ସ୍ତ୍ରୀକୁ ପୋଡିଦେଲା ସ୍ଵାମୀ : ପାରିବାରିକ କଳହର କରୁଣ ପରିଣତି

୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାରିପଦା :- ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ପୋଡିଲା ସୈତାନ ସ୍ଵାମୀ । ଏହିପରି ସଙ୍ଗୀନ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ ମଧୁବନ ଅଞ୍ଚଳରେ । ପରକୀୟା ପ୍ରୀତିକୁ ପାରିବାରିକ କଳହ ପୂର୍ବରୁ ଲାଗି ରହିଥିବା ବେଳେ ଶୁକ୍ରବାର ଏହାର କରୁଣ ପରିଣତି ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ମଧୁବନ ୱାର୍ଡ ନମ୍ବର ୭ର ନିବାସୀ ମଦନ ମୋହନ ଦାଶଙ୍କ ବିବାହ ପରେ ମଧ୍ୟ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲା ।

ମଦନଙ୍କର ଅନୈତିକ ସମ୍ପର୍କ ଥିବା ଜାଣିବା ପରେ ସ୍ତ୍ରୀ ତୁଳସୀ ଦାସଙ୍କ ସହିତ ମଦନଙ୍କ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ଅନେକ ସମୟରେ ତୁଳସୀଙ୍କୁ ମଦନ ନିର୍ଯାତନା ଦେଉଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଶୁକ୍ରବାର ଦିନ ପ୍ରାୟ ୧ସମୟରେ ପୂର୍ବର ପାରିବାରିକ କଳହ ଉଗ୍ର ରୂପ ନେଇଥିଲା । ପିଟା ମରା କରିବା ପରେ ପରକୀୟା ପ୍ରୀତିକୁ ନେଇ ରାସ୍ତାରୁ ହଟାଇବାକୁ ଯାଇ କୁଟାଗଦାରେ ସ୍ତ୍ରୀ ତୁଳସୀକୁ ପକାଇ ଜାଳି ଦେଇଛି ସୈତାନ ସ୍ବାମୀ ମଦନ ।

ତୁଳସୀ ପୋଡି ହୋଇ ଚିତ୍କାର କରିବାରୁ ସ୍ଥାନୀୟ ପଡୋଶୀ ଆସି ଦେଖିଲା ବେଳକୁ ତାଙ୍କ ଶରୀରର ପ୍ରାୟତଃ ୮୦ଭାଗ ପୋଡ଼ିଯାଇଛି । ନିଆଁକୁ ଲିଭାଇବା ସହ ଆମ୍ବୁଲାନ୍ସ ଯୋଗେ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ମଦନ ମୋହନ ଦାଶ ଜାଳିଦେବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଟାଉନ ଥାନା ପୋଲିସ ପହଞ୍ଚି ଏନେଇ ଅଧିକ ତଦନ୍ତ ଚଳାଇଛି । ଅନ୍ୟପଟେ ତୁଳସୀଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଚିକିତ୍ସା ବ୍ୟବସ୍ଥା ଜାରି ରହିଛି.