ଖୋଲିବ ବୌଦ୍ଧରେ ବୁଣାକାର ବଜାର ବୌଦ୍ଧରୁ ଉତ୍ପାଦିତ ସାମଗ୍ରୀକୁ ନୂତନ ବ୍ରାଣ୍ଡିଂ କରିବାକୁ ବିଭିନ୍ନ ମହଲରୁ ଦାବି

୧୨ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ) ବୌଦ୍ଧ :- ଦୀର୍ଘଦିନର ପ୍ରତୀକ୍ଷା ପରେ ନଭେମ୍ଭର ୧୩ ତାରିଖ ରବିବାରଠାରୁ ବୌଦ୍ଧରେ ବୁଣାକାର ବଜାର ଖୋଲିବାକୁ ଯାଉଛି । ଓଡ଼ିଶାର ବୁଣାକାରମାନଙ୍କୁ ବଜାର ଯୋଗାଇବା ସହିତ ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତ ବୁଣାକାର ସାମଗ୍ରୀ ଗୋଟିଏ ସ୍ଥାନରେ ଗ୍ରାହାକମାନଙ୍କୁ ଯୋଗାଇବା ଲକ୍ଷରେ ରାଜ୍ୟର ମଧ୍ୟସ୍ଥଳରେ ଥିବା ବୌଦ୍ଧଜିଲାରେ ଏହି ବଜାର ଖୋଲାଯାଉଥିବା ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ସୂଚନା ଦେଇଛନ୍ତି । ବୌଦ୍ଧ ସର୍କିଟହାଉସ ଠାରେ ଜିଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ ବୌଦ୍ଧ ବୁଣାକାର ବଜାରରେ ପ୍ରାୟ ଶହେଜଣ ବୁଣାକାର ନିଜର ସାମଗ୍ରୀ ବିକ୍ରୟ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ଆବଶ୍ୟତାକୁ ଦେଖି ଅଧିକ ସୁଯୋଗ ସୃଷ୍ଟି କରାଯିବ । ପ୍ରତ୍ୟେକ ରବିବାର ସକାଳ ୬ ଘଣ୍ଟାଠାରୁ ଏହି ବୁଣାକାର ବଜାର ଖୋଲାଯିବ । ଏହି ବୁଣାକାର ବଜାର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଓ ରାଜ୍ୟ ବାହାରୁ ମଧ୍ୟ ବୁଣାକାରମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରୟ କରିବେ । ବୌଦ୍ଧ ତଥା ପାଖପୋଡଶୀ ଜିଲାର ଗ୍ରାହକମାନେ ବୁଣାକାର ବଜାରକୁ ଆସି ନିଜର ଆବଶ୍ୟକତା ମୁତାବକ ଉଚିତ ମୂଲ୍ୟରେ ସାମଗ୍ରୀ କିଣିପାରିବେ । ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ କେବଳ ବୌଦ୍ଧଜିଲାରେ ୩୫୦୦ରୁ ଉର୍ଦ୍ଧ୍ୱ ବୁଣାକାର ପରିବାର ଥିବାବେଳେ ପ୍ରାୟ ୮ ହଜାର ତନ୍ତ କାର୍ଯ୍ୟକ୍ଷମ ରହିଛି । ବୌଦ୍ଧରେ ଏହି ବଜାର ଖୋଲାଯିବା ଦ୍ୱାରା କେବଳ ବୌଦ୍ଧ ନୁହେଁ ଆଖପାଖ ଜିଲାରେ ଥିବା ହଜାର ହଜାର ସଂଖ୍ୟାରେ ବୁଣାକାର ପରିବାରଙ୍କ ଆର୍ଥିକ ଅଭିବୃଦ୍ଧି ହୋଇପାରିବ । ବୁଣାକାର ଭାଇମାନେ ଏହି ବଜାରର ସୁଯୋଗ ନେବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

ବୌଦ୍ଧରେ ବୁଣାକାର ବଜାର ଖୋଲାଯିବାକୁ ସବୁ ମହଲରେ ସ୍ୱାଗତ କରାଯାଇଥିବାବେଳେ ବୌଦ୍ଧର ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ନୂତନ ବ୍ରାଣ୍ଡିଂ କରାଯାଇପାରିଲେ ରାଜ୍ୟସ୍ତରରେ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିବ ବୋଲି ମତପ୍ରକାଶ ପାଇଛି । ଆଗାମୀ ଦିନରେ ଏନେଇ ଉଦ୍ୟମ କରାଯିବାକୁ ଜିଲାପାଳ ଶ୍ରୀ ସାହୁ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।