ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ

୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଝାରସୁଗୁଡ଼ା/ଭୁବନେଶ୍ୱର :- ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ । ଡାକ୍ତରଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଛି । ୬୧ ବର୍ଷ ବୟସରେ ଏଏସଆଇ ଗୋପାଳ ଦାସଙ୍କ ଗୁଳି ମାଡ଼ରେ ତାଙ୍କର ଦେହାନ୍ତ ଘଟିଛି । ନବ ଦାସ ସାଧାରଣ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ଏହି ଗୁଳିମାଡ ହୋଇଥିଲା । ମାତ୍ର ଗୋପାଳ ଦାସ କାହିଁକି ମନ୍ତ୍ରୀଙ୍କୁ ଗୁଳିମାଡ କରିଥିଲେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରାଯାଇଥିଲା । ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ ଦାସ ତାଙ୍କୁ ସାମ୍ନାରୁ ଗୁଳିମାଡ କରିଥିଲେ । ଗୋପାଳ ଦାସଙ୍କୁ କାବୁ କରି ପୋଲିସ ପଚାରଉଚୁରା କରୁଛି । ତେବେ ସବୁଠାରୁ ବଡ କଥା ହେଲା ଘଟଣାସ୍ଥଳରେ ୪ରୁ ୫ ରାଉଣ୍ଡ ଗୁଳି ଫୁଟିଥିବାବେଳେ, ମନ୍ତ୍ରୀଙ୍କ ଛାତିର ବାମ ପାର୍ଶ୍ଵରେ ଗୁଳି ବାଜିଥିଲା । ଗୁଳିମାଡ ପରେ ସେ ଅଚେତ ହୋଇପଡିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ଗୁଳିମାଡ ପରେ ନବ ଦାସଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା । ପାଖାପାଖି ୩ଟା ୫ ସମୟରେ ଆମ୍ବୁଲାନ୍ସ ବିମାନବନ୍ଦରରୁ ବାହାରିଥିଲା । ଏବଂ ୩ଟା ୧୨ ବେଳକୁ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିଲା । ସ୍ୱତନ୍ତ୍ର ଗ୍ରୀନ୍ କରିଡରରେ ତାଙ୍କୁ ହସ୍ପିଟାଲ ପହଞ୍ଚାଯାଇଥିଲା । ମନ୍ତ୍ରୀ ନବ ଦାସ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡିର ଅନେକ ନେତା ହସ୍ପିଟାଲରେ ପହଞ୍ଚିଥିଲେ ।