ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ : ତାଙ୍କୁ କେନ୍ଦ୍ର ସରକାର ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍/୨୩ ଜୁନ ଗୁରୁବାର/ଭୁବନେଶ୍ୱର :-  ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କୁ କେନ୍ଦ୍ର ସରକାର ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି । ଝାଡଖଣ୍ଡର ଏହି ପୂର୍ବତନ ରାଜ୍ୟପାଳ ଆଜି ସକାଳୁ ଉଠି ସବୁଦିନ ପରି ମନ୍ଦିର ଦର୍ଶନ କରିବାକୁ ଯିବା ସହିତ ରାଇରଂଗପୁରସ୍ଥିତ ଶିବ ମନ୍ଦିରରେ ଝାଡୁ ମାରିଥିଲେ। ଏହି ସମୟରେ ତାଙ୍କ ପାଖରେ ସିଆରପିଏଫ ଏବଂ ଅନ୍ୟାନ୍ୟ ସୁରକ୍ଷା କର୍ମୀ ଚାରିପଟେ ଘୁରିବୁଲୁଥିବା ଦେଖିବାକୁ ମିଳିଥିଲା। ଯାହାକି ଗତକାଲି ନଥିଲା ।

ଦ୍ରୋପଦୀଙ୍କୁ ସୁରକ୍ଷାରେ ୧୦ରୁ ଅଧିକ କମାଣ୍ଡୋ ରହିଥିବା ବେଳେ ୫ଟି ବୁଲେଟ ପ୍ରୁଫ କାର ରହିଛି। ଏଥିସହ ଜଣେ ଡିଏସପି ରାଙ୍କର ଅଫିସରଙ୍କୁ ନିଯୁକ୍ତ କରିଛି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରାଳୟ । ଏହି ସୁରକ୍ଷା ମୁର୍ମୁଙ୍କ ରାଇରଙ୍ଗପୁର ବାସଭବନରୁ ଆରମ୍ଭ ହୋଇ ଦିଲ୍ଲୀ ପର୍ଯ୍ୟନ୍ତ ରହିବ। ଆଜି ମଧ୍ୟାହ୍ନରେ ମୁର୍ମୁ ମୟୂରଭଞ୍ଜରୁ ଭୁବନେଶ୍ୱର ଆସିବେ ପରେ ବିମାନ ଯୋଗେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ୨୫ ତାରିଖ ଦିନ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ରହିଛି।

ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ମିଳିଥାଏ । ଏହାପରେ ଜେଡ୍ ପ୍ଲସ ସୁରକ୍ଷା ଥାଏ । ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିଏସପି ସୁପ୍ରିମୋ ମାୟାବତୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସମେତ ୪୦ ନେତା ଏବେ ଜେଡ୍ ପ୍ଲସ ସୁରକ୍ଷାରେ ରହିଛନ୍ତି। ତେବେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ବ୍ଲୁ ବୁକ ଅଧିନରେ ସୁରକ୍ଷା ଯୋଗୋଇ ଦିଆଯାଏ ।