ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ୧୫ତମ ବାର୍ଷିକ ଉତ୍ସବ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଜାତୀୟ କର୍ମଶାଳା

୦୫ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ’ର ୧୫ତମ ବାର୍ଷିକ ଉତ୍ସବ ଅବସରରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଏକ ଜାତୀୟ କର୍ମଶାଳା ସ୍ଥାନୀୟ ଜୟଦେବ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଓ ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ପରିବେଶ ସମିତିର ସମ୍ପାଦକ ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ ଓ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ୱାଟର ମ୍ୟାନେଜମେଣ୍ଟର ପ୍ରମୁଖ ବୈଜ୍ଞାନିକ ଡଃ ପ୍ରମୋଦ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନର ପୃଷ୍ଠଭୂମି, ପ୍ରଭାବ ଓ ତିକ୍ତତା ହ୍ରାସ ସମ୍ପର୍କରେ ବିଶଦ୍‌ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲାୟନ ବିପିନ ବିହାରୀ ନାୟକ ସମ୍ମାନିତ ଅତିଥି, ଟ୍ରଷ୍ଟି ପ୍ରଶାସକ ଅକ୍ଷୟ କୁମାର ପାଣି, ସାଧାରଣ ସମ୍ପାଦିକା ଡଃ ସୁକାନ୍ତୀ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକୃତିବନ୍ଧୁ ଡଃ ବିପିନ ବିହାରୀ ମିଶ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ଓ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେଇ ପରିବେଶକୁ ଗୁରୁତ୍ୱର ସହ ସୁରକ୍ଷା ପ୍ରଦାନ କରିବା ସହିତ ଆମର ସଂସ୍କୃତିକୁ ମଧ୍ୟ ସମ୍ମାନ ଦେବା ଆବଶ୍ୟକ ବୋଲି କହିଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ସମ୍ମାନ-୨୦୨୨’ରେ ସମ୍ମାନିତ କରାଯାଇଥିଲା । ଜୀବନବ୍ୟାପୀ ସାଧାନା ନିମନ୍ତେ ସୁରେଶ କୁମାର ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭାରତୀୟ ନୌସେନା ଦିବସ ଉପଲକ୍ଷେ ନୌସୈନିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଦିବ୍ୟାଙ୍ଗମାନଙ୍କୁ ହ୍ୱିଲ୍ ଚେୟାର, କାନଯନ୍ତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ସ୍ମୃତି ସ୍ମରଣିକାକୁ ଉନ୍ମୋଚିତ କରିଥିଲେ । ସର୍ବଶ୍ରୀ ଗୋଲକ ବିହାରୀ ସିଂହ, ରବୀନ୍ଦ୍ରନାଥ ରାଉତରାୟ, ବାଳକୃଷ୍ଣ ରାଉତ, ମିଲନ କୁମାର ପ୍ରଧାନ, ଚକ୍ରଧର ଦାସ, ପ୍ରିୟଦର୍ଶନ ମହାପାତ୍ର, ଦିବ୍ୟଜ୍ୟୋତି ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଥିଲେ । ଚନ୍ଦ୍ର ବିଜୟୀ ମିଶ୍ର ସଂଯୋଜନା କରିଥିବା ବେଳେ ଡଃ ଶିବପ୍ରସାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।