୧୩ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, “୫-ଟି” ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଜି ଭୁବନେଶ୍ୱର ଇନଫୋଭ୍ୟାଲି-୨ ସ୍ଥିତ ବାଗ୍ଚୀ-ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ପରିଦର୍ଶନ କରିଥିଲେ । ଆଜି ଏହି ଡାକ୍ତରଖାନାର ଗୃହ ପ୍ରତିଷ୍ଠା ପୂଜା ଅବସରରେ ମୁଖ୍ୟ ଶାସନ ସଚିବ ଓ “୫-ଟି” ସଚିବ ଏଠାରେ ଯୋଗଦେଇ
ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ତଥା ହସ୍ପିଟାଲର ପ୍ରମୁଖ ଟ୍ରଷ୍ଟି ଶ୍ରୀ ସୁବ୍ରତୋ ବାଗ୍ଚୀ ଏବଂ ହସ୍ପିଟାଲ୍ର ପ୍ରତିଷ୍ଠାତା ଡ. ସାଇନାଥଙ୍କ ସହ ହସ୍ପିଟାଲ୍ର ନିର୍ମାଣ ଓ ପ୍ରସ୍ତୁତି ସଂପର୍କରେ ବହୁ ସମୟ ଧରି ଆଲୋଚନା କରିବା ସହ ଡାକ୍ତରଖାନାର ସମସ୍ତ ବିଭାଗ ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ସୁବ୍ରତୋ ବାଗ୍ଚୀଙ୍କ ସହ ଧର୍ମିଣୀ ତଥା ମୋ ସ୍କୁଲ୍ର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍ଚୀ ଉପସ୍ଥିତ ଥିଲେ ।
୨୦ ଏକର ପରିମିତ ଜାଗା ଆମକୁ ବିନା ଅସୁବିଧାରେ ମିଳିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଏଠାରେ ୭୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାକି ପୂରଣ ହେବାକୁ ଯାଉଛି । ବର୍ତ୍ତମାନ ତଳ ଫ୍ଲୋର ବ୍ୟତୀତ ଏଠାରେ ୬ ମହଲା ବିଶିଷ୍ଟ କୋଠା ନିର୍ମାଣ ହୋଇଛି । ପ୍ରତି ଫ୍ଲୋର ୧୫ ହଜାର ବର୍ଗ ଫୁଟ ରହିଛି ଏବଂ ଏହି ଡାକ୍ତରଖାନାରେ ଡାକ୍ତର, ରୋଗୀ ତଥା ସେମାନଙ୍କ ଆଟେଣ୍ଡାଣ୍ଟ ଆଦିଙ୍କ ଯାତାୟତ ପାଇଁ ଯଥେଷ୍ଟ ସ୍ଥାନ ରହିଛି ।
ପୂର୍ବପ୍ରସ୍ତୁତି ଅନୁସାରେ ଆଗାମୀ ରଥଯାତ୍ରା ଦିନରୁ ଆମେ ପ୍ରଥମ ରୋଗୀଙ୍କୁ ଡାକ୍ତରଖାନାରେ ଗ୍ରହଣ କରି ଚିକିତ୍ସା ଆରମ୍ଭ କରିବୁ ବୋଲି ଶ୍ରୀ ବାଗ୍ଚୀ କହିଥିଲେ । ଏହି ହସ୍ପିଟାଲ୍ରେ ରୋଗୀମାନେ ଯେପରି ସୁବିଧାରେ ଚିକିତ୍ସା ପାଇବେ, ସେଥିପ୍ରତି ସମସ୍ତ ପ୍ରକାର ଧ୍ୟାନ ଦିଆଯାଉଥିବା ଶ୍ରୀ ବାଗ୍ଚୀ ପ୍ରକାଶ କରିଛନ୍ତି । ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଯେପରି ମନ୍ଦିର ଭଳି ପରିବେଶ ଅନୁଭବ କରିବେ, ତାହା ଆମର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ବାଗ୍ଚୀ କହିଛନ୍ତି ।

© 2023 Odisha Taza News.