No Result
View All Result
ରାଜ୍ୟରେ ୫-ଟି ବିଭାଗକୁ ନେଇ ଜୟନାରାୟଣଙ୍କ ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି – ଅରୁଣ ।
ରାଜ୍ୟବାସୀ ଏହି ସକାରାତ୍ମକ ପରିବର୍ତ୍ତନ ଓ ରୂପାନ୍ତରୀକରଣକୁ ଅନୁଭବ କରି ଖୁସି ହେଉଛନ୍ତି, ବିରୋଧୀଦଳର ନେତା ହୋଇ ଆପଣ କିପରି ଏହା ଜାଣି ପାରୁନାହାନ୍ତି ବୋଲି ଅରୁଣ ତାଙ୍କୁ ପ୍ରଶ୍ନ କରିଛନ୍ତି ।
ଭୁଲି ଯାଉଛନ୍ତି ଯେ ଭାରତର ଜାତୀୟ ପତାକାରେ ଏବଂ ତାଙ୍କ ଦଳ ବିଜେପିର ପତାକାରେ ବି ସବୁଜ ରଙ୍ଗ ରହିଛି । ସେ କ’ଣ ସବୁଜ ପନିପରିବା ବି ଖାଉନାହାନ୍ତି ..?
୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ରୋଚକ ଅଭିଯୋଗ ଆଣୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସହ ବିଜେଡି ନେତା ଅରୁଣ ସାହୁ ଙ୍କ ଲଢେଇ ରେ ଜୟ ନାରାୟଣ ମିଶ୍ର ଙ୍କୁ ନୟାଗଡ଼ ବିଧାୟକ ଅରୁଣ ସାହୁ କଟାକ୍ଷ କରି ମାନସିକ ବିକୃତର ଆଖ୍ୟା ଦେଇଥିଲେ । ଏବେ ରାଜ୍ୟରେ ୫-ଟି ବିଭାଗକୁ ନେଇ ଜୟନାରାୟଣଙ୍କ ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି ଅରୁଣ । ମାଟ୍ରିକ୍ ଡ୍ରପଆଉଟ୍ ସଂଖ୍ୟାକୁ ନେଇ ଜୟନାରାୟଣ ୫-ଟି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ । ଏହି ବ୍ୟବସ୍ଥା କ’ଣ ବୋଲି ସେ କଟାକ୍ଷ କରିଥିଲେ ।
ତେବେ ଅରୁଣ ତାଙ୍କୁ ଜବାବ ଦେଇଛନ୍ତି । ସେ କହିଛନ୍ତି, ବିରୋଧୀଦଳ ନେତା ମାନସିକ ଭାରସାମ୍ୟ ହରାଇଥିଲେ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ କ୍ରମଶଃ ତାଙ୍କର ଏମିତି ମତିଭ୍ରମ ଘଟିଲାଣି ଯେ ପ୍ରତିଦିନ ପାଗଳଙ୍କ ଭଳି ପ୍ରଳାପ କରି ଲୋକହସା ହେଉଛନ୍ତି । ପ୍ରସଙ୍ଗ ନ ଥାଇ ବିଧାନସଭାରେ ମଧ୍ୟ ସମୟର ଅପଚୟ କରୁଛନ୍ତି । ଗତକାଲି ଠାରୁ ତାଙ୍କୁ ୫-ଟି ଭୂତ ଲାଗିଛି । ପ୍ରକୃତରେ ୫-ଟି କ’ଣ ତାହା ତାଙ୍କର ବୁଝିବାର ସାମର୍ଥ୍ୟ ନାହିଁ ନା ବୁଝି ଅବୁଝା ହେଉଛନ୍ତି ? ବିଧାନସଭା ଭିତରେ ଏବଂ ବାହାରେ ତାଙ୍କୁ ଜବାବ ଦେଇ ଅରୁଣ କହିଛନ୍ତି ଯେ ବିରୋଧୀ ଦଳ ନେତା ବାରମ୍ବାର ଅନେକ ଘଟଣା ଉଠାଉଛନ୍ତି ଯାହା କି ହାସ୍ୟାସ୍ପଦ । ୫-ଟିକୁ ନେଇ ସେ ଯାହା ଯାହା କହୁଛନ୍ତି ସେଥିରେ ତାଳମେଳ ନାହିଁ ।
