ବିଜୁବାବୁଙ୍କ ଜୀବନୀ ହେଉଛି ଆଧୁନିକ ଓଡ଼ିଶାର ବିକାଶର ଇତିହାସ । କୃଷିରୁ ଶିଳ୍ପ, ଶିକ୍ଷାରୁ ସଶକ୍ତିକରଣ ସବୁକ୍ଷେତ୍ରରେ ତାଙ୍କର ବିପୁଳ ଅବଦାନ ରହିଛି । ସେ ଥିଲେ ତାଙ୍କ ସମୟଠାରୁ ବହୁତ ଆଗରେ । ଶିଳ୍ପ ବିକାଶ ହେଉ ବା ଭିତ୍ତିଭୂମି, ଗରିବ ଲୋକଙ୍କ କଲ୍ୟାଣ ହେଉ ବା ମା’ମାନଙ୍କ ସଶକ୍ତିକରଣ ସବୁକ୍ଷେତ୍ରରେ ସେ ଜଣେ ଦୂରଦ୍ରଷ୍ଟା ପରି କାମ କରିଯାଇଛନ୍ତି । ଗରିବ ଲୋକଙ୍କ ସଶକ୍ତିକରଣ ତଥା ମା’ମାନଙ୍କ ସଶକ୍ତିକରଣ ତାଙ୍କର କାର୍ଯ୍ୟକ୍ରମ ସଶକ୍ତ ଓଡ଼ିଶାର ଲକ୍ଷ୍ୟକୁ ସୁଦୃଢ଼ କରିଛି । ଜଣେ ଓଡ଼ିଆ ଭାବରେ ସେ ଗର୍ବ କରୁଥିଲେ । ଆଜି ତାଙ୍କରି ପାଇଁ ଓଡ଼ିଆ ଜାତି ଗର୍ବିତ ।
ସାହସ ଓ ସ୍ୱାଭିମାନ ଥିଲା ତାଙ୍କର ପରିଚୟ । ସେବା ଓ ସଂଗ୍ରାମ ଥିଲା ତାଙ୍କ ଜୀବନର ବ୍ରତ । ଓଡ଼ିଶା ପାଇଁ, ଓଡ଼ିଆ ଜାତିର ଉନ୍ନତି ପାଇଁ ଓ ଓଡ଼ିଆ ଜାତିର ଗୌରବ ପାଇଁ ସେ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ । ଜଣେ ରାଜନେତା ନୁହେଁ ପରିବାରର ମୁରବୀ ପରି ଓଡ଼ିଶାବାସୀଙ୍କ ପାଇଁ ବିଜୁବାବୁ କାମ କରୁଥିଲେ । ରାଜନୀତିରେ ହାରଜିତ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନଥିଲା । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ସେଥିପାଇଁ ସେ ସବୁବେଳେ ଓଡ଼ିଶାବାସୀଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ।

© 2023 Odisha Taza News.