ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

ଓଡ଼ିଶା ତାଜା ନ୍ୟୁଜ୍ /୨୯ ମଇ ରବିବାର/ଭୁବନେଶ୍ୱର :- ୦୬-ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରାଯାଇଛି ବୋଲି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୩୧ ତାରିଖରେ ୨୭୯ ଗୋଟି ବୁଥ୍‌ରେ ସକାଳ ୭ ଘଟିକାଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଆଜିଠାରୁ ସମସ୍ତ ପୁଲିଂ ପାର୍ଟି ଭୋଟଗ୍ରହଣ ନିମନ୍ତେ ଆବଶ୍ୟକ ନିର୍ବାଚନ ସାମଗ୍ରୀ ଧରି ନିଜ ନିଜର ବୁଥକୁ ଗଲେଣି ଏବଂ ଏଥି ନିମନ୍ତେ ସଂରକ୍ଷିତ କର୍ମଚାରୀଙ୍କୁ ମିଶାଇ ମୋଟ ପ୍ରାୟ ୧୨୨୮ ଜଣ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ।

ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସମଗ୍ର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥ୍‌ରେ ସମୁଦାୟ ୯୭୦ ଜଣ ସୁରକ୍ଷା କର୍ମଚାରୀ ଏବଂ ତିନି କମ୍ପାନୀ କେନ୍ଦ୍ରୀୟ ପୋଲିସ ଦଳଙ୍କୁ ଅବସ୍ଥାପିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି । ଉପନିର୍ବାଚନରେ ୧୧୦୦୫୦ ଜଣ ପୁରୁଷ, ୧୦୪୮୧୧ ଜଣ ମହିଳା ଓ ୧୭ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୨୧୪୮୭୮ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ା ପୋଲିସ ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇଥିବା ୬୦ ଗୋଟି ଉତ୍ତେଜନାପ୍ରବଣ ବୁଥ୍‌ରେ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେସବୁ ବୁଥ୍‌ରେ ୫୦ ଜଣ ମାଇକ୍ରୋ ଅବଜରଭରଙ୍କ ସହ ଅତିରିକ୍ତ କେନ୍ଦ୍ରୀୟ ପୋଲିସବଳଙ୍କୁ ନିଯୁକ୍ତି ସହ େୱବ୍‌କାଷ୍ଟିଂର ବ୍ୟବସ୍ଥା କରାଯାଇଛି ।

ସମୁଦାୟ ବୁଥ୍‌ର ୫୦ ପ୍ରତିଶତ ବୁଥ୍‌ରେ େୱବ୍‌କାଷ୍ଟିଂ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ କରିଛନ୍ତି । ନିର୍ବାଚନ ଦିନ ସମଗ୍ର ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କଡ଼ା ନଜର ରଖିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଭୋଟରମାନଙ୍କ ସୁବିଧା ନିମନ୍ତେ ୩୦ ଗୋଟି ମଡେଲ୍‌ ବୁଥ୍‌ ସ୍ଥାପନା କରାଯାଇଛି ଓ ସେଠାରେ ଭୋଟରମାନଙ୍କ ପାଇଁ ଟେଣ୍ଟ, ପାନୀୟ ଜଳର ବ୍ୟବସ୍ଥା ଏବଂ ବରିଷ୍ଠ ଭୋଟରମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଧାଡ଼ିର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି ୫ ଗୋଟି ପିଙ୍କ ବୁଥ୍‌ ସ୍ଥାପନ କରାଯାଇଛି, ଯେଉଁଠାରେ କେବଳ ମହିଳା କର୍ମଚାରୀମନେ ଭୋଟଗ୍ରହଣ କାର୍ଯ୍ୟ ସଂପାଦନ କରିବେ ।

ବରିଷ୍ଠ ଭୋଟର ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ନିମନ୍ତେ ସବୁ ବୁଥ୍‌ରେ ର୍ୟାମ୍ପ, ହ୍ୱିଲ୍‌ଚେୟାର ସହ ସେ୍ୱଚ୍ଛାସେବକମାନଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ା ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟର, ଯେଉଁମାନେ କି ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ଭୋଟ ଦେବା ପାଇଁ ପସନ୍ଦ କରିଥିଲେ ସେମାନଙ୍କ ମଧ୍ୟରୁ ୩୧୨ ଜଣ ଯୋଗ୍ୟ ଭୋଟର ମତଦାନ କରିଛନ୍ତି ଓ ସେସବୁଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଭାବେ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଉପନିର୍ବାଚନ ପ୍ରଚାର ଶେଷ ହେବ ଓ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା, ତାରକା ପ୍ରଚାରକ ଓ ଅନ୍ୟ ଯେକୌଣସି ବ୍ୟକ୍ତି, ଯେଉଁମାନେ କି ନିର୍ବାଚନ ମଣ୍ଡଳୀର ଭୋଟର ନୁହଁନ୍ତି,

ସେମାନେ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆଜି ସନ୍ଧ୍ୟା ୬ଟା ପରେ ରହିପାରିବେ ନାହିଁ ଏବଂ ଜିଲ୍ଲାରେ ଥିବା ସମସ୍ତ ହୋଟେଲ୍‌, ଲଜ୍‌, ଗେଷ୍ଟହାଉସ୍‌କୁ ତନଖି କରିବା ପାଇଁ ଜିଲ୍ଲାର ଜିଲ୍ଲାପାଳ, ଅରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏତଦ୍‌ବ୍ୟତୀତ ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ଜିଲ୍ଲାରେ ଥିବା ସମସ୍ତ ମଦଦୋକାନକୁ ସିଲ୍‌ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିଖାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।