୯୭୪୨ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଜୟୀ – ମାଟି କାମୁଡ଼ିଲେ ଅବନ୍ତି

ଧାମନଗରରେ ବିଜେଡି କୁ ହରାଇ ବିଜେପି ହାତେଇଲା ବିଧାୟକ ଆସନ । ବାପା ପରେ ପୁଅ ହେଲେ ବିଜୟ

ବିଜେଡି ରୁ ଧୋକା ଖାଇ ସ୍ଵାଧୀନରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ଙ୍କ ଭୋଟ ଗ୍ରହଣ କୁ ନେଇ ବିଜେଡି ପ୍ରାର୍ଥୀନୀ ଅବନ୍ତି ଙ୍କୁ ମାଟି କାମୁଡ଼ିବାକୁ ପଡ଼ିଛି ।

ଓଡ଼ିଶା ତାଜା ନ୍ୟୁଜ (୬ ନଭେମ୍ବର ରବିବାର ) ଧାମନଗର :- ଧାମନଗରରେ ଉଇଁଲା ସୁରୁଜ । ଧାମନଗର ଉପନିର୍ବାଚନରେ ୯୭୪୨ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ହେଲେ ବିଜୟୀ । ଚତୁଃମୁଖି ନିର୍ବାଚନର ଭୋଟ ଗଣତି ସମାପ୍ତ ହୋଇଛି ଏବଂ ଏହି ନିର୍ବାଚନ ରେ ବିଜେପି ଜିତିଥିବା ବେଳେ ଆଣ୍ଠେଇ ଯାଇଛି ବିଜେଡି । ଚଳିତ ଉପନିର୍ବାଚନରେ ରାଜେନ୍ଦ୍ର ଦାସ ବିଜେଡି ଦଳ ଛାଡ଼ି ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଯାହା ଫଳରେ ବିଜେଡିର ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଛି । ବିଜେଡି ରୁ ଧୋକା ଖାଇ ସ୍ଵାଧୀନରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ଙ୍କ ଭୋଟ ଗ୍ରହଣ କୁ ନେଇ ବିଜେଡି ପ୍ରାର୍ଥୀନୀ ଅବନ୍ତି ଙ୍କୁ ମାଟି କାମୁଡ଼ିବାକୁ ପଡ଼ିଛି । ଏଥର ବିଜେଡିରୁ ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜୁ ତିନି ନମ୍ବରରେ ରହିଥିଲେ ମଧ୍ୟ ସେ ହାତେଇଥିବା ଭୋଟ୍ ବିଜେଡି ଭୋଟ୍ ବିଭାଜନର କାରଣ ବୋଲି କୁହାଯାଉଛି । ତେବେ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ସୂର୍ଯ୍ୟବଂଶୀ ସୁରଜ ଧାମନଗର ମାଟି ରେ ଜନ୍ମ ଗ୍ରହଣ କରିଥିଲେ । ଭଦ୍ରକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ମାଟ୍ରିକ୍ ପରେ ଭୁବନେଶ୍ୱରର ଏକ ଘରୋଇ କଲେଜରୁ ବିଟେକ୍ କରିଛନ୍ତି ସୂର୍ଯ୍ୟବଂଶୀ । ଏହାପରେ ଭଦ୍ରକ କଲେଜରୁ ସ୍ନାତ୍ତକ ଡିଗ୍ରୀ ହାସଲ କରିଥିଲେ । ଧାମରାର ଏକ ଘରୋଇ କମ୍ପାନିରେ ଇଞ୍ଜିନିୟର ଥିବା ସୂର୍ଯ୍ୟ, ବାପା ବିଷ୍ଣୁ ସେଠୀଙ୍କ ସହ କାମ କରିବାକୁ ଧାମନଗରକୁ ଫେରିଥିଲେ । ବଡ଼ ଚାକିରିକୁ ଛାଡ଼ି ଲୋକଙ୍କ ସେବା କରିବାକୁ ମନ ସ୍ଥିର କରିଥିଲେ । ବାତ୍ୟା ହେଉ ଅବା କରୋନା ସବୁ ବେଳେ ସବୁ ପରିସ୍ଥିତିରେ ଲୋକଙ୍କ ସହ ଥିଲେ । ଭଦ୍ରକ ଜିଲ୍ଲାରେ ଯୁବ ସଂଗଠନକୁ ମଜଭୂତ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ସୂର୍ଯ୍ୟ । ଯୁବ ବିଜେପିର ରାଜ୍ୟ ସଂଯୋଜକ ଥିବା ସୂର୍ଯ୍ୟବଂଶୀ ଜିଲ୍ଲାରେ ଯୁବ ଚେହେରା ଭାବେ ବେଶ୍ ଜଣାଶୁଣା । ୨୦୦୦ ମସିହାରେ ବିଜେପି-ବିଜେଡି ମେଣ୍ଟ ହେବା ପରେ ଧାମନଗର ଆସନ ବିଜେପି ଭାଗରେ ପଡିଥିଲା । ହେଲେ ବିଜେପି ମନମୋହନ ସାମଲଙ୍କୁ ହରାଇ ସ୍ୱାଧୀନ ପ୍ରାର୍ଥୀ ମାନସ ମଲ୍ଲିକ ବିଜୟୀ ହୋଇଥିଲେ । ପରେ ୨୦୦୪ରେ ବିଜେପିର ମନମୋହନ ସାମଲ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ରେ ଏହି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହେଲା ପରେ ସେଠାରୁ ବିଜେଡିର ରାଜେନ୍ଦ୍ର ଦାସ ବିଜୟୀ ହୋଇଥିଲେ ।ସେହିପରି ୨୦୧୪ରେ ବିଜେଡିର ମୁକ୍ତିକାନ୍ତ ମଣ୍ଡଳ ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ବିଜେପିର ବିଷ୍ଣୁ ସେଠୀ ମାତ୍ର ୪ ୬୨୫ ଖଣ୍ଡ ଭୋଟରେ ବିଜେଡିର ରାଜେନ୍ଦ୍ର ଦାସଙ୍କୁ ପରାସ୍ତ କରି ଧାମନଗର ରେ ପୁଣି ପଦ୍ମ ଫୁଟାଇଥିଲେ । ଆଉ ବାପାଙ୍କ ପରେ ପୁଅ ପୁଣି ଧାମନଗରରେ ପଦ୍ମ ଫୁଟାଇବାରେ ସଫଳ ହୋଇଛନ୍ତି । ଏବଂ ଏହି ଉପନିର୍ବାଚନ ରେ ବିଜେପି ର ସୂର୍ଯ୍ୟ ବଂଶୀ ସୂରଜ ୭୭୪୨ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀନୀ ଅବନ୍ତି ସାହୁ ଙ୍କୁ ହରାଇ ଧାମନଗରରେ ପୁଣି ପଦ୍ମ ଫୁଟାଇଛନ୍ତି । ବାପା ପରେ ପୁଅ ଧାମନଗର ବିଧାୟକ ଆସନ ହାତେଇଲେ ବୋଲି ରାଜ୍ୟ ରାଜନୀତି ରେ ଚର୍ଚ୍ଚା ଧରିଛି ।

୯୭୪୨ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ସୂର‌୍ୟ୍ୟବଂଶୀ ସୁରଜ ବିଜୟୀ.. ଅନୁଷ୍ଠାନିକ ଘୋଷଣା ବାକି..