ଯଦି ଓଡ଼ିଶାର କୌଣସି ଗାଁକୁ ଯିବେ ଯେଉଁଠି ପ୍ରଗତିର ଲକ୍ଷଣ ଦେଖିବେ, ତାହା ହିଁ ୫-ଟି । ୫-ଟି ଜରିଆରେ ଓଡ଼ିଶାର ସବୁ ନିର୍ବାଚନ ମଣ୍ଡଳୀରେ ସ୍କୁଲଗୁଡ଼ିକ ରୂପାନ୍ତରିତ ହେଉଛି । କେବଳ ସ୍କୁଲ ରୂପାନ୍ତରୀକରଣରେ ଏହା ସୀମିତ ନୁହେଁ । ୫-ଟି ଜରିଆରେ ସାରା ରାଜ୍ୟରେ ରାସ୍ତାଘାଟ, ସେତୁ ନିର୍ମାଣଠୁ ନେଇ ଜଳସେଚନ ପ୍ରକଳ୍ପ ଓ ହସ୍ପିଟାଲ ପ୍ରଭୃତିର ଭିତ୍ତିଭୂମି ନିର୍ମାଣ ଏବଂ ରୂପାନ୍ତରୀକରଣ କରାଯାଉଛି । ୫-ଟି ହେଉଛି ଓଡ଼ିଶା ବିକାଶର ବିଚାରଧାରା ଏବଂ ଏକ ପ୍ରଗତିଶୀଳ ଆନ୍ଦୋଳନ । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ୫-ଟିକୁ ପ୍ରଶଂସା କରିଛନ୍ତି । ତେଣୁ ଯେତେବେଳେ ରାଜ୍ୟବାସୀ ଏହି ସକାରାତ୍ମକ ପରିବର୍ତ୍ତନ ଓ ରୂପାନ୍ତରୀକରଣକୁ ଅନୁଭବ କରି ଖୁସି ହେଉଛନ୍ତି, ବିରୋଧୀଦଳର ନେତା ହୋଇ ଆପଣ କିପରି ଏହା ଜାଣି ପାରୁନାହାନ୍ତି ବୋଲି ଅରୁଣ ତାଙ୍କୁ ପ୍ରଶ୍ନ କରିଛନ୍ତି ।
ଅରୁଣ ଆହୁରି ପୁଣି କହିଛନ୍ତି ଯେ ରୂପାନ୍ତରୀକରଣ ଯୋଗୁଁ କାୟାକଳ୍ପ ବଦଳି ଯାଇଥିବା ରାଜ୍ୟର ସ୍କୁଲଗୁଡ଼ିକର ସବୁଜ ରଙ୍ଗକୁ ଦେଖି ବିରୋଧୀଦଳ ନେତା ପ୍ରଳାପ କରିବା ଆରମ୍ଭ କଲେଣି । ସେ ଏତେ ଅସହିଷ୍ଣୁ ହୋଇ ପଡ଼ିଛନ୍ତି ଯେ ସ୍କୁଲର ସବୁଜ ରଙ୍ଗକୁ ନେଇ ପାକିସ୍ତାନ କଥା ଉଠାଇଲେଣି । ସେ ଭୁଲି ଯାଉଛନ୍ତି ଯେ ଭାରତର ଜାତୀୟ ପତାକାରେ ଏବଂ ତାଙ୍କ ଦଳ ବିଜେପିର ପତାକାରେ ବି ସବୁଜ ରଙ୍ଗ ରହିଛି । ସେ କ’ଣ ସବୁଜ ପନିପରିବା ବି ଖାଉନାହାନ୍ତି ? ଏମିତି ପ୍ରତିଦିନ ନୂଆ ନୂଆ ନାଟକବାଜି କରି ସେ ଯେ କେତେ ଲୋକହସା ହେଉଛନ୍ତି, ତାହା ବୋଧହୁଏ ଜାଣି ପାରୁନାହାନ୍ତି । ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛୁ, ବିରୋଧୀଦଳ ନେତାଙ୍କୁ ତାଙ୍କ ଦଳର ନେତାମାନେ ତୁରନ୍ତ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ନିକଟକୁ ନେଇ ଚିକିତ୍ସା କରାନ୍ତୁ ଏବଂ ସେ ଆଶୁ ଆରୋଗ୍ୟ ଲାଭ କରନ୍ତୁ ।

No Result
View All Result