ପୁରୀ ରଥଖଳାରେ ତିନି ରଥର ଗୟଳ ପ୍ରସ୍ତୁତି କାର୍ଯ୍ୟକ୍ରମ ଜୋରସୋର ଚାଲିଛି ।

ଓଡିଶା ତାଜା ନ୍ୟୁଜ୍‌ (୨୯ମେ ୨୦୨୦ ଶୁକ୍ରବାର) ଭୁବନେଶ୍ୱର : – ପୁରୀ , ଶନିବାର ରଥଖଳାରେ ଚକାଡେରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଧି ଅନୁଯାୟୀ ଶୀତଳଷଷ୍ଠୀ ପର ପଞ୍ଚ ମହାଦେବଙ୍କ ଗୋଆଲୀ ପରଦିନ ଚକାଡେରା କାର୍ଯ୍ୟକ୍ରମ ହୋଇଥାଏ । ଶୁକ୍ରବାର ଦିନ ରଥଖଳାରେ ତିନି ରଥର ଗୟଳ ପ୍ରସ୍ତୁତି କାର୍ଯ୍ୟକ୍ରମ ଜୋରସୋର ଚାଲିଥିଲା ।

ତିନି ରଥର ବଡ଼ ପୋହ ଗୟଳ କରତି ସେବକଙ୍କ ଦ୍ୱାରା ଚିରଟ୍ ହୋଇ ଚଉପଟ ପାଇଁ ରଥଖଳାକୁ ଅଣାଯାଇଛି । ତିନି ରଥର ମଝିଲା ଏବଂ ସାନ ପୋଲ ଗୟଳ ଏବଂ ଛନ୍ଦା ଗୟଳ କାଠ ଭୋଇ ସେବକମାନେ ରଥଖଳାରେ ମହାରଣା ସେବକମାନଙ୍କୁ ଯୋଗାଇ ଦେଇଛନ୍ତି ।

ସେଗୁଡ଼ିକୁ ବାରିସି ଦ୍ୱାରା ସାଇଜ୍ କରାଯାଇ ଚଉପଟ କାର୍ଯ୍ୟକ୍ରମ ହେଉଛି । ସେହିଭଳି ରୂପକାର ସେବକମାନଙ୍କ ଦ୍ୱାରା ନାଟଗୋଡ଼ରେ ରାହୁମୂର୍ତ୍ତି ଖୋଦେଇ କାର‌୍ୟ୍ୟ ଜାରି ରହିଛି । ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସଂପୃକ୍ତ ସେବକମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ଥିବା ଜଣାପଡ଼ିଛି । ସେହିଭଳି ଶ୍ରୀମନ୍ଦିର କାର୍ଯ୍ୟଳୟରେ ୭୦ ଜଣ ଗରାବଡୁ ସେବକଙ୍କର କୋଭିଡ ପରୀକ୍ଷା ପାଇଁ ସ୍ୱାବ୍ ସଂଗ୍ରହ କରାଯାଇଛି ।

ସେପଟେ ବଡ଼ଦାଣ୍ଡସ୍ଥିତ ନୀଳାଦ୍ର୍ରି ଭକ୍ତ ନିବାସ ସଭାକକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ‘ସୁଆର ମହାସୁଆର’ ସେବକମାନଙ୍କ ନିମନ୍ତେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com