ବର୍ଷାରେ ଭିଜୁଛି ଦଶହରା ବଜାର ..

ଓଡ଼ିଶା ତାଜା ନ୍ୟୁଜ ( ୪ ଅକ୍ଟୋବର ,ମଙ୍ଗଳବାର )ରଣପୁର :- ରଣପୁର ହେଉଛି ରାଜାରାଜୁଡ଼ା ଅମଳର ବହୁ ପୂରାତନ ଗଡ଼ଜାତ ଅଞ୍ଚଳ । ଯାହାର ପରମ୍ପରା ଆଜି ବି ପୁରୁଣା ଢଙ୍ଗରେ ଅନୁଷ୍ଠିତ ହେଉଛି । ପ୍ରାଚୀନ ପର୍ବତ ଦେଶରେ ପୂଜା ପାଉଥିବା ଶକ୍ତି ପୀଠ ମା ମଣୀନାଗଙ୍କ ବକ୍ଷପ୍ରଦେଶରେ ଲୁଚି ରହିଛି ରଣପୁର ଗଡ ଓ ରଣପୁର ର ନିଆରା ପରମ୍ପରା । ଦୀର୍ଘ ବର୍ଷ ଧରି ଆଶ୍ଵିନ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ ଠାରୁ ରଣପୁରରେ ପାଳିତ ହୁଏ ଦେବୀ ଦୂର୍ଗା ଙ୍କ ଶାରଦୀୟ ଦଶହରା ପୂଜା । ମାଳ ଅଞ୍ଚଳର ଆରାଧ୍ୟ ଦେବୀ ତଥା ଗଡ ଠାକୁରାଣୀ ମା ଖିଲାମୁଣ୍ଡା ଙ୍କ ଆଗମନକୁ ନେଇ ସାରା ଅଞ୍ଚଳ ଉତ୍ସବମୁଖର ହୋଇପଡେ ।

କଥାରେ ଅଛି ଗଡ ଠାକୁରାଣୀ ମା ଖିଲାମୁଣ୍ଡା ଙ୍କ ଆଗମନରେ ଚାଷୀ କୂଳକୁ ସୁନାର ଫସଲ ପ୍ରାପ୍ତ ହୋଇଥାଏ ତଥା କୃଷି କାର୍ଯ୍ୟ ପାଇଁ ନେଇ ଆସେ ବର୍ଷା ର ସଂଭାର । ଚଳିତ ବର୍ଷ ମା ଖିଲାମୁଣ୍ଡା ଙ୍କ ଆଗମନ ରେ ଖୁବ୍ ଜମିଛି ପାର୍ବଣ ଋତୁ । ଦଶହରା ବଜାରରେ ଦେଖିବାକୁ ମିଳୁଛି ଭିଡ ଓ ଝିପି ଝିପି ବର୍ଷାର ଆସର । ଦୁର୍ଗତିନାଶିନୀ ମା ଦୂର୍ଗା ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ମହିଷାମର୍ଦ୍ଧିନୀ ରୂପେ ପୂଜା ପାଉଛନ୍ତି ସାରା ରାଜ୍ୟରେ । ଗୋଟିଏ ପଟେ ଦଶହରା ପାଇଁ ଭକ୍ତ ଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଥିବା ବେଳେ ଲଘୁଚାପ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳୁଛି ।

ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ରଣପୁରର ପ୍ରତିଷ୍ଠିତ ଦେବୀ ମା ମଣୀନାଗ ଙ୍କ ପୀଠ ରେ ଷୋଡଶ ଦିନାତ୍ମକ ପୂଜା ତଥା ଦୂର୍ଗାପୂଜା ବୈଦିକ ରୀତିନୀତି ଅନୁସାରେ ଆରମ୍ଭ କରାଯାଇଥିଲା । ଆଜି ବିଜୟା ଦଶମୀରେ ମା ମଣିନାଗଙ୍କ ଠାରେ ଅପରଜିତା ପୂଜା ଓ ପୀଠେ ଦଶହରା ପୂଜା କରାଯାଇ ଘଟ ବିସର୍ଜନ କରିବାର କାର୍ଯ୍ୟସୁଚୀ ରହିଛି । ସେହିପରି ରଣପୁର ବଡଦାଣ୍ଡ ସ୍ଥିତ ଦୂର୍ଗାପୂଜା ପେଣ୍ଡାଲରେ ଅବସ୍ଥିତ ମା ଦୂର୍ଗାଙ୍କ ର ପୀଠେ ଦଶହରା ପୂଜା ପରେ ଘଟ ବିସର୍ଜନ ନୀତି ରହିଛି । ତତପରେ ରାଜବାଟିରେ ଷୋହଳ ଦିନ ଧରି ପୂଜା ପାଉଥିବା ଗଡ ଠାକୁରାଣୀ ମା ଖିଲାମୁଣ୍ଡା ଙ୍କ ଘଟ ବିସର୍ଜନ ପରେ ପାରା ରୂପରେ ମାଳ ଅଞ୍ଚଳକୁ ଫେରିଯିବାର ପରମ୍ପରା ରହିଛି ।