚରାମାଳ ଗ୍ରାମର ବ୍ରାହ୍ମଣ ପରିବାରଙ୍କ ପକ୍ଷରୁ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମାକୁ ବିଭିନ୍ନ ପ୍ରକାର ଫଳ,ମିଠା ,ପିଠା ,ଉଖୁଡା , ଭୋଗ ଲାଗି କରିଥାନ୍ତି ।
ଭୋଗ ଲାଗି କରାଯିବା ସମୟରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ସଂକୀର୍ତ୍ତନ ପରିବେଷଣ କରାଯାଏ । ସଂକୀର୍ତ୍ତନ ସରିବା ପରେ ଅପେରା ଅନୁଷ୍ଠିତ ହୁଏ । ରାତିସାରା ବିମାନରେ ବସି ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଅପେରା ଦେଖନ୍ତି । ଅପେରା ସରିବା ପରେ ବିମାନରେ ବସି ମନ୍ଦିରକୁ ଫେରିଯାନ୍ତି ।ଏହି ପରି ପାରମ୍ପରିକ ପ୍ରଥା ଅନୁଯାୟୀ ଚନ୍ଦନ ଚାପ ଖେଳିବାକୁ ଚନ୍ଦ୍ରଶେଖର ଆସିଥାନ୍ତି ।
ଦ୍ୱିତୀୟ ଦିନ ରାତିରେ ପୁରୁଣା କାଚରାମାଳ ଗ୍ରାମ ବାସୀଙ୍କ ପକ୍ଷରୁ ପକଂନ୍ତି ଭୋଗ କରାଯାଏ । ତୃତୀୟ ଦନ ରାତିରେ ଚାପ ଖଳିସାରି ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଚନ୍ଦନ ଘାଟରୁ ବିମାନରେ ବସି ପ୍ରସେଶନରେ ବମ୍ଫକୁଦ ଗ୍ରାମକୁ ଭୋଗ ଖାଇବାକୁ ଯାଇଥାନ୍ତି । ସେଠାରେ ଭୋଗ ଖାଇସାରିବା ପରେ ଚନ୍ଦନ ଯାତ୍ରା ପଡ଼ିଆ ମଣ୍ଡପକୁ ଆସି ଅବସ୍ଥାନ କରି ରାତିସାରା ଅପେରା ଦେଖନ୍ତୁ । ସେହିଭଳି ଚତୁର୍ଥ ଦନ ରାତିରେ ନୂଆ କାଚରାମାଳ ଗ୍ରାମକୁ ଶୋଭାଯାତ୍ରାରେ ଯାଇ ଭୋଗ ଖାଇ ସାରିବା ପରେ ଯାତ୍ରା ପଡିଆକୁ ଫେରିଆସି ଅପେରା ଦେଖି ଭୋରୁ ମନ୍ଦିରକୁ ଫେରିଯାନ୍ତି ।
ପଞ୍ଚମ ଦିନ ଶେପ ଚନ୍ଦନ ଚାପ ସହିତ ଧୁମଧାମରେ ବାଜା ବାଣ,ରୋଷଣୀ କରି ଚନ୍ଦ୍ରଶେଖରଙ୍କ ବିମାନକୁ ଚନ୍ଦନ ଘାଟରୁ ଯାତ୍ରା ପଡିଆକୁ ଅଣାଯାଏ । ବିମାନ ଅଆସିବା ସମୟରେ ଗ୍ରାମର ଶେଷ ମୁଣ୍ଡରେ ଲକ୍ଷ୍ୟ । ଧିକ ଟଙ୍କାର ଆତସବାଜୀ ପ୍ରଦର୍ଶନ କରାଯାଏ । ଆତସବାଜୀ ପ୍ରଦର୍ଶନ ଶେଷ ହେବା ପରେ ବିମାନକୁ ଚନ୍ଦନ ଯାତ୍ରା ପଡ଼ିଆକୁ ନିଆଯାଇ ଅସ୍ଥାୟୀ ଚନ୍ଦନ ମଣ୍ଡପରେ ଅବସ୍ଥାପନ କରାଯାଏ । ଚନ୍ଦନ ଯାତ୍ରାର ଶେଷ ରାତିରେ ସ୍ୱର୍ଗତ ଅରକ୍ଷିତ ମହାନ୍ତିଙ୍କ ପରିବାର ପକ୍ଷରୁ ଭୋଗ ଲାଗି କରାଯାଇ ଶ୍ରଦ୍ଧାଳୁ ଙ୍କୁ ବିତରଣ କରାଯାଏ ।
ଚନ୍ଦନ ଯାତ୍ରା ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଗ୍ରାମ୍ୟ କମିଟିର କର୍ମକର୍ତ୍ତା, ଯୁବକ ମାନେ ରାତି ଅନିଦ୍ରା ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥାନ୍ତି । ଚନ୍ଦନ ଯାତ୍ରାକୁ ନିମନ୍ତ୍ରଣ କରା ଯାଇଥିବା ପୋଲିସ ଅଧିକାରୀ, ନିର୍ବାଚିତ ଲୋକ ପ୍ରତିନିଧୀ, ସାମ୍ବାଦିକ, ସମାଜ ସେବୀଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଏ ।

© 2023 Odisha Taza News